ଭୁବନେଶ୍ବର : ଉଭୟ ଭାରତୀୟ ପୁରୁଷ ଓ ମହିଳା ହକି ଦଳକୁ ଉତ୍ସାହିତ କରିବା ଲାଗି ହକି ଇଣ୍ଡିଆ ରବିବାର ଆର୍ଥିକ ପୁରସ୍କାର ଘୋଷଣା କରିଛି। ପ୍ରତି ବିଜୟରେ ଦଳର ସମସ୍ତ ଖେଳାଳିଙ୍କୁ ୫୦,୦୦୦ ଏବଂ ସପୋର୍ଟ ଷ୍ଟାଫ୍ଙ୍କୁ ୨୫,୦୦୦ ଟଙ୍କା ଲେଖାଏଁ ପ୍ରଦାନ କରାଯିବ ବୋଲି ହକି ଇଣ୍ଡିଆ ସଭାପତି ଦିଲୀପ ତିର୍କି ଏବଂ ସମ୍ପାଦକ ଭୋଳାନାଥ ସିଂହ ଘୋଷଣା କରିଛନ୍ତି। ‘‘ଭାରତୀୟ ହକି (ଉଭୟ ପୁରୁଷ ଓ ମହିଳା) ଦଳର ପ୍ରତି ବିଜୟରେ ଖେଳାଳିମାନଙ୍କୁ ପୁରସ୍କାର ରାଶି ଦେବା ଲାଗି ହକି ଇଣ୍ଡିଆ ସର୍ବସମ୍ମତି କ୍ରମେ ନିଷ୍ପତ୍ତି ନେଇଛି। ଏହି ପୁରସ୍କାର ରାଶି ବାର୍ଷିକ ପ୍ରଦାନ କରାଯିବ। ଏହି ଘୋଷଣା ଆଗାମୀ ବିଶ୍ବକପ୍ ଏବଂ ଏସିଆ କପ୍ ଲାଗି ଖେଳାଳିମାନଙ୍କୁ ଉତ୍ସାହିତ କରିବ। ଏହା ମଧ୍ୟ ଯୁବ ପିଢ଼ିଙ୍କୁ ହକି ପ୍ରତି ଆକୃଷ୍ଟ କରିବ’’ ବୋଲି ହକି ଇଣ୍ଡିଆ ସଭାପତି ଦିଲୀପ ତିର୍କି କହିଛନ୍ତି। ଗୋଟିଏ ସପ୍ତାହ ତଳେ ହକି ଇଣ୍ଡିଆ ଭାରତୀୟ କନିଷ୍ଠ ପୁରୁଷ ଦଳ ଜୋହର କପ୍ ଜିତିବା ପରେ ପ୍ରତି ଖେଳାଳିଙ୍କୁ ୨ ଲକ୍ଷ ଏବଂ ସପୋର୍ଟ ଷ୍ଟାଫ୍ଙ୍କୁ ୧ ଲକ୍ଷ ଲେଖାଏଁ ଅର୍ଥରାଶି ପ୍ରଦାନ ଲାଗି ଘୋଷଣା କରିଥିଲା।