ସ୍ୱାୟତ୍ତଶାସନ ଦିବସ ପାଳନକୁ ନେଇ ଅନିଶ୍ଚିତତା, ପୌରପରିଷଦ ଓ ନିର୍ବାହୀ ଅଧିକାରୀ ମୁହାଁମୁହିଁ

ଖୋର୍ଦ୍ଧା: ଖୋର୍ଦ୍ଧା ପୌରାଞ୍ଚଳରେ ନୂତନ ପୌର ପରିଷଦ ଗଠନ ହେବା ଦିନ ଠାରୁ କୌଣସି ନା କୌଣସି ସମସ୍ୟା ଲାଗି ରହିଛି। ପୌର ପରିଷଦ ଓ ନିର୍ବାହୀ ଅଧିକାରୀଙ୍କ ମଧ୍ୟରେ ସମନ୍ୱୟ ଅଭାବରୁ ସହରର ଅନେକ ଉନ୍ନୟନମୂଳକ କାର୍ଯ୍ୟ ଅଟକି ରହିଛି। ଶେଷରେ ପରିସ୍ଥିତି ଏଭଳି ହୋଇଛି ଯେ ପୌରପରିଷଦ ପକ୍ଷରୁ ଚଳିତବର୍ଷ ସ୍ୱାୟତ୍ତ ଶାସନ ଦିବସ ପାଳନ ହେବ କି ନାହିଁ ସନ୍ଦେହ ସୃଷ୍ଟି ହୋଇଛି। ଆଜି ପୂର୍ବାହ୍ନରେ ବିଧାୟକ ଜ୍ୟୋତିରୀନ୍ଦ୍ର ନାଥ ମିତ୍ରଙ୍କ ସହ ପୌର ଉପାଧ୍ୟକ୍ଷ ଶୌର୍ଯ୍ୟ ରଂଜନ ମହାନ୍ତି ଓ ଅନ୍ୟ କାଉନସିଲର ମାନେ ଜିଲ୍ଲାପାଳ କେ.ସୁଦର୍ଶନ ଚକ୍ରବର୍ତୀଙ୍କୁ ଭେଟି ଭାରପ୍ରାପ୍ତ ନିର୍ବାହୀ ଅଧିକାରୀ ତଥା ଉପଜିଲ୍ଲାପାଳ ଆଇ ଶିବାଜୀ ଗୌରବଙ୍କ ବିରୋଧରେ ଅଭିଯୋଗ କରିଛନ୍ତି। କାଉନସିଲରଙ୍କ କହିବା କଥା ଚଳିତମାସ ୧୯ ତାରିଖରେ ସ୍ୱୟତ୍ତଶାସନ ଦିବସ ପାଳନ ନେଇ ଏକ ପ୍ରସ୍ତୁତି ବୈଠକ ବସିଥିଲା। ଦୁଇବର୍ଷ କରୋନା କଟକଣା ଯୋଗୁଁ ଏହି ଦିବସ ପାଳନ ଆଡ଼ମ୍ବରପୂର୍ଣ୍ଣ ଭାବେ ହୋଇପାରିନଥିଲା। ଏଣୁ ଚଳିତବର୍ଷ ଏହାକୁ ଜାକଯମକରେ ପାଳନ କରିବାକୁ ବୈଠକରେ ପୌର ଅଧ୍ୟକ୍ଷାଙ୍କ ସମେତ ସମସ୍ତ କାଉନସିଲର ମତ ଦେଇଥିଲେ। ଉତ୍ସବ ନିମନ୍ତେ ଆବଶ୍ୟକ ସାମଗ୍ରୀ ଓ ବ୍ୟବସ୍ଥା କରିବାକୁ ଉପାଧ୍ୟକ୍ଷଙ୍କ ସମେତ ୮ଜଣ କାଉନସିଲରଙ୍କୁ ନେଇ ଏକ କମିଟି ଗଠନ କରାଯାଇଥିଲା।

Sambad

କିନ୍ତୁ ପରେ ପୌରଯନ୍ତ୍ରୀ ଅନୁରାଧା ପ୍ରଧାନ ଏହି କମିଟି ଦ୍ୱାରା ଉତ୍ସବ ପାଳନ ପରିଚାଳନାକୁ ବିରୋଧ କରିଥିଲେ। ଯନ୍ତ୍ରୀଙ୍କ ପରାମର୍ଶକ୍ରମେ ନିର୍ବାହୀ ଅଧିକାରୀ ପୌର ପରିଷଦର ଏହି ନିଷ୍ପତ୍ତିକୁ ଖାରଜ କରି ଦେଇଥିଲେ। ଏନେଇ ଜିଲ୍ଲାପାଳଙ୍କୁ ଅବଗତ କରାଇବା ପରେ ଜିଲ୍ଲାପାଳ ଦିବସକୁ ଆଡ଼ମ୍ବରପୂର୍ଣ୍ଣ ଭାବେ ପାଳନ କରିବାର ବ୍ୟବସ୍ଥା କରିବାକୁ ପ୍ରତିଶ୍ରୁତି ଦେଇଥିଲେ। ତେବେ ଭାରପ୍ରାପ୍ତ ନିର୍ବାହୀ ଅଧିକାରୀ ଶିବାଜୀ ଗୌରବଙ୍କ କୋରାପୁଟ ବଦଳି ହୋଇଯାଇଥିଲେ ମଧ୍ୟ ନଯାଇ ଏଠାରେ ବିଭିନ୍ନ ସମସ୍ୟା ସୃଷ୍ଟି କରୁଥିବା ଓ ନିର୍ବାଚିତ ପୌରପରିଷଦର ଅନେକ କାମରେ ଅଯଥା ହସ୍ତକ୍ଷେପ କରୁଥିବାରୁ ପୌର ପରିଷଦ ତୀବ୍ର ଅସନ୍ତୋଷ ବ୍ୟକ୍ତ କରିଛି। ଯଦି ଏହି ସମସ୍ୟାର ସମାଧାନ ନହୁଏ ତେବେ ସ୍ୱାୟତ୍ତଶାସନ ଦିବସକୁ ସଂପୂର୍ଣ୍ଣ ଭାବେ ବର୍ଜନ କରିବାକୁ ପୌର ପରିଷଦ ଚେତାବନୀ ଦେଇଛି। ଏନେଇ ନିର୍ବାହୀ ଅଧିକାରୀଙ୍କ ପ୍ରତିକ୍ରିୟା ମିଳି ପାରିନାହିଁ। ଆଜି ଜିଲ୍ଲାପାଳଙ୍କୁ ସାକ୍ଷାତ ସମୟରେ ଅନ୍ୟମାନଙ୍କ ମଧ୍ୟରେ ପୌର ଅଧ୍ୟକ୍ଷାଙ୍କ ଶାରୀରିକ ଅସୁସ୍ଥତା ଯୋଗୁଁ ତାଙ୍କ ପ୍ରତିନିଧି ସୁବ୍ରତ କୁମାର ମହାନ୍ତି, କାଉନସିଲର ଦିଲ୍ଲୀପ କୁମାର ପରିଡ଼ା, ଅମିତ ମହାନ୍ତି, ମୋନାଲିସା ସିଂହ, ପ୍ରବୀଣା ଜଗଦେବ, ଲୀନା ସ୍ୱାଇଁ, ପଦ୍ମିନୀ ମିଶ୍ର, ଅନୀଲ କୁମାର ରାମ, ନାଗଭୂଷଣ ଜେନା ଓ ଅନ୍ୟ ୧୨ଜଣ କାଉନସିଲ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର