ହାଇ‌‌କୋର୍ଟରେ ବାରବାଟୀ-କଟକ ନିର୍ବାଚନୀ ମାମଲା

କଟକ: ବାରବାଟୀ-କଟକ ଆସନ ନିର୍ବାଚନୀ ମାମଲାରେ ତୃତୀୟ ସାକ୍ଷୀ ତଥା ୨୦୧୯ରେ ବାରବାଟୀ-କଟକ ବିଧାନସଭା ଆସନ ନିର୍ବାଚନର ତତ୍କାଳୀନ ରିଟର୍ଣ୍ଣିଂ ଅଫିସର୍‌ ସୁକାନ୍ତ କୁମାର ପ୍ରଧାନଙ୍କ ଜେରା ଆଜି ଅସମ୍ପୂର୍ଣ୍ଣ ରହିଛି। ଜଷ୍ଟିସ ସଙ୍ଗମ କୁମାର ସାହୁଙ୍କୁ ନେଇ ଗଠିତ ଖଣ୍ଡପୀଠରେ ମାମଲାର ଶୁଣାଣି ସମୟରେ ଶ୍ରୀ ପ୍ରଧାନଙ୍କୁ ବିଧାୟକ ମହମ୍ମଦ ମୋକିମଙ୍କ ତରଫରୁ ବରିଷ୍ଠ ଆଇନଜୀବୀ ବିଦ୍ୟାଧର ମିଶ୍ର ଜେରା କରିଥିଲେ। ଜେରା ଅସମ୍ପୂର୍ଣ୍ଣ ରହିଥିବା ବେଳେ ମାମଲାର ପରବର୍ତ୍ତୀ ଶୁଣାଣି ମେ ୧୮କୁ ଧାର୍ଯ୍ୟ କରାଯାଇଛି। ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଏପ୍ରିଲ ୧୨ରେ ନିର୍ବାଚନ ମକଦ୍ଦମାର ଆବେଦନକାରୀ ତଥା ପରାଜିତ ପ୍ରାର୍ଥୀ ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟଙ୍କ ଓ ଏପ୍ରିଲ ୨୬ରେ ଦ୍ବତୀୟ ସାକ୍ଷୀ ଦୀପଙ୍କର ଆଚାର୍ଯ୍ୟଙ୍କ ସାକ୍ଷ୍ୟ ଗ୍ରହଣ ଶେଷ ହୋଇଥିଲା।

ଶ୍ରୀ ସାମନ୍ତରାୟଙ୍କ ଅନ୍ତରୀଣ ଆବେଦନର ହାଇକୋର୍ଟ ଶୁଣାଣି କରି ତତ୍କାଳୀନ ରିଟର୍ଣ୍ଣିଂ ଅଫିସରଙ୍କ ସାକ୍ଷ୍ୟ ଗ୍ରହଣ ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏପ୍ରିଲ ୧୮ରେ ତତ୍କାଳୀନ ରିଟର୍ଣ୍ଣିଂ ଅଫିସର ତଥା ବର୍ତ୍ତମାନ ଜଳ ସଂପଦ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭାବେ କାର୍ଯ୍ୟରତ ଶ୍ରୀ ପ୍ରଧାନଙ୍କୁ ସାକ୍ଷ୍ୟ ପ୍ରଦାନ ପାଇଁ ହାଇକୋର୍ଟ ସମନ୍ ଜାରି କରିଥିଲେ। ଆବେଦନକାରୀ ‌ଶ୍ରୀ ସାମନ୍ତରାୟଙ୍କ ତରଫରୁ ବରିଷ୍ଠ ଆଇନଜୀବୀ ମିଲନ କାନୁନଗୋ, ଆଇନଜୀବୀ ଗୋପାଳ ଅଗ୍ରୱାଲ, ସିଦ୍ଧାର୍ଥ ଦାସ ଏବଂ ଶ୍ରୀ ମୋକିମଙ୍କ ତରଫରୁ ବରିଷ୍ଠ ଆଇନଜୀବୀ ବିଦ୍ୟାଧର ମିଶ୍ର ଓ ଆଇନଜୀବୀ ତରଣୀକାନ୍ତ ବିଶ୍ବାଳ ମାମଲା ପରିଚାଳନା କରୁଛନ୍ତି।

ସମ୍ବନ୍ଧିତ ଖବର