ପରିବାର ଅଦାଲତରେ ଅନୁଭବ-ବର୍ଷା ପାରିବାରିକ ମାମଲାର ଶୁଣାଣି

କଟକ: ଅନୁଭବ-ବର୍ଷା ପାରିବାରିକ ମାମଲାର ଆଜି କଟକ ପରିବାର ଅଦାଲତରେ ଶୁଣାଣି ହୋଇଛି। ସାକ୍ଷ୍ୟ ଗ୍ରହଣ ଅଧା ରହିଥିବା ବେଳେ ଅଦାଲତରେ ଆଜି ଉଭୟ ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି ଓ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ବ୍ୟକ୍ତିଗତ ଭାବେ ହାଜର ହୋଇଥିଲେ। ବର୍ଷାଙ୍କୁ ଅନୁଭବଙ୍କ ତରଫରୁ ଆଇନଜୀବୀ ଜେରା କରିଥିଲେ। ପ୍ରାୟ ଏକ ଘଣ୍ଟା ଧରି ଜେରା ଚାଲିଥିଲା। ସମୟ ଅଭାବରୁ ଆଜି ମଧ୍ୟ ବର୍ଷାଙ୍କ ଜେରା ଅସଂପୂର୍ଣ୍ଣ ରହିଥିଲା। ମେ ୧୫କୁ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ କରାଯାଇଛି। ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଦିଲ୍ଲୀର ପଟିଆଲା ହାଉସ ପରିବାର ଅଦାଲତରେ ଅନୁଭବ ଦାୟର କରିଥିବା ଛାଡପତ୍ର ମାମଲା ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ କଟକ ପରିବାର ଅଦାଲତକୁ ସ୍ଥାନାନ୍ତର ହୋଇ ଆସିଥିଲା।

ମଧ୍ୟସ୍ଥତା ପ୍ରକ୍ରିୟାରୁ କୌଣସି ସୁଫଳ ନ ମିଳିବାରୁ ମାମଲାରେ ସାକ୍ଷ୍ୟ ଗ୍ରହଣ ପାଇଁ ଅଦାଲତ ନିର୍ଦ୍ଦେଶ ଦେଇଥିଲେ। ମାମଲାରେ ଅନୁଭବଙ୍କ ସାକ୍ଷ୍ୟ ଗ୍ରହଣ ପୂର୍ବରୁ ଶେଷ ହୋଇ ସାରିଛି। ତିନିଦିନ ହେବ ଲଗାତାର ଭାବେ ବର୍ଷାଙ୍କ ସାକ୍ଷ୍ୟ ଗ୍ରହଣ ଚାଲିଥିଲା। ଅନୁଭବଙ୍କ ତରଫରୁ ଆଇନଜୀବୀ ଲଳିତେନ୍ଦୁ ମିଶ୍ର, ଶାଶ୍ବତ ଆଚାର୍ଯ୍ୟ ଓ ବର୍ଷାଙ୍କ ପକ୍ଷରୁ ଆଇନଜୀବୀ ସିଦ୍ଧାର୍ଥ ଦାସ, ରାମକୃଷ୍ଣ ରଥ ମାମଲା ପରିଚାଳନା କରୁଛନ୍ତି।

ସମ୍ବନ୍ଧିତ ଖବର