କଣ୍ଟେନର ଧକ୍କାରେ ବାଇକ୍‌ ଆରୋହୀଙ୍କ ମୃତ୍ୟୁ, ରାଜପଥ ଅବରୋଧ କଲେ ସ୍ଥାନୀୟ ଲୋକେ

ପାଣିକୋଇଲି : ପାଣିକୋଇଲି ଥାନା ଅନ୍ତର୍ଗତ ଜାତୀୟ ରାଜପଥ-୧୬ରେ ଟୋଲପ୍ଲାଜା ଅନତିଦୂର ଡାଇଭର୍ସନ ନିକଟରେ ଗୁରୁବାର ଅପରାହ୍‌ଣରେ କଣ୍ଟେନର ଧକ୍କାରେ ଜଣେ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଛି। ମୃତବ୍ୟକ୍ତି ଖୋର୍ଦ୍ଧା ଜିଲ୍ଲା ଚନ୍ଦକା ଥାନା ଅଞ୍ଚଳର ମଦନ ପଲେଇ ବୋଲି ଜଣାପଡ଼ିଛି। ପୁଲିସ ପହଞ୍ଚି ମୃତଦେହକୁ ଆମ୍ବୁଲାନ୍ସ ଯୋଗେ ଯାଜପୁର ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲା। ବାଇକ ଓ କଣ୍ଟେନରକୁ ଜବତ କରାଯାଇଛି। କୋଲକାତା ପଟୁ ଭୁବନେଶ୍ବର ଅଭିମୁଖେ ଯାଉଥିବା କଣ୍ଟେନର (ଡବ୍ଲ୍ୟୁବି ୧୧ଡି ୬୬୪୯) ଡାଇଭର୍ସନ ନିକଟରେ ଆଗରେ ଯାଉଥିବା ଗ୍ଲାମର ବାଇକ (ଓଡି ୩୩ ଆର ୮୧୮୭) ଆରୋହୀ ମଦନଙ୍କୁ ପଛରୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ହିଁ ମଦନଙ୍କ ମୃତ୍ୟୁ ହୋଇଥିଲା। ଏନେଇ ପୁଲିସ ଅଧିକ ତଦନ୍ତ ଜାରି ରଖିଛି।

ଠିକାସଂସ୍ଥା ଡିବିଏଲ କମ୍ପାନି ରାସ୍ତା ନିର୍ମାଣରେ ଅହେତୁକ ବିଳମ୍ବ କରୁଥିବାରୁ ଏଭଳି ଦୁର୍ଘଟଣା ଘଟି ଧନଜୀବନ ହାନି ଘଟୁଛି। ଏହାର ପ୍ରତିବାଦରେ ସ୍ଥାନୀୟ ଲୋକମାନେ ରାଜପଥ ଅବରୋଧ କରିଥିଲେ। ଫଳରେ ଏକଘଣ୍ଟାରୁ ଊର୍ଦ୍ଧ୍ବ ସମୟ ଧରି ଉଭୟ ପାର୍ଶ୍ବରେ ଶହଶହ ଯାନବାହନ ରାସ୍ତାରେ ଛିଡ଼ାହୋଇ ରହିଥିଲା। ଘଟଣାସ୍ଥଳରେ ପୁଲିସ ପହଞ୍ଚିଥିଲେ ହେଁ ଆନ୍ଦୋଳନକାରୀ ନିଜ ଜିଦ୍‌ରେ ଅଟଳ ରହିଥିଲେ। ପରେ ପୁଲିସ ସେମାନଙ୍କୁ ବୁଝାସୁଝା କରିବା ସହିତ ଡିବିଏଲ କମ୍ପାନିର ଅଧିକାରୀଙ୍କ ସହିତ ଆଲୋଚନା କରିବାର ପ୍ରତିଶ୍ରୁତି ଦେବାପରେ ରାସ୍ତାରୋକ ହଟିଥିଲା।

ସମ୍ବନ୍ଧିତ ଖବର