କଚ୍ଛପର କବର

ଏହା ସତ ଯେ ପରିସ୍ଥିତିରେ ଉନ୍ନତି ପାଇଁ ଆମ ନ୍ୟାୟପାଳିକାକୁ ତା’ର ପାରମ୍ପରିକ ଔପନିବେଶିକ ମାନସିକତା ପରିହାର କରି ନିଜର ଦକ୍ଷତା ବୃଦ୍ଧି କରିବାକୁ ପଡ଼ିବ। କିନ୍ତୁ ଏଥିରେ ସରକାରଙ୍କ ଭୂମିକା ମଧ୍ୟ ଅନୁରୂପ ଭାବରେ ଗୁରୁତ୍ବପୂର୍ଣ୍ଣ, କାରଣ ବିଚାରପତି ନିଯୁକ୍ତି ଠାରୁ ଭିତ୍ତିଭୂମି ନିର୍ମାଣ ପର୍ଯ୍ୟନ୍ତ ସରକାରଙ୍କ ସହଯୋଗ ବିନା ସମ୍ଭବ ନୁହେଁ। ଆଶା କରାଯାଏ ସୁପ୍ରିମ୍ କୋର୍ଟ ପ୍ରଦର୍ଶନ କରିଥିବା ଆଦର୍ଶ ଉଭୟ ପକ୍ଷଙ୍କୁ ଏହି ସ‌ହଯୋଗ ପଥରେ ଦ୍ରୁତ ଅଗ୍ରସର ହେବା ପାଇଁ ଉତ୍ସାହିତ କରିବ, ଯେପରି ଅଚି‌େର ନ୍ୟାୟ ନୁହେଁ, ବିଳମ୍ବିତ ନ୍ୟାୟ ରୂପକ କଚ୍ଛପ କବର ପାଇ ଇତିହାସରେ ପରିଣତ ହେବ।

ଭାରତର ବିଚାର ବ୍ୟବସ୍ଥାରେ ନ୍ୟାୟ ପ୍ରଦାନର ମନ୍ଥର ଗତି ସର୍ବଦା ଆମ ବିଚାର ବ୍ୟବସ୍ଥାର ଏକ ମୁଖ୍ୟ ଦୁର୍ବଳତା ରୂପେ ସମାଲୋଚିତ ହୋଇ ଆସିଛି। ସମାଲୋଚକମାନେ ନିୟମିତ ଭାବରେ ଏହାକୁ ଲକ୍ଷ୍ୟ କରି ଯେଉଁ ଏକ ଆପ୍ତବାକ୍ୟ ପ୍ରୟୋଗ କରିଥାନ୍ତି, ତାହା ହେଲା: ‘‘ଜଷ୍ଟିସ୍ ଡିଲେଡ୍ ଇଜ୍ ଜଷ୍ଟିସ୍ ଡିନାଏଡ୍’’। ଊନବିଂଶ ଶତାବ୍ଦୀର ପ୍ରଖ୍ୟାତ ବ୍ରିଟିଶ୍ ପ୍ରଧାନମନ୍ତ୍ରୀ ୱିଲିଅମ୍ ‌ଗ୍ଲାଡ୍‌ଷ୍ଟୋନ୍‌ଙ୍କର ଏହି ପ୍ରସିଦ୍ଧ ଉକ୍ତିର ମର୍ମ ହେଲା- ନ୍ୟାୟ ପ୍ରଦାନରେ ବିଳମ୍ବ ଘଟିଲେ ତାହା ନ୍ୟାୟ ନ ଦେବା ସହିତ ସମାନ ହୋଇଥାଏ। ତେବେ କେତେକ ମନ୍ତବ୍ୟକାରମାନେ ମଧ୍ୟ ଏହାକୁ ଏକ ଅକାଟ୍ୟ ଯୁକ୍ତି ରୂପେ ଗ୍ରହଣ କରି ନ ଥାନ୍ତି। ସେମାନଙ୍କ ଚିନ୍ତାଧାରା ଅନୁସାରେ ନ୍ୟାୟ ପ୍ରଦାନ ଏକ ତରବରିଆ ପ୍ରକ୍ରିୟା ହେବା ଉଚିତ ନୁହେଁ; ଯଥେଷ୍ଟ ସମୟ ଦେଇ ମାମଲାର ପ୍ରତ୍ୟେକ ଦିଗ ତଉଲିବା ପରେ ହିଁ ଅଦାଲତ ଏକ ସିଦ୍ଧାନ୍ତରେ ଉପନୀତ ହୋଇ ରାୟ ପ୍ରଦାନ କରିବା ଉଚିତ। ଗ୍ଲାଡ୍‌ଷ୍ଟୋନ୍‌ଙ୍କର ଉପରୋକ୍ତ ଯୁକ୍ତିକୁ କାଟିବା ପାଇଁ ଏମାନେ କହିଥାନ୍ତି: ‘‘ଜଷ୍ଟିସ୍ ହରିଡ୍ ଇଜ୍ ଜଷ୍ଟିସ୍ ବେରିଡ୍।’’ ଅର୍ଥାତ୍ ତରବର ହୋଇ ନ୍ୟାୟ ପ୍ରଦାନ କରିବା ହେଉଛି ନ୍ୟାୟକୁ କବର ଦେବା ସହିତ ସମାନ।
ଯୁକ୍ତି ଦୃଷ୍ଟିରୁ ଏ ଉଭୟ ମତବାଦରେ ସତ୍ୟତା ରହିଛି। କିନ୍ତୁ ଭାରତ ପରିପ୍ରେକ୍ଷୀରେ ଏଥିମଧ୍ୟରୁ ଯାହା ଅଧିକ ପ୍ରଯୁଜ୍ୟ ବୋଧ ହୋଇଥାଏ, ତାହା ଯେ ନିଶ୍ଚିତ ରୂପେ ହେଉଛି ପ୍ରଥମଟି, ତାହା ଭାରତରେ ଏ ସଂପର୍କରେ ଉପଲବ୍‌ଧ ଚିତ୍ରରୁ ସ୍ପଷ୍ଟ ହୋଇଥାଏ। ଚିତ୍ରଟି ଚୁମ୍ବକରେ ହେଉଛି ଏଇଭଳି। ୨୦୨୩ରେ ଭାରତରେ ସୁପ୍ରିମ୍‌‌ କୋର୍ଟରୁ ତଳ କୋର୍ଟମାନଙ୍କ ପର୍ଯ୍ୟନ୍ତରେ ଯେତିକି ମାମଲା ବିଚାରାଧୀନ ଅବସ୍ଥାରେ ପଡ଼ି ରହିଥିଲା ତାହାର ମୋଟ ସଂଖ୍ୟା ୫ କୋଟି ଅତିକ୍ରମ କରି ଯାଇଥିଲା। ଏଥିମଧ୍ୟରୁ ୧,୬୯,୦୦୦ରୁ ଅଧିକ ମାମଲା ୩୦ ବର୍ଷରୁ ଅଧିକ କାଳ ଧରି ଫଇସଲା ନ ହୋଇ ଡିଷ୍ଟ୍ରିକ୍ଟ କୋର୍ଟ ଓ ହାଇକୋର୍ଟମାନଙ୍କରେ ଅପେକ୍ଷା କରି ରହିଥିଲେ। ପ୍ରାୟ ପାଞ୍ଚ ବର୍ଷ ତଳେ ମୋଟ ବିଚାରାଧୀନ ମାମଲା ସଂଖ୍ୟା ଯେତେବେଳେ ପାଖାପାଖି ୩ କୋଟି ଥିଲା, ସେତେବେଳେ ‘ନିତି’ ଆୟୋଗ ଅନୁଶୀଳନ କରି ଭବିଷ୍ୟବାଣୀ କରିଥିଲା ଯେ ସେଇ ଜମା ହୋଇ ରହିଥିବା ମାମଲା ସବୁର ଚୂଡ଼ାନ୍ତ ଫଇସଲା କରିବା ପାଇଁ ୩୨୪ ବର୍ଷରୁ ଅଧିକ ସମୟ ଲାଗିବ।
ଏହା କେବେହେଲେ ବିଶ୍ବାସଯୋଗ୍ୟ ନୁହେଁ ଯେ ନ୍ୟାୟକୁ କବର ନ ଦେବା ପାଇଁ ଚିନ୍ତିତ ହୋଇ ବିଚାରପତିମାନେ ଅତ୍ୟନ୍ତ ଯତ୍ନ ସହକାରେ ପ୍ରତ୍ୟେକ ମାମଲାର ପ୍ରତ୍ୟେକ ଦିଗକୁ ତନ୍ନ ତନ୍ନ କରି ଅନୁଧ୍ୟାନ କରୁଥିବାରୁ ବିଚାର ପ୍ରକ୍ରିୟା ମନ୍ଥର ହୋଇ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି। ଆମର ନ୍ୟାୟିକ ପ୍ରକ୍ରିୟାର କାଳକ୍ଷେପଣକାରୀ ଚରିତ୍ରରୁ ଆରମ୍ଭ କରି ଯଥେଷ୍ଟ ସଂଖ୍ୟକ ବିଚାରପତି ଅଭାବ ପର୍ଯ୍ୟନ୍ତକୁ ଆମର ନ୍ୟାୟ ବ୍ୟବସ୍ଥାର କଚ୍ଛପ ଗତି ପାଇଁ ଦାୟୀ କରାଯାଇଥାଏ। ଖୋଦ୍ ସୁପ୍ରିମ୍ କୋର୍ଟ ମଧ୍ୟ ନ୍ୟାୟ ବ୍ୟବସ୍ଥାର ଏପରି ଦୁର୍ବଳତାକୁ ସ୍ବୀକାର କରି ସମୟ ସମୟରେ ଏଥିରେ ସୁଧାର ଆଣିବା ପାଇଁ ଆହ୍ବାନ ଦେବା ଦେଖାଯାଇଛି। ଏହାର ଏକ ସଦ୍ୟ ଉଦାହରଣ ସ୍ବରୂପ ପ୍ରାୟ ଦୁଇ ମାସ ତଳେ ୪୧ ବର୍ଷ ତଳର ଏକ ମାମଲା ଫଇସଲା କରିବା ଅବସରରେ ସୁପ୍ରିମ୍ କୋର୍ଟ ତାଙ୍କର ରାୟରେ ସ୍ବୀକାର କରିଥିଲେ ଯେ ଗ୍ଲାଡ୍‌ଷ୍ଟୋନ୍‌ଙ୍କ ଉପରୋକ୍ତ ମନ୍ତବ୍ୟ ହେଉଛି ଏକ ନିଷ୍ଠୁର ସତ୍ୟ ଏବଂ ଘୋଷଣା କରିଥିଲେ: ‘‘… ଆମକୁ ସଂସ୍କାର ଆଣିବାକୁ ହେବ ଓ ନିଶ୍ଚିତ କରିବାକୁ ହେବ ଯେ ନ୍ୟାୟ ଏକ ମରୀଚିକା ନୁହେଁ, ଏହା ହେଉଛି ସମସ୍ତଙ୍କ ପାଇଁ ଏକ ମୂର୍ତ୍ତିମନ୍ତ ବାସ୍ତବତା।’’
ମନେ ହେଉଛି ସର୍ବୋଚ୍ଚ ଅଦାଲତ ଦେଇଥିବା ଏଇ ଆହ୍ବାନ ତାଙ୍କର ନିଜ କାନରେ ମଧ୍ୟ ପଡ଼ିଛି। କାରଣ ଏକ ସଦ୍ୟ ପ୍ରକାଶିତ ରିପୋର୍ଟ ଅନୁସାରେ ସୁପ୍ରିମ୍ କୋର୍ଟରେ ଫଇସଲା ହେଉଥିବା ମାମଲା ସଂଖ୍ୟାରେ ଇତିମଧ୍ୟରେ ଏକ ଉଲ୍ଲେଖନୀୟ ଉନ୍ନତି ପରିଲକ୍ଷିତ ହୋଇଛି। ସୂଚନାଯୋଗ୍ୟ ଯେ ଅଦାଲତଙ୍କର କାର୍ଯ୍ୟଦକ୍ଷତାରେ ଉନ୍ନତି ଘଟାଇବା ଉଦ୍ଦେଶ୍ୟରେ ୨୦୧୭ରେ ‘ଇଣ୍ଟିଗ୍ରେଟେଡ୍ କେସ୍ ମ୍ୟାନେଜ୍‌ମେଣ୍ଟ୍ ଇନ୍‌ଫର୍ମେସନ୍ ସିଷ୍ଟମ୍’ (‘ଆଇସିଏମ୍‌ଆଇଏସ୍’) ନାମକ ଏକ କାଗଜହୀନ କାର୍ଯ୍ୟପ୍ରଣାଳୀ କାର୍ଯ୍ୟକାରୀ ହୋଇଥିଲା। ତା’ ପରଠାରୁ ମାମଲା ଫଇସଲା ସଂଖ୍ୟାରେ ଯେଉଁ ବୃଦ୍ଧି ଦେଖାଦେଇଛି, ତାହା ସର୍ବାଧିକ ହୋଇଛି ୨୦୨୩ରେ। ଏହାର ପ୍ରମାଣ ସ୍ବରୂପ ୨୦୨୩ ଡିସେମ୍ବର ୧୫ ସୁଦ୍ଧା ଏଇ ବର୍ଷ‌ର ସର୍ବୋଚ୍ଚ ଅଦାଲତଙ୍କ ଦ୍ବାରା ଅନ୍ତିମ ଫଇସଲା ସଂପୂର୍ଣ୍ଣ ହୋଇଥିବା ମାମଲା ସଂଖ୍ୟା ଛୁଇଁଥିଲା ୫୨,୧୯୧, ଯାହା ଏହାର ପୂର୍ବ ବର୍ଷ ଅର୍ଥାତ୍ ୨୦୨୨ରେ ଚୂଡ଼ାନ୍ତ ହୋଇଥିବା ୩୯,୮୦୦ ମାମଲା ସଂଖ୍ୟା ଠାରୁ ହେଉଛି ୩୩ ଶତାଂଶ ଅଧିକ। ମାମଲା ଫଇସଲାକୁ ତ୍ବରାନ୍ବିତ କରିବା ପାଇଁ ସୁପ୍ରିମ୍ କୋର୍ଟ ଆରମ୍ଭ କରିଥିବା ଆନ୍ତରିକ ଉଦ୍ୟମର ଏହା ହେଉଛି ଏକ ସ୍ବାଗତଯୋଗ୍ୟ ସୁଫଳ।
ଅବଶ୍ୟ ସୁପ୍ରିମ୍ କୋର୍ଟର ସାତଜଣିଆ ଓ ନ’ଜଣିଅା ସାଂବିଧାନିକ ବେଞ୍ଚ୍‌ରେ ତଥାପି କେତେଗୁଡ଼ିଏ ଗୁରୁତ୍ବପୂର୍ଣ୍ଣ ମାମଲା ଏ ପର୍ଯ୍ୟନ୍ତ ନିଷ୍ପତ୍ତି ଅପେକ୍ଷାରେ ପଡ଼ିରହିଛନ୍ତି; କିନ୍ତୁ ସନ୍ତୋଷଜନକ ଭାବରେ ପାଞ୍ଚଜଣିଆ ସାଂବିଧାନିକ ବେଞ୍ଚ୍ ସମ୍ମୁଖରେ ଅପେକ୍ଷମାଣ ମାମଲା ସଂଖ୍ୟା ଏଇ ସମୟରେ ୩୬ରୁ ହ୍ରାସ ପାଇ ହୋଇଛି ୧୯, ଅର୍ଥାତ୍ ପାଖାପାଖି ୫୦ ପ୍ରତିଶତ ହ୍ରାସ। ନିର୍ବାଚନୀ ବଣ୍ଡ୍, ଶବରୀମାଳା ମନ୍ଦିରରେ ମହିଳାଙ୍କ ପ୍ରବେଶ ଭଳି ଗୁରୁତ୍ବପୂର୍ଣ୍ଣ ମାମଲାମାନ କିନ୍ତୁ ଅଦାଲତଙ୍କ ନିଷ୍ପତ୍ତିକୁ ଅପେକ୍ଷା କରି ରହିଛନ୍ତି।
ମାମଲା ଫଇସଲାର ବେଗ ବୃଦ୍ଧି ପାଇଁ ଅଦାଲତ ଉନ୍ନତ ପ୍ରବିଧିର ସାହାଯ୍ୟ ନେଇଛନ୍ତି। ଏହାର ଏକ ସୁଫଳ ସ୍ବରୂପ ମାମଲାଗୁଡ଼ିକୁ ଯାଞ୍ଚ କରି ତାଲିକାଭୁକ୍ତ କରିବା ପାଇଁ ପୂର୍ବରୁ ହାରାହାରି ୧୦ ଦିନ ସମୟ ଲାଗୁଥିବା ବେଳେ ବର୍ତ୍ତମାନ ତାହା ୭ ଦିନକୁ ହ୍ରାସ ପାଇଛି। ସେତିକି ନୁହେଁ, ଯାହା ଅଦାଲତ ଉପରେ ସାଧାରଣ ନାଗରିକର ବିଶ୍ବାସକୁ ଦୃଢ଼ୀଭୂତ କରିଥାଏ, ତାହା ହେଲା, ବ୍ୟକ୍ତି ସ୍ବାଧୀନତାକୁ ପ୍ରଭାବିତ କରୁଥିବା ଜାମିନ୍, ହାବିଆସ୍ କର୍ପସ୍, ଉଚ୍ଛେଦ, ଡେମୋଲିସନ୍ ଆଦି ମାମଲାଗୁଡ଼ିକ ଗୋଟିଏ ଦିନରେ ଯାଞ୍ଚ ହୋଇ ତାଲିକାଭୁକ୍ତ ହୋଇଥିବା ମଧ୍ୟ ଦେଖାଯାଇଛି। ଗ୍ରୀଷ୍ମ ଅବକାଶରେ ମଧ୍ୟ ଏହି କାର୍ଯ୍ୟ ଚାଲୁ ରହିଥିଲା। ‘ନେସନାଲ୍ ଜୁଡିସିଆଲ୍ ଡେଟା ଗ୍ରିଡ୍’ ସହିତ ଅଦାଲତକୁ ସଂଯୁକ୍ତ କରାଯିବା ଦ୍ବାରା ମାମଲାମାନଙ୍କର ତାତ୍‌କାଳିକ ସ୍ଥିତି ଉପରେ ନଜର ରଖିବା ସମ୍ଭବ ହୋଇପାରୁଛି।
କିନ୍ତୁ ସାଧାରଣ ନାଗରିକମାନଙ୍କ ପାଇଁ ଯାହା ଅଧିକ ଚିନ୍ତାଜନକ ତାହା ସର୍ବୋଚ୍ଚ ଅଦାଲତରେ ପଡ଼ି ରହିଥିବା ମାମଲାମାନ ନୁହେଁ, ତାହା ହେଉଛି ହାଇକୋର୍ଟ ଓ ତଳ କୋର୍ଟମାନଙ୍କରେ ସୃଷ୍ଟି ହୋଇଥିବା ବାକିଆ ମାମଲାମାନଙ୍କର ପାହାଡ଼। ୨୦୨୩ ଜୁଲାଇ ସୁଦ୍ଧା ହାଇକୋର୍ଟମାନଙ୍କରେ ଛ’ଲକ୍ଷରୁ ଅଧିକ ସଂଖ୍ୟକ ମାମଲା ଅସଂପୂର୍ଣ୍ଣ ଅବସ୍ଥାରେ ଥିବାବେଳେ ତଳ କୋର୍ଟମାନଙ୍କରେ ଏଭଳି ବିଚାରାଧୀନ ମାମଲାମାନଙ୍କର ସଂଖ୍ୟା ଥିଲା ୪.୪ କୋଟିରୁ ଅଧିକ। ନ୍ୟାୟ ପ୍ରଦାନରେ ଦେଖାଯାଉଥିବା ଏଭଳି ଅତିରିକ୍ତ ବିଳମ୍ବର ମୁଖ୍ୟ କାରଣମାନ ହେଉଛନ୍ତି- ଯଥେଷ୍ଟ ସଂଖ୍ୟକ ବିଚାରପତିଙ୍କ ଅଭାବ, ଆବଶ୍ୟକ ଭିତ୍ତିଭୂମି ଓ ସହାୟକ କର୍ମଚାରୀଙ୍କ ଅଭାବ, ଅଦକ୍ଷ ପ୍ରକ୍ରିୟା, ବାରମ୍ବାର ମହଲତ ଇତ୍ୟାଦି। ଏହା ସତ ଯେ ପରିସ୍ଥିତିରେ ଉନ୍ନତି ପାଇଁ ଆମ ନ୍ୟାୟପାଳିକାକୁ ତା’ର ପାରମ୍ପରିକ ଔପନିବେଶିକ ମାନସିକତା ପରିହାର କରି ନିଜର ଦକ୍ଷତା ବୃଦ୍ଧି କରିବାକୁ ପଡ଼ିବ। କିନ୍ତୁ ଏଥିରେ ସରକାରଙ୍କ ଭୂମିକା ମଧ୍ୟ ଅନୁରୂପ ଭାବରେ ଗୁରୁତ୍ବପୂର୍ଣ୍ଣ, କାରଣ ବିଚାରପତି ନିଯୁକ୍ତି ଠାରୁ ଭିତ୍ତିଭୂମି ନିର୍ମାଣ ପର୍ଯ୍ୟନ୍ତ ସରକାରଙ୍କ ସହଯୋଗ ବିନା ସମ୍ଭବ ନୁହେଁ। ଆଶା କରାଯାଏ ସୁପ୍ରିମ୍ କୋର୍ଟ ପ୍ରଦର୍ଶନ କରିଥିବା ଆଦର୍ଶ ଉଭୟ ପକ୍ଷଙ୍କୁ ଏହି ସ‌ହଯୋଗ ପଥରେ ଦ୍ରୁତ ଅଗ୍ରସର ହେବା ପାଇଁ ଉତ୍ସାହିତ କରିବ, ଯେପରି ଅଚି‌େର ନ୍ୟାୟ ନୁହେଁ, ବିଳମ୍ବିତ ନ୍ୟାୟ ରୂପକ କଚ୍ଛପ କବର ପାଇ ଇତିହାସରେ ପରିଣତ ହେବ।

ସମ୍ବନ୍ଧିତ ଖବର