ଭିମ୍‌ସାର୍‌ ସିଟିସ୍କାନ୍‌ ମେସିନ୍ ପୁଣି ଅଚଳ

ବୁର୍ଲା: କିଛିଦିନ ବ୍ୟବଧାନରେ ଭିମ୍‌ସାର୍‌ର ସିଟି ସ୍କାନ ମେସିନ୍ ପୁଣି ଶନିବାର ରାତି ୧୦ ଟାରୁ ପୁଣି ଅଚଳ ହୋଇଯାଇଛି। ଗତ ରବିବାର ସନ୍ଧ୍ୟା ୬ଟା ସମୟରେ ସିଟି ସ୍କାନ ମେସିନ୍ ଅଚଳ ହୋଇ ପଡ଼ିଥିବା ବେଳେ ମରାମତି ପରେ ଏହା ସୋମବାର ଦିନ ରାତିରେ କାର୍ଯ୍ୟକ୍ଷମ ହୋଇପାରିଥିଲା। କିନ୍ତୁ, ଗତ ୫ ଦିନ ହେଲା କାର୍ଯ୍ୟକ୍ଷମ ଥିବା ବେଳେ ପୁଣି ଏହା ଅଚଳ ହୋଇପଡ଼ିବାରୁ ରୋଗୀମାନଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି। ମୁଖ୍ୟତଃ ଦୁର୍ଘଟଣାଗ୍ରସ୍ତ ରୋଗୀ ତଥା ପକ୍ଷଘାତ ରୋଗୀଙ୍କ ପାଇଁ ଏହି ବ୍ୟୟ ବହୁଳ ପରୀକ୍ଷା ଅତ୍ୟନ୍ତ ଜରୁରୀ। ନିୟମିତ ବ୍ୟବଧାନରେ ଏହା କାହିଁକି ବିଗିଡ଼ିଯାଉଛି ବୋଲି ବିଭାଗୀୟ ମୁଖ୍ୟ ପ୍ରଫେସର ବି.ବି. ପଣ୍ଡାଙ୍କୁ ପଚାରିବାରୁ ସେ କହିଲେ, ଭିମ୍‌ସାରରେ ଗୋଟିଏ ୧୫୬ ସ୍ଲାଇଡ୍ ବିଶିଷ୍ଟ ସିଟି ସ୍କାନ ମେସିନ୍ ରହିଛି।

ତାହା ବି ଅନବରତ( ୨୪ ଘଣ୍ଟା) ଚାଲୁଛି। ପ୍ରତିଦିନ ଭିମ୍‌ସାର୍‌ରେ ୧୫୦ ରୁ ୧୬୦ ଶରୀରର ବିଭିନ୍ନ ଅଂଶର ସିଟି ସ୍କାନ ଏବଂ ୧୫/୨୦ ହୋଲ୍ ବଡି ସ୍କାନ୍ ହେଉଛି। ତେଣୁ, ଏତେ ମାତ୍ରାରେ ପରୀକ୍ଷା ଗୋଟିଏ ମେସିନ୍ ପାଇଁ ସମ୍ଭବ ନୁହେଁ। ସେ ଆହୁରି ମଧ୍ୟ କହିଥିଲେ ଯେ ସୁପର ସ୍ପେସାଲିଟି କୋଠା ନିର୍ମାଣ ଶେଷ ହେବା ପରେ ସେଠାରେ ୨୫୬ ସ୍ଲାଇଡ୍ ବିଶିଷ୍ଟ ସିଟି ସ୍କାନ ମେସିନ୍ ଲାଗିବାର ବ୍ୟବସ୍ଥା ରହିଛି। ତାହା କାର୍ଯ୍ୟକ୍ଷମ ହେଲେ ଗୋଟିଏ ମେସିନ୍‌ ଉପରେ ଅଧିକ ଚାପ ପଡ଼ିବ ନାହିଁ ଏବଂ ରୋଗୀମାନଙ୍କୁ ଏହି ସେବା ଅନବରତ ଯୋଗାଇ ଦିଆଯିବ। ମରାମତି ପାଇଁ ଯନ୍ତ୍ରୀଙ୍କ ସହିତ ଯୋଗାଯୋଗ କରାଯାଇଛି। ଆସନ୍ତା ୨ ଦିନ ମଧ୍ୟରେ ଅର୍ଥାତ୍ ମଙ୍ଗଳବାର ଦିନ ପର୍ଯ୍ୟନ୍ତ ଏହା କାର୍ଯ୍ୟକ୍ଷମ ହୋଇ ପୁଣି ରୋଗୀ ସେବାରେ ନିୟୋଜିତ ହୋଇପାରିବ ବୋଲି ପ୍ରଫେସର ପଣ୍ଡା ଆଶା ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର