୨୦୨୨ ସୁଦ୍ଧା ଟେଲିକମ କ୍ଷେତ୍ରରେ ୪୦ ଲକ୍ଷ ନୂଆ ନିଯୁକ୍ତି ସୁଯୋଗ !

ନୂଆଦିଲ୍ଲୀ : ଦେଶର ଟେଲିକମ ଉଦ୍ୟୋଗ ଏବେ ଏକ କଠିନ ସମୟ ଦେଇ ଗତି କରୁଛି । ଶସ୍ତା ଟେଲିକମ ସେବା ଯୋଗାଇବା ପ୍ରତିଯୋଗିତା ମଧ୍ୟରେ କମ୍ପାନିମାନଙ୍କ ଆର୍ଥିକ ଅବସ୍ଥା ଖରାପ ହୋଇଯାଇଛି । କେତେକ ଟେଲିକମ କମ୍ପାନି ବନ୍ଦ ହୋଇଗଲେଣି ଅଥବା ଅନ୍ୟ ବଡ଼ କମ୍ପାନିମାନଙ୍କ ସହ ମିଶି ଗଲେଣି । ଫଳରେ ଏହି ଉଦ୍ୟୋଗରେ କାମ କରୁଥିବା ହଜାର ହଜାର ଲୋକ ଛଟେଇ ହୋଇଛନ୍ତି । ଏପରିପ୍ରେକ୍ଷୀରେ ସରକାର ନୂଆ ଦୂରସଂଚାର ନୀତି ବା ଟେଲିକମ ପଲିସୀ ଆଣିବାକୁ ଯାଉଛନ୍ତି । ଏହାର ଚିଠା ପ୍ରସ୍ତୁତ ହୋଇଛି ଓ ଏହା ଉପରେ ଲୋକମାନଙ୍କ ମତାମତ ଆହ୍ଵାନ କରିଛନ୍ତି ସରକାର । ଏହି ଟେଲିକମ ନୀତି ଅନୁସାରେ ୨୦୨୨ ସୁଦ୍ଧା ସମସ୍ତଙ୍କ ପାଖରେ ବ୍ରଡବ୍ୟାଣ୍ଡ ସେବା ପହଞ୍ଚାଇବାକୁ ଲକ୍ଷ୍ୟ ରଖିଛନ୍ତି ସରକାର । ତେବେ ଏହାର ଏକ ମୁଖ୍ୟ ବୈଶିଷ୍ଟ୍ୟ ହେଉଛି, ଡିଜିଟାଲ ଯୋଗାଯୋଗ କ୍ଷେତ୍ରରେ ଅତିରିକ୍ତ ୪୦ ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାକୁ ଲକ୍ଷ୍ୟ ରଖାଯାଇଛି । ଅନ୍ୟପକ୍ଷରେ ଜିଡିପିରେ ଡିଜିଟାଲ ଟେଲିକମ କ୍ଷେତ୍ରର ଅବଦାନକୁ ବର୍ତ୍ତମାନର ୬ ପ୍ରତିଶତରୁ ୮ ପ୍ରତିଶତକୁ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖାଯାଇଛି । ଅନ୍ୟପକ୍ଷରେ ଏହି ଉଦ୍ୟୋଗକୁ ଅଧିକ ନିବେଶ ଆକୃଷ୍ଟ କରିବାକୁ କେତେକ ପଦକ୍ଷେପ ନେବାକୁ ପ୍ରସ୍ତାବ ଦିଆଯାଇଛି । ଏହା ମଧ୍ୟରେ ଲାଇସେନ୍ସ ଫି , ସ୍ପେକ୍ଟ୍ରମ ବ୍ୟବହାର ଦେୟ ଆଦିର ସମୀକ୍ଷା ଅନ୍ୟତମ । ୨୦୨୨ ସୁଦ୍ଧା ଦେଶର ପ୍ରତି ନାଗରିକଙ୍କୁ ଅତିକମରେ ୫୦ ଏମବିପିଏସ ବ୍ରଡବ୍ୟାଣ୍ଡ ସଂଯୋଗ ଏବଂ ପ୍ରତି ପଂଚାୟତକୁ ୧ ଜିବିପିଏସ୍‌ (ସେକେଣ୍ଡ ପିଛା ଗିଗାବାଇଟ ) ବ୍ରଡବ୍ୟାଣ୍ଡ ସଂଯୋଗ ଦିଆଯିବ ।

ସମ୍ବନ୍ଧିତ ଖବର