ଟ୍ରକ୍‌ ଧକ୍କାରେ ଚାଷୀ ମୃତ, ଉତ୍ତ୍ୟକ୍ତ ଲୋକଙ୍କ ରାସ୍ତାରୋକ

ସମ୍ବଲପୁର: ଆଉ ୭ ଦିନ ପରେ ଝିଅ ବାହାଘର। ହେଲେ, ଶନିବାର ଅପରାହ୍‌ଣରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାର ଜଣେ ଛୋଟ ଚାଷୀ ମନୋରଜଂନ ବାରିକ(୫୫)ଙ୍କ ମୃ୍ତ୍ୟୁ ଘଟିଛି। ଏହି ଘଟଣା ଗୋପାଳପାଲି ଗ୍ରାମରେ ଶୋକର ଛାୟା ଖେଳାଇ ଦେଇଥିବା ବେଳେ କ୍ଷତିପୂରଣ ଦାବିରେ ଲୋକେ ରାଜରାସ୍ତାକୁ ଓହ୍ଲାଇଥିଲେ।

ପ୍ରାପ୍ତ ସୂଚନା ଅନୁସାରେ, ଆଜି ଅପରାହ୍‌ଣ ୫ଟାରେ ସମ୍ବଲପୁର ମହାନଗର ନିଗମ ଅନ୍ତର୍ଗତ ଗୋପାଳପାଲି ନିବାସୀ ଚାଷୀ ମନୋରଂଜନ ବାରିକ ତାଙ୍କ ବାଇକ୍(ଓଆର୍‌ ୧୫ଜି ୧୯୨୮) ଯୋଗେ କୌଣସି କାମରେ ରେମେଡ଼ ସମବାୟ ସମିତି ଅଭିମୁଖେ ବାହାରି ଥିଲେ। ରେମେଡ଼ ଛକ ନିକଟରେ ସେ ସର୍ଭିସ ରୋଡ଼ରୁ ବାହାରି ମୁଖ୍ୟରାସ୍ତାରେ ଯାଉଥିବା ବେଳେ ଏକ ଟ୍ରକ୍‌(ଓଆର୍‌ ୧୫ଏନ୍ ୧୮୯୯) ଧକ୍କା ଦେଇଥିଲା। ଘଟଣାସ୍ଥଳରେ ମନୋରଂଜନଙ୍କ ମୃତ୍ୟୁ ଘଟିଥିଲା। ପୁଲିସ ତୁରନ୍ତ ଘଟଣାସ୍ଥଳରେ ପହଂଚି ଶବ ଉଦ୍ଧାରକରି ବ୍ୟବ‌ଚ୍ଛେଦ ପାଇଁ ବୁର୍ଲା ଡାକ୍ତରଖାନା ପଠାଇଥିବା ବେଳେ ଅଭିଯୁକ୍ତ ଟ୍ରକ୍‌ ଚାଳକ ଲମ୍ବୋଦର ବେହେରାଙ୍କୁ ଧରିଥିଲା। ଅପରପକ୍ଷରେ ଏ ସଂକ୍ରାନ୍ତରେ ସୂଚନା ମିଳିବା ପରେ ଗୋପାଳପାଲିଗ୍ରାମବାସୀ କ୍ଷତିପୂରଣ ଦାବିରେ ଜାତୀୟ ରାଜପଥ ଅବରୋଧ କରିଥିଲେ।

ମନୋରଂଜନ ପରିବାରର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି ଥିଲେ। ତାଙ୍କର ୨ଟି ଝିଅଙ୍କ ମଧ୍ୟରୁ ବଡ଼ଝିଅ ପୂର୍ବରୁ ବିବାହ ସଂପନ୍ନ ହୋଇଛି। ସାନଝିଅର ବାହାଘର ଆସନ୍ତା ୨୫ ତାରିଖ ଦିନ ପତ୍ରାପାଲି ଗାଁର ଜଣେ ଯୁବକଙ୍କ ସହିତ ବିବାହ ନିମନ୍ତେ ଲଗ୍ନ ସ୍ଥିର ହୋଇଛି। ତାଙ୍କ ବୃଦ୍ଧ ମା ଏପଟେ ବାର୍ଦ୍ଧକ୍ୟଜନିତ ରୋଗ କାରଣରୁ ଶଯ୍ୟାଶାୟୀ ଅଛନ୍ତି। ଏଭଳି ସ୍ଥିତିରେ ମୃତକଙ୍କ ପରିବାରକୁ କ୍ଷତିପୂରଣ ଅର୍ଥରାଶି ଯୋଗାଇ ଦେବା ପାଇଁ ଲୋକେ ଆନ୍ଦୋଳନକୁ ଓହ୍ଲାଇ ଥିଲେ। ଏସ୍‌ଡିପିଓ ପ୍ରଦୀପ ସାହୁ ଘଟଣାସ୍ଥଳରେ ପହଂଚି ଆସନ୍ତାକାଲି ସରକାରଙ୍କ ପକ୍ଷରୁ ନିୟମ ଅନୁଯାୟୀ ସହାୟତା ‌ଯୋଗାଇବା ସହିତ ଗାଡ଼ି ମାଲିକଙ୍କୁ ଆଲୋଚନା ପାଇଁ ଡକାଇବେ ବୋଲି ପ୍ରତିଶ୍ରୁତି ଦେବା ପରେ ଲୋକେ ଆନ୍ଦୋଳନ ପ୍ରତ୍ୟାହାର କରିଥିଲେ। ରାସ୍ତା ଅବରୋଧ ଯୋଗୁଁ ଏକ ଘଣ୍ଟା ପର୍ଯ୍ୟନ୍ତ ଯାତାୟାତ ଠପ୍ ହୋଇଯାଇଥିଲା।

ସମ୍ବନ୍ଧିତ ଖବର