ଲକ୍ଷ୍ୟ ୨୦୪୭

କହିବା ନିଷ୍ପ୍ରୟୋଜନ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବକ୍ତବ୍ୟମାନରେ ସର୍ବଦା ଦୂର ଭବିଷ୍ୟତ୍‌ର ପରିକଳ୍ପନା ରହିଥାଏ, ଯହିଁରେ ଆଗାମୀ ଶହେ ବର୍ଷ ବା ଅର୍ଧ ଶତାବ୍ଦୀ ପରବର୍ତ୍ତୀ ଭାରତର ଚିତ୍ର ପ୍ରଦାନ କରିବାର ପ୍ରୟାସ ସେ କରିଥାଆନ୍ତି। ତେଣୁ, ଅନେକ ବିଶେଷଜ୍ଞ କହନ୍ତିି ଯେ ଏହା ମାଧ୍ୟମରେ ସେ ଭାରତୀୟମାନଙ୍କ ମଧ୍ୟରେ, ବିଶେଷ କରି ଯୁବବର୍ଗ ଭିତରେ, ‘ଆସ୍‌ପିରେସନ୍‌’ ବା ସ୍ବପ୍ନ ସଂଚାର କରିପାରିଛନ୍ତି। ସେହି ପରିପ୍ରେକ୍ଷୀରେ ଏହି ବଜେଟ୍‌ରୁ ଯେଉଁ ଆଭାସ ମିଳିଥାଏ, ତାହା ହେଲା ଜୁଲାଇ ମାସର ପୂର୍ଣ୍ଣାଙ୍ଗ ବଜେଟ୍‌ରେ ମଧ୍ୟ ‘ମାଗଣା ବା ରିହାତି’ ଭଳି ତାତ୍କାଳିକ ଲାଭ ପ୍ରଦାୟକ ଯୋଜନାର ଆବିର୍ଭାବ ଘଟିବ ନାହିଁ।

ପ୍ରତି ନିର୍ବାଚନ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ସଂସଦରେ ମଧ୍ୟବର୍ତ୍ତୀକାଳୀନ ବଜେଟ୍‌ ଉପସ୍ଥାପିତ ହୋଇଛି, ଯାହା ଅନେକ ଦୃଷ୍ଟିରୁ ପୂର୍ବର ମଧ୍ୟବର୍ତ୍ତୀକାଳୀନ ବଜେଟ୍‌ଗୁଡ଼ିକ ଠାରୁ ଭିନ୍ନ ଏବଂ ସେଗୁଡ଼ିକ ତୁଳନାରେ ନିଷ୍ପ୍ରଭ ମଧ୍ୟ। ଏହା ସୁବିଦିତ ଯେ କେନ୍ଦ୍ରରେ କ୍ଷମତାସୀନ ଯେ କୌଣସି ସରକାର ଦ୍ବାରଦେଶରେ ଉପନୀତ ନିର୍ବାଚନକୁ ଦୃଷ୍ଟିରେ ରଖି ମଧ୍ୟବର୍ତ୍ତୀକାଳୀନ ବଜେଟ୍‌ଗୁଡ଼ିକୁ ଭୋଟ ହାସଲ କରିବାର ଏକ ଅନ୍ତିମ ସୁଯୋଗ ରୂପେ ବ୍ୟବହାର କରିଥାଏ; ଯେଉଁ କାରଣରୁ ଏଥିରେ ଗଣ-ପ୍ରଲୁବ୍‌ଧକ ପ୍ରତିଶ୍ରୁତିମାନ ପ୍ରଦାନ କରାଯାଇଥାଏ। ଏହା ପୂର୍ବରୁ ୨୦୧୯ ମସିହାର ମଧ୍ୟବର୍ତ୍ତୀକାଳୀନ ବଜେଟ୍‌ରେ ଏହି ଏନ୍‌.ଡି.ଏ. ସରକାରଙ୍କ ପକ୍ଷରୁ ‘ପି.ଏମ୍‌. କିଷ‌ାନ ଯୋଜନା’ ଏବଂ ଆୟ କରରେ ଅନେକ ରିହାତି ଆଦି ନେଇ ପ୍ରତିଶ୍ରୁତି ଦିଆଯାଇଥିଲା। ତେଣୁ ସ୍ବାଭାବିକ ଭାବେ ପ୍ରଶ୍ନ ଉଠିଥାଏ ଯେ ଏଭଳି ସ୍ଥଳେ ଏହି ବଜେଟ୍‌ଟି ଅତି ସାଧାରଣ, ଏପରି କି ଅନେକଙ୍କ ଚକ୍ଷୁରେ ସଂପୂର୍ଣ୍ଣ ରୋମାଞ୍ଚଶୂନ୍ୟ ହେବାର କାରଣ କ’ଣ? ଅବଶ୍ୟ, ବଜେଟ୍‌ଗୁଡ଼ିକ ମୂଳତଃ ରାଷ୍ଟ୍ରର ଅର୍ଥନୀତି ଏବଂ କେନ୍ଦ୍ର ସରକାରଙ୍କ ବାର୍ଷିକ ଆୟ-ବ୍ୟୟର ଅଟକଳ ସମ୍ବଳିତ ଦସ୍ତାବିଜ ହୋଇଥାଆନ୍ତି। କିନ୍ତୁ, ସାମାନ୍ୟ ଗଭୀର ଦୃଷ୍ଟିରେ ତହିଁରୁ ସରକାରଙ୍କ ରାଜନୈତିକ ଏବଂ ସାମାଜିକ ଆଭିମୁଖ୍ୟ ସ୍ପଷ୍ଟ-ଅସ୍ପଷ୍ଟ ରୂପେ ଦିଶିଯାଇଥାଏ। କେବଳ ସେତିକି ନୁହେଁ, ନିଜର ସ୍ଥିତି ନେଇ ସରକାରଙ୍କ ଆତ୍ମ-ପ୍ରତ୍ୟୟ କେତେ, ସେ ସମ୍ବନ୍ଧରେ ମଧ୍ୟ ଏକ ଧାରଣା ଏଥିରୁ ମିଳିପାରେ। ଏହି ସବୁ ଦୃଷ୍ଟିକୋଣରୁ ସଦ୍ୟ ଉପସ୍ଥାପିତ ବଜେଟ ଉପରେ ଏକ କ୍ଷୁଦ୍ର ଆଲୋଚନା ପ୍ରାସଙ୍ଗିକ ଭଳି ମନେ ହୋଇଥାଏ।
ପ୍ରଥମେ ବଜେଟ୍‌ରେ ନିହିତ କେତେକ ପ୍ରମୁଖ ବିନ୍ଦୁ ଉପରେ କ୍ଷିପ୍ର ଦୃଷ୍ଟି ନିକ୍ଷେପ କରାଯାଉ। ୨୦୪୭ ମସିହା ସୁଦ୍ଧା ଭାରତକୁ ଏକ ପୂର୍ଣ୍ଣ ବିକଶିତ ରାଷ୍ଟ୍ରରେ ପରିଣତ କରିବାର ଲକ୍ଷ୍ୟ ସ୍ଥିର କରି ଏହି ବଜେଟ୍‌ ପ୍ରସ୍ତୁତ କରାଯାଇଛି। ସୁତରାଂ, ଏଥିରେ ଭିତ୍ତିଭୂମିର ବିକାଶ, ବିଭିନ୍ନ ବର୍ଗର ସଶକ୍ତୀକରଣ, ସବୁଜ ଶକ୍ତି ବିକାଶ ଦିଗରେ ପ୍ରୋତ୍ସାହନ ଓ ଜନ-ଅଂଶୀଦାରି ଭଳି ବିଷୟ ଗୁରୁତ୍ବ ଲାଭ କରିଛି। ଏହି ବଜେଟ୍‌ ଆୟକର ବ୍ୟବସ୍ଥାରେ କୌଣସି ପରିବର୍ତ୍ତନ ଘଟାଇନାହିଁ ଏବଂ କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ପ୍ରଦତ୍ତ ସୂଚନା ଅନୁସାରେ ଗଲା ଦଶ ବର୍ଷ ମଧ୍ୟରେ ଆୟକରଦାତାଙ୍କ ସଂଖ୍ୟା ୨.୪ ଗୁଣ ବୃଦ୍ଧି ପାଇବା ସହିତ ପ୍ରତ୍ୟକ୍ଷ କର ରାଜସ୍ବରେ ତିନି ଗୁଣ ବୃଦ୍ଧି ସମ୍ଭବ ହୋଇଛି। ବଜେଟ୍‌ ପାଠ କରୁଥିବା ବେଳେ ଅର୍ଥମନ୍ତ୍ରୀ ସୀତାରମଣ ଟିକସଦାତାମାନଙ୍କ ଅବଦାନର ପ୍ରଶଂସା କରିଥିବା ପରିପ୍ରେକ୍ଷୀରେ ଅନେକ ମତ ଦିଅନ୍ତି ଯେ ସେହି ଧନ୍ୟବାଦ ଜ୍ଞାପନର ଭାବ ଟିକସ ବ୍ୟବସ୍ଥାକୁ ଅପରିବର୍ତ୍ତିତ ରଖିବାରେ ପ୍ରଦର୍ଶିତ ହୋଇଛି। ପ୍ରତି ବଜେଟ୍‌ ଭଳି ଏହି ବଜେଟ୍‌ରେ ମଧ୍ୟ ବିତ୍ତୀୟ ନିଅଣ୍ଟରେ ହ୍ରାସ ଘଟାଇବା ଲାଗି ପ୍ରୟାସର ପ୍ରତିଶ୍ରୁତି ରହିଛି। ତେବେ, ମୂଳ କଥା ହେଲା ଏକ ବିକାଶଶୀଳ ଦେଶ ରୂପେ ନୁହେଁ ବରଂ ଏକ ବିକଶିତ ରାଷ୍ଟ୍ର ଭାବେ ପରିଚୟ ସୃଷ୍ଟି କରିବା ଲାଗି ଏହି ‌ବଜେଟ୍‌ରେ ଆହ୍ବାନ ରହିଛି। ଅନେକଙ୍କ ମତରେ ଏହି ବଜେଟ୍‌ରେ ଆଶା ଜାଗ୍ରତ କରିବା ଭଳି ବିଶେଷ କିଛି ପରିଦୃଷ୍ଟ ହେଉ ନ ଥିଲେ ମଧ୍ୟ ଏହା ହୃଦ୍‌ବୋଧ କରିହୁଏ ଯେ ଏଥିରେ ବିକଶିତ ଭାରତର ସ୍ବପ୍ନ ସାକାର କରିବା ଲାଗି ଭିତ୍ତି ପ୍ରସ୍ତର ପକାଇବାର ଉଦ୍ୟମ ହୋଇଛି।
ପ୍ରକାଶ ଥାଉ କି, ୨୦୪୭ ମସିହା ସୁଦ୍ଧା ଭାରତକୁ ଏକ ପୂର୍ଣ୍ଣ ବିକଶିତ ରାଷ୍ଟ୍ରରେ ପରିଣତ କରିବା ପାଇଁ ଆସନ୍ତା ୨୩ ବର୍ଷର ସମୟ ଖଣ୍ଡକୁ ‘କର୍ତ୍ତବ୍ୟ କାଳ’ ରୂପେ ବିବେଚନା କରିବା ଲାଗି ଏହି ବଜେଟ୍‌ରେ ଆହ୍ବାନ ଦିଆଯାଇଛି। ସୁତରାଂ, ରାଷ୍ଟ୍ର ଗଠନରେ ନାଗରିକମାନଙ୍କ ଅଧିକ ସକ୍ରିୟ ଭୂମିକା ଆଶା କରାଯାଉଛି ଏବଂ ଏହି ପରିପ୍ରେକ୍ଷୀରେ ଏଭଳି ଅନୁମାନ ଆଦୌ ଅମୂଳକ ହେବ ନାହିଁ ଯେ କ୍ରମେ ‘ମାଗଣା ବଣ୍ଟନ ବା ରିହାତି’ ବ୍ୟବସ୍ଥାର ପରିସମାପ୍ତି ଘଟିବାକୁ ଯାଉଛି ଏବଂ ତା’ ପରିବର୍ତ୍ତେ ସଶକ୍ତୀକରଣ ଅଧିକ ଗୁରୁତ୍ବ ଲାଭ କରିବ। ତେଣୁ ସମ୍ଭବତଃ ଏହି ବଜେଟ୍‌ରେ ଜନ-ପ୍ରଲୁବ୍‌ଧକ ଯୋଜନାଗୁଡ଼ିକର ଘୋଷଣା ଦେଖିବାକୁ ମିଳି ନ ଥାଏ। ଅର୍ଥ ମନ୍ତ୍ରୀଙ୍କ ବଜେଟ୍‌ ଅଭିଭାଷଣ କହିଛି ଯେ ଦେଶର ବିକାଶ ପ୍ରକ୍ରିୟାରେ ସବୁ ଜାତି ଏବଂ ସବୁ ବର୍ଗର ଲୋକଙ୍କୁ ଅନ୍ତର୍ଭୁକ୍ତ କରାଯିବ; ଅର୍ଥାତ୍‌ ‘ସବ୍‌କା ବିକାଶ।’ ସୁତରାଂ, ‘ଜାତିବାଦୀ ସାମାଜିକ ନ୍ୟାୟ’ ଭିତ୍ତିିକ ରାଜନୀତିରୁ ଏହା ପାଦେ ଦୂରେଇଛି। ଏହି ସଂଦର୍ଭରେ ବଜେଟ‌୍‌ରେ ଯେଉଁ ନୂତନ ଚାରିଟି ଜାତି ବିଷୟ ଉଲ୍ଲେଖ କରି ସେମାନଙ୍କ ଉତ୍‌ଥାନ ନେଇ ଅଙ୍ଗୀକାରବଦ୍ଧତା ପ୍ରଦାନ କରାଯାଇଛି, ସେଗୁଡ଼ିକ ହେଲେ ଗରିବ, ମହିଳା, ଯୁବ ବର୍ଗ ଏବଂ ଅନ୍ନଦାତା ବା କୃଷକ। ସୁତରାଂ, ଏଣିକି ନୂଆ ଲାଭାର୍ଥୀ ବା ହିତାଧିକାରୀମାନଙ୍କୁ ସଂପ୍ରଦାୟ, ଜାତି, ଲିଙ୍ଗ ଓ ବୟସ ନିର୍ବିଶେଷରେ ଭାରତୀୟ ସର୍ବସାଧାରଣଙ୍କ ମଧ୍ୟରେ ଚିହ୍ନଟ କରାଯିବ। କହିବା ଅନାବଶ୍ୟକ ଯେ ଦେଶରେ ସର୍ବ ପ୍ରଥମ ଜାତି-ଭିତ୍ତିକ ଜନଗଣନାର ଫଳାଫଳ ଘୋଷଣା କରିବାର ସାହସ ପ୍ରଦର୍ଶନ କରିଥିବା ‘ଜେଡି-ୟୁ’ ମୁଖ୍ୟ ତଥା ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ପୁନର୍ବାର ଏନ୍‌ଡିଏ ଅଂଶୀଭୂତ କରାଇ ନେଇ ‘ନିହାତି ପଛୁଆ ଜାତି’ର ଏହି ପ୍ରମୁଖ ସ୍ବରକୁ ଦୁର୍ବଳ କରି ଦିଆଯାଇଛି ଏବଂ ସ୍ବୟଂ ପ୍ରଧାନମନ୍ତ୍ରୀ ଆପଣାକୁ ‘ଓବିସି’ର ପ୍ରତିନିଧି ରୂପେ ଉପସ୍ଥାପନ କରି ‘ଅନ୍ୟାନ୍ୟ ପଛୁଆ ଜାତି’ର ସମର୍ଥନ ଲାଭ କରିବା ସହିତ ‘ବ୍ରାହ୍ମଣ ଏବଂ ବଣିଆ’ଙ୍କ ଦଳ ଭାବେ ବିଜେପି ପ୍ରତି ଲାଗୁଥିବା ପାରଂପରିକ ଆରୋପକୁ ହୀନପ୍ରଭ କରି ସାରିଲେଣି। ଅନେକ ପର୍ଯ୍ୟବେକ୍ଷକଙ୍କ ଦୃଷ୍ଟିରେ ଏହି ବଜେଟ୍‌ ଏକ ପ୍ରତ୍ୟୟବାନ ସରକାରଙ୍କ ଅଭିବ୍ୟକ୍ତି, ଯାହା ରାଜନୈତିକ ଲାଭ ସକାଶେ କେତେକ ପାରଂପରିକ ଅବଲମ୍ବନକୁ ଆଶ୍ରା କରିବାକୁ ଅନିଚ୍ଛୁକ।
ଆସନ୍ତା ଜୁଲାଇ ମାସରେ ଏହି ସରକାର ପୂର୍ଣ୍ଣାଙ୍ଗ ବଜେଟ୍‌ ଉପସ୍ଥାପନ କରିବେ ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି। ଏହାର ଅର୍ଥ ୨୦୨୪ ମସିହା ନିର୍ବାଚନ ପରେ ପୁନର୍ବାର କ୍ଷମତାସୀନ ହେବ ବୋଲି ଏହି ସରକାର ନିଶ୍ଚିତ। ସେଥି ଲାଗି ହୁଏତ ନିର୍ବାଚନ ପୂର୍ବବର୍ତ୍ତୀ ବଜେଟ୍‌ଗୁଡ଼ିକ ଭଳି ଏଥିରେ ପ୍ରଲୁବ୍‌ଧକ ଘୋଷଣାମାନ ନାହିଁ; ବରଂ ଧାରଣା ଦେବାକୁ ଚେଷ୍ଟା କରାଯାଇଛି ଯେ ସମୀପ ଦୃଷ୍ଟିରେ ସହସା ଲାଭକୁ ନ ଦେଖି ଦୂରଦୃଷ୍ଟିର ସହିତ ରାଷ୍ଟ୍ରର ଭବିଷ୍ୟତ୍ ଦିଗରେ ଅବଲୋକନ କରାଯିବା ଆବଶ୍ୟକ। କହିବା ନିଷ୍ପ୍ରୟୋଜନ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବକ୍ତବ୍ୟମାନରେ ସର୍ବଦା ଦୂର ଭବିଷ୍ୟତ୍‌ର ପରିକଳ୍ପନା ରହିଥାଏ, ଯହିଁରେ ଆଗାମୀ ଶହେ ବର୍ଷ ବା ଅର୍ଧ ଶତାବ୍ଦୀ ପରବର୍ତ୍ତୀ ଭାରତର ଚିତ୍ର ପ୍ରଦାନ କରିବାର ପ୍ରୟାସ ସେ କରିଥାଆନ୍ତି। ତେଣୁ, ଅନେକ ବିଶେଷଜ୍ଞ କହନ୍ତିି ଯେ ଏହା ମାଧ୍ୟମରେ ସେ ଭାରତୀୟମାନଙ୍କ ମଧ୍ୟରେ, ବିଶେଷ କରି ଯୁବବର୍ଗ ଭିତରେ, ‘ଆସ୍‌ପିରେସନ୍‌’ ବା ସ୍ବପ୍ନ ସଂଚାର କରିପାରିଛନ୍ତି। ସେହି ପରିପ୍ରେକ୍ଷୀରେ ଏହି ବଜେଟ୍‌ରୁ ଯେଉଁ ଆଭାସ ମିଳିଥାଏ, ତାହା ହେଲା ଜୁଲାଇ ମାସର ପୂର୍ଣ୍ଣାଙ୍ଗ ବଜେଟ୍‌ରେ ମଧ୍ୟ ‘ମାଗଣା ବା ରିହାତି’ ଭଳି ତାତ୍କାଳିକ ଲାଭ ପ୍ରଦାୟକ ଯୋଜନାର ଆବିର୍ଭାବ ଘଟିବ ନାହିଁ। ବରଂ ସେଥିରେ ଏକ ପ୍ରତ୍ୟୟଭରା ଓ ବିକଶିତ ଭାରତର ପ୍ରସ୍ତୁତି ଲାଗି ଉଦ୍ୟମ ହେବ; ଅର୍ଥାତ୍‌ ଲକ୍ଷ୍ୟ ୨୦୪୭।

ସମ୍ବନ୍ଧିତ ଖବର