ମୁମ୍ବାଇ: ଦିନିକିଆ ବିଶ୍ବକପ୍ ଇତିହାସରେ ରେକର୍ଡ କ୍ରମାଗତ ୯ ବିଜୟର ଆତ୍ମବିଶ୍ବାସ ସହିତ ଭାରତ ଆଜି ୱାଙ୍ଖ୍ଡେ ଷ୍ଟାଡିୟମ୍ରେ ସେମି ଫାଇନାଲ ଖେଳିବାକୁ ଯାଉଛି। ଭାରତ ଆଗରେ କିନ୍ତୁ ବୁଧବାର ଏମିତି ଏକ ଦେଶ ପ୍ରତିଦ୍ବନ୍ଦ୍ବୀ ରହିଛି, ଯିଏ ସବୁବେଳେ ଜଟିଳ ଆହ୍ବାନ ନେଇ ଆସିଥାଏ। ବ୍ଲାକ୍ କ୍ୟାପ୍ସ କହନ୍ତୁ କି କିୱି ବାର୍ଡସ, କେନ୍ ୱିଲିୟମ୍ସନ୍ଙ୍କ ନ୍ୟୁଜିଲାଣ୍ଡ୍ ନିଶ୍ଚିତ ଭାବେ ଭାରତକୁ ଚାପରେ ପକାଇଛି ଏବଂ ଧମକାଇଛି ଗତଥର ଭଳି ଜୟଯାତ୍ରା ରୋକିଦେବାକୁ। ୨୦୧୯ ମାଞ୍ଚେଷ୍ଟର ସେମିଫାଇନାଲ୍ ପରାଜୟର ପ୍ରତିଶୋଧ ନେବାକୁ କିନ୍ତୁ ରୋହିତ ଶର୍ମାଙ୍କ ଦଳ ଦୃଢ଼ ସଙ୍କଳ୍ପବଦ୍ଧ।
Sambad is now on WhatsApp
Join and get latest news updates delivered to you via WhatsApp
ଲିଗ୍ ପର୍ଯ୍ୟାୟରେ ଭାରତୀୟ ଦଳ ନ୍ୟୁଜିଲାଣ୍ଡ୍କୁ ୪ ୱିକେଟ୍ରେ ପରାସ୍ତ କରିଥିବାରୁ ଏଥର ଆଉ ସୁଯୋଗ ଛାଡ଼ିବାର ନାହିଁ ବୋଲି ଖେଳାଳିମାନେ ମଧ୍ୟ ବିଶ୍ବାସ ରଖିଛନ୍ତି। ନ୍ୟୁଜିଲାଣ୍ଡ୍ ବିପକ୍ଷ ଆଇସିସି ଇଭେଣ୍ଟ୍ ନକ୍ ଆଉଟ୍ ମୁକାବିଲା ଧାରାକୁ ବଦଳାଇ ଏଥର ଶିକାର କରିବା ଲକ୍ଷ୍ୟରେ ରହିଛି ଭାରତୀୟ ଦଳ। ଗୋଟିଏ ଗୁଳିରେ ଦୁଇଟି ଶିକାର ଭଳି ୨୦୧୯ ସେମିଫାଇନାଲ୍ ଏବଂ ୨୦୨୧ ଟେଷ୍ଟ୍ ଫାଇନାଲ୍ର ପ୍ରତିଶୋଧ ନେବାକୁ ମିଳିଛି ସୁଯୋଗ।
ମୁମ୍ବାଇର ୱାଙ୍ଖ୍ଡେ ଷ୍ଟାଡିୟମ୍ ଯେଉଁଠି ୨୦୧୧ ବିଶ୍ବକପ୍ ଫାଇନାଲ୍ ଜିତିଥିଲା ଭାରତ, ଏବେ ୧୪୦ କୋଟି ଭାରତୀୟଙ୍କୁ ଏହି ସ୍ବପ୍ନର ଟ୍ରଫି ପାଖାପାଖି ନେବାକୁ ସୁଯୋଗ ଆଣିଛି। ନ୍ୟୁଜିଲାଣ୍ଡ୍ର ସବୁ ପ୍ରକାର ଆହ୍ବାନ ଓ ଯୋଜନାକୁ ପଣ୍ଡ କରିବାକୁ ରୋହିତ ଶର୍ମା ଓ ରାହୁଲ ଦ୍ରାବିଡ଼ ମଧ୍ୟ ପ୍ରସ୍ତୁତ ଅଛନ୍ତି। ହାରିଯିବାର ଡରକୁ ମୁଣ୍ଡରେ ନପୂରାଇ ସ୍ବାଭାବିକ ଖେଳିଲେ ଦଳ ନିଶ୍ଚିତ ସଫଳ ହେବ ବୋଲି ବିଶ୍ବାସ ଦେଇଛନ୍ତି ଖେଳାଳିଙ୍କୁ। କୋଟି କୋଟି ଭାରତୀୟ ପ୍ରଶଂସକ ଏବେ ପ୍ରାର୍ଥନା କରିଛନ୍ତି ପ୍ରଥମେ ରୋହିତ ଶର୍ମା ଟସ୍ ଜିତିଯାଆନ୍ତୁ। କାରଣ ଚଳିତ ସଂସ୍କରଣ ବିଶ୍ବକପ୍ରେ ପ୍ରଥମେ ବ୍ୟାଟିଂ କରୁଥିବା ଦଳ ଅଧିକ ଜିତିଛି, ପଶ୍ଚାତଧାବନ କରୁଥିବା
ଦଳ ଅଡୁଆରେ ପଡୁଛି। ଯେଉଁ ଗୋଟିଏ ମ୍ୟାଚ୍ରେ ସଫଳ ପଶ୍ଚାତଧାବନ ମିଳିଥିଲା, ତାହା ହେଉଛି ଆଫଗାନିସ୍ତାନ ବିପକ୍ଷରେ ଅଷ୍ଟ୍ରେଲିଆର ଅପ୍ରତ୍ୟାଶିତ ସଫଳତାରୁ। ୨୯୨ ରନ୍କୁ ପିଛା କରି ଅଷ୍ଟ୍ରେଲିଆ ୯୧/୭ରେ ସଂଘର୍ଷ କରୁଥିବାବେଳେ ଗ୍ଲେନ୍ ମ୍ୟାକ୍ସୱେଲ ଏକ ଯୁଗାନ୍ତକାରୀ ୧୨୮ ବଲ୍ ୨୦୧* ରନ୍ ପାଳି ଖେଳିବା ଯୋଗୁଁ ବିଜୟ ସମ୍ଭବ ହୋଇଥିଲା। ବୁ୍ଧବାର ଏଇଥି ପାଇଁ ଟସ୍ ନିଶ୍ଚିତ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ତୁଲାଇବ। ଦୁଇ ଦଳ ପାଇଁ ବୋଲରମାନେ ପ୍ରଥମ ୧୫ ଓଭର ଭିତରେ ଯେତେ ଭଲ ଖେଳିବେ ନିଶ୍ଚିତ ତାହା ନିର୍ଣ୍ଣାୟକ ଭୂମିକା ନେବ। ରୋହିତ ଶର୍ମା ଓ ଶୁବମନ ଗିଲ୍ ପୂର୍ବ ଭଳି ଚମତ୍କାର ଶୁଭାରମ୍ଭ ଦେଲେ ଭାରତର ଜୟଯାତ୍ରାକୁ ରୋକିବା କାଠିକର ପାଠ ହେବ। କାରଣ ଭାରତର ପ୍ରତି ଖେଳାଳି ଲୟରେ ଅଛନ୍ତି। ଶୀର୍ଷକ୍ରମରେ ରୋହିତ ଶର୍ମା, ବିରାଟ କୋହଲି, କେଏଲ୍ ରାହୁଲ, ଶ୍ରେୟସ ଆୟର ଅନ୍ୟୂନ ଗୋଟିଏ ଲେଖାଏଁ ଶତକ ମାରି ଆତ୍ମବିଶ୍ବାସ ରଖିଛନ୍ତି। ବିରାଟ କୋହଲିଙ୍କ ୫୦ତମ ଦିନିକିଆ ଶତକ ପୁଣି ତାଙ୍କ ଉପରେ ଚାପ ରଖିବ ଏବଂ ଭଲ ପ୍ରଦର୍ଶନ କରିବାକୁ ମଧ୍ୟ ଉତ୍ସାହିତ କରିବ। ଚଳିତ ସଂସ୍କରଣରେ ୨ଟି ଶତକ ସହ ଦୁଇଟି ମିସ୍ କରିଥିବା କୋହଲି ୯ ମ୍ୟାଚ୍ରୁ ୭ ପାଳିରେ ୫୦ରୁ ଅଧିକ ରନ୍ କରିଛନ୍ତି। ଏବେ ମଧ୍ୟ ସେ ୯୯.୦୦ ହାରରେ ୫୯୪ ରନ୍ ସଂଗ୍ରହ କରି ବ୍ୟାଟର୍ଙ୍କ ତାଲିକାରେ ଶୀର୍ଷରେ ରହିଛନ୍ତି।
ନ୍ୟୁଜିଲାଣ୍ଡ୍କୁ କିନ୍ତୁ କିଛି ହରାଇବାକୁ ନଥିବାରୁ ଏହି ଦଳ କ୍ରମାଗତ ତୃତୀୟ ଥର ଫାଇନାଲ୍ ଖେଳିବା ଲକ୍ଷ୍ୟରେ ରହିବ। କେନ୍ ୱିଲିୟମସନ୍ଙ୍କ ଦଳକୁ ଏଥିପାଇଁ ଡେଭନ୍ କନୱେଙ୍କ ଅଭିଜ୍ଞତା ଏବଂ ନବାଗତ ରାଚିନ ରବୀନ୍ଦ୍ରଙ୍କ ଉତ୍ସାହଭରା ବ୍ୟାଟିଂରୁ ଅଧିକ ଆଶା ରହିବ। ସଂଖ୍ୟାରେ ସତ: ଆଇସିସି ଦିନିକିଆ ବିଶ୍ବକପ୍ରେ ଭାରତ ବିପକ୍ଷରେ ନ୍ୟୁଜିଲାଣ୍ଡ୍ ୫-୪ରେ ଆଗୁଆ ରହିଛି। କିନ୍ତୁ ମୋଟ ଦିନିକିଆରେ ଭାରତ ୫୯-୫୦ରେ ଅଗ୍ରଣୀ ରହିଛି। ସବୁଫର୍ମାଟକୁ ମିଶାଇଲେ କିନ୍ତୁ ଆଇସିସି ନକ୍ ଆଉଟ୍ ବେଳକୁ ନ୍ୟୁଜିଲାଣ୍ଡ୍ ଫାଇଦାରେ ରହିଛି। ୧୯୯୮ ଚାମ୍ପିଅନ୍ସ ଟ୍ରଫି ଫାଇନାଲ, ୨୦୧୯ ଦିନିକିଆ ବିଶ୍ବକପ୍ ସେମିଫାଇନାଲ୍, ୨୦୨୧ ଆଇସିସି ବିଶ୍ବ ଟେଷ୍ଟ୍ ଚାମ୍ପିୟନ୍ସିପ୍ ଫାଇନାଲ୍ରେ ଭାରତ ନ୍ୟୁଜିଲାଣ୍ଡଠାରୁ ହାରିଯାଇଥିଲା। ୨୦୧୩ ଚାମ୍ପିଅନ୍ସ ଟ୍ରଫି ବିଜୟ ପରଠାରୁ ଭାରତ ଆଇସିସି ଇଭେଣ୍ଟ ଜିତିନଥିବାରୁ ଏବେ ରୋହିତ ଶର୍ମାଙ୍କ ଦଳ କେତେ ସଫଳ ରହିବ ଦେଖିବାର ବେଳ ଆସିଛି।
ଦିନିକିଆ ବିଶ୍ବକପ୍ ସେମିଫାଇନାଲ୍ରେ କିନ୍ତୁ ଭାରତର ବିଜୟ ପ୍ରତିଶତ (୪୨.୮୬ %) ନ୍ୟୁଜିଲାଣ୍ଡ୍ (୨୫ %) ଠାରୁ ଆଗୁଆ ରହିଛି। ଭାରତ ୩ ଜିତି ୪ ହାରିଛି, କିନ୍ତୁ ନ୍ୟୁଜିଲାଣ୍ଡ୍ ୨ ଜିତି ୬ ହାରିଛି। ଦିନିକିଆ ବିଶ୍ବକପ୍ ନକ୍ ଆଉଟ୍ ମୁକାବିଲାରେ ବିରାଟ କୋହଲିଙ୍କ ହାରାହାରି (୬ ମ୍ୟାଚ୍ରେ ୧୨.୧୬) ଅତ୍ୟନ୍ତ ନିରାଶାଜନକ ରହିଛି। କେନ୍ ୱିଲିୟମସନ୍ ମଧ୍ୟ ୭ ପାଳିରେ ସେଭଳି ପ୍ରଭାବୀ ରହିନାହାନ୍ତି। ୩୪.୬୭ ହାରରେ ଖେଳିଛନ୍ତି। ୪ ବର୍ଷ ତଳେ ଏକମାତ୍ର ଅର୍ଦ୍ଧଶତକ ଭାରତ ବିପକ୍ଷରେ ମାରିଥିଲେ। ଶେଷ ଥର ପାଇଁ ମୁମ୍ବାଇରେ ଏକ ବିଶ୍ବକପ୍ ସେମିଫାଇନାଲ୍ ୧୯୮୭ରେ ଖେଳାଯାଇଥିଲା। ସେଥର ରବି ଶାସ୍ତ୍ରୀ ଓ ମନିନ୍ଦର ସିଂହଙ୍କୁ ସୁଇପ୍ ଖେଳି ଖେଳି ଗ୍ରାହାମ ଗୁଚ୍ ଇଂଲଣ୍ଡକୁ ଫାଇନାଲ୍ରେ ପହଞ୍ଚାଇ ଦେଇଥିଲେ। ଚଳିତ ବିଶ୍ବକପ୍ରେ ସବୁ ଦଳ ମଧ୍ୟରେ ଭାରତ ସର୍ବାଧିକ ୱିକେଟ୍ (୮୫), ଶ୍ରେଷ୍ଠ ଇକୋନୋମି (୪.୫), ଶ୍ରେଷ୍ଠ ହାରାହାରି (୧୯.୬) ଓ ଶ୍ରେଷ୍ଠ ଷ୍ଟ୍ରାଇକ୍ ରେଟ୍ (୨୬.୨) ରଖିଥିବାରୁ ମଧ୍ୟ ଏହା ଶୁଭସଙ୍କେତ ଦେଉଛି।