ଆହୁରି କନ୍ଦାଇବ ‌ତେଲ ଦର: ଅଶୋଧିତ ତୈଳ ଦର ୮୩ ଡଲାର ଟପିଲା

ନୂଆଦିଲ୍ଲୀ: ଦେଶରେ ଲଗାତାର ସପ୍ତମ ଦିନ ଲାଗି ପେଟ୍ରୋଲ୍ ଓ ଡିଜେଲ୍‌ ଦାମ୍ ବଢ଼ିଛି। ପ୍ରାୟ ସବୁ ରାଜ୍ୟର ରାଜଧାନୀରେ ଡିଜେଲ୍ ଦାମ୍ ୧୦୦ ଟଙ୍କାରୁ ଅଧିକ ଦାମ୍‌ରେ ବିକ୍ରି ହେଉଥିବା ବେଳେ ପେଟ୍ରୋଲ୍ ଦାମ୍ ୧୦୫-୧୧୦ ଟଙ୍କା ସ୍ତରରେ ରହିଛି। ଆଜି ପେଟ୍ରୋଲ୍ ଦର ୩୦ ପଇସା ଓ ଡିଜେଲ୍ ୩୫ ପଇସା ବଢ଼ିଛି। ତେବେ ସବୁଠୁ ବଡ଼ ଚିନ୍ତାର ବିଷୟ ହେଉଛି ଯେଉଁଥିରୁ ପେଟ୍ରୋଲ୍ ଓ ଡିଜେଲ୍‌ ଉତ୍ପାଦନ କରାଯାଉଛି ସେହି ଅଶୋଧିତ ତୈଳର ଦାମ୍ ଆନ୍ତର୍ଜାତିକ ବଜାରରେ ବଢ଼ିବାରେ ଲାଗିଛି। ଅଶୋଧିତ ତୈଳର ବ୍ୟାରେଲ୍ ପିଛା ଦାମ୍ ୮୩ ଡଲାର ଅତିକ୍ରମ କରିଛି। ଯେହେତୁ କେନ୍ଦ୍ର କିମ୍ବା ରାଜ୍ୟ ସରକାର ଟିକସ କମ୍ କରିବା ସପକ୍ଷରେ ନାହାନ୍ତି, ତେଣୁ ଆଗାମୀ ଦିନରେ ପେଟ୍ରୋଲ୍ ଓ ଡିଜେଲ୍ ଦାମ୍ ଆହୁରି ବଢ଼ିବ ବୋଲି ଆଶଙ୍କା କରାଯାଉଛି। ଅଶୋଧିତ ତୈଳକୁ ବିଶୋଧନ କରି ସେଥିରୁ ପେଟ୍ରୋଲ୍, ଡିଜେଲ୍ ଓ ଅନ୍ୟାନ୍ୟ ସାମଗ୍ରୀ ବାହାର କରାଯାଏ। ଏବେ ଏହାର ମୂଲ୍ୟ ତିନି ବର୍ଷ ଭିତରେ ସବୁଠୁ ଉଚ୍ଚ ସ୍ତରରେ ରହିଛି। କରୋନା ମହାମାରୀ ପ୍ରଭାବ ଦୂର ହେବା ପରେ ସାରା ବିଶ୍ବର ଶିଳ୍ପ ଜଗତ ହଠାତ୍‌ ଚଳଚଞ୍ଚଳ ହୋଇପଡ଼ିବାରୁ ତୈଳ ଚାହିଦା ବଢ଼ିଛି। ସେହି ଚାହିଦା ପୂରଣ କରିବା ଲାଗି ଉତ୍ପାଦନକାରୀ ଦେଶଗୁଡ଼ିକ କିନ୍ତୁ ପ୍ରସ୍ତୁତ ନଥିଲେ। ବଜାରରେ କମ୍ ତେଲ ଉପଲବ୍ଧ ଥିବା ବେଳେ ଚାହିଦା ଅଧିକ ରହୁଥିବାରୁ ଦାମ୍ ବଢ଼ୁଛି। ଏହି ସ୍ଥିତିରେ ଶୀଘ୍ର ସୁଧାର ହେବାର ମଧ୍ୟ କମ୍ ସମ୍ଭାବନା ରହିଛି। ଅଶୋଧିତ ତୈଳ ମହଙ୍ଗା ହେଲେ ଏଲ୍‌ପିଜି ଓ ବିମାନ ଇନ୍ଧନ ମୂଲ୍ୟ ମଧ୍ୟ ବଢ଼ିଥାଏ। କିଛି ଦିନ ତଳେ ଏଲ୍‌ପିଜି ଦାମ୍‌ରେ ୧୫ ଟଙ୍କାର ବୃଦ୍ଧି ହେବା ପରେ ଓଡ଼ିଶାର କେତେକ ଜିଲ୍ଲାରେ ତାହାର ମୂଲ୍ୟ ୯୬୧ ଟଙ୍କା ଭଳି ଉଚ୍ଚ ସ୍ତରରେ ପହଞ୍ଚିଛି।
ଡିଜେଲ୍ ଦାମ୍‌ରେ ବୃଦ୍ଧି ଦେଶର ଅର୍ଥନୀତିକୁ ଗୁରୁତର ଭାବେ ପ୍ରଭାବିତ ‌କରିବ। ଏହାର ପ୍ରଭାବରେ ‌ପରିବହନ ହେଉଥିବା ସବୁ ପ୍ରକାର ସାମଗ୍ରୀ ମହଙ୍ଗା ହେବ। ଯାତାୟାତ ଲାଗି ଭଡ଼ା ବଢ଼ିବ। ଚାଷ ଠାରୁ ଆରମ୍ଭ କରି ରିଅଲ ଇଷ୍ଟେଟ୍ ଓ ପରିବହନ ଆଦି ସବୁ କ୍ଷେତ୍ର ଉପରେ ଡିଜେଲ ଦରବୃଦ୍ଧିର ପ୍ରଭାବ ରହିବ। ଡିଜେଲ୍ ଦରବୃଦ୍ଧି ଚାଷୀମାନଙ୍କୁ ଆହୁରି କ୍ରୋଧିତ କରିବାର ଆଶଙ୍କା ରହିଛି। ତାହା ରାଜନୈତିକ ଦୃଷ୍ଟିକୋଣରୁ ସରକାରଙ୍କୁ ଅଡ଼ୁଆରେ ପକାଇପାରେ।
ଭାରତ ଏହାର ‌୮୦%ରୁ ଅଧିକ ତୈଳ ଆବଶ୍ୟକତା ଆମଦାନି ଜରିଆରେ ପୂରଣ କରୁଛି। ଯେହେତୁ ‌ଅଶୋଧିତ ତୈଳକୁ ଆମଦାନି କରାଯାଉଛି, ତେଣୁ ଏହା ମହଙ୍ଗା ହେଉଥିବାରୁ ତାହାର ସିଧାସଳଖ ପ୍ରଭାବ ପେଟ୍ରୋଲ୍ ଓ ଡିଜେଲ୍ ଦାମ୍‌ ଉପରେ ପଡ଼ୁଛି। କିନ୍ତୁ ଦରବୃଦ୍ଧି ପାଇଁ କେବଳ ଅଶୋଧିତ ‌ତୈଳକୁ ଦାୟୀ କରାଯାଇପାରିବ ନାହିଁ। ଗତବର୍ଷ କେନ୍ଦ୍ର ସରକାର ଏକାଥରେ ପେଟ୍ରୋଲ୍‌ରେ ଯେଉଁ ୧୩ ଟଙ୍କା ଓ ଡିଜେଲ୍‌ରେ ୧୬ ଟଙ୍କାର ଟିକସ ବଢ଼ାଇଥିଲେ ତାହା ପ୍ରତ୍ୟାହାର କରୁନଥିବାରୁ ଲୋକମାନଙ୍କୁ ଅଧିକ ଦାମ୍‌ରେ ତେଲ କିଣିବାକୁ ପଡ଼ୁଛି। ଏବେ ପେଟ୍ରୋଲ୍‌ରୁ କେନ୍ଦ୍ର ସରକାର ୩୨ ଟଙ୍କା ୯୮ ପଇସାର ଟିକସ ସଂଗ୍ରହ କରୁଛନ୍ତି।

ସମ୍ବନ୍ଧିତ ଖବର