ଜଙ୍ଗଲ ଭିତର ବାଘ

କଥାଟିଏ-ଯାଯାବର

ଗୋଟିଏ ଗାଁକୁ ଘେରି ରହିଥିଲା ଅଗନାଅଗନି ଜଙ୍ଗଲ। ଜଙ୍ଗଲ ଡେଇଁ ଗାଁ ଲୋକେ କେବେ ବାହାରକୁ ଯାଇଥିବା କଥା ସ୍ମରଣରେ ନ ଥିଲା। କେହି ଜଣେ ଗାଁର କେଉଁ ପୂର୍ବଜକୁ କହିଦେଇ ଯାଇଥିଲା ଯେ ଖବରଦାର, ଜଙ୍ଗଲ ଭିତରକୁ ପଶିବ ନାହିଁ। ଏ ଜଙ୍ଗଲରେ ବାଘ ଅଛି। ସେଇ ଦିନ ଠାରୁ କେହି ଆଉ ଜଙ୍ଗଲରେ ପଶୁ ନ ଥିଲେ।
କିନ୍ତୁ ଥରେ ଗାଁରେ ଦୁଇ ସାଙ୍ଗ ସ୍ଥିର କଲେ ଜଙ୍ଗଲ ପାର କରି ଆର ପଟକୁ ଯିବେ। ତା’ ନ ହେଲେ ଯୁଗ ସହିତ ଚାଲିବା ସମ୍ଭବ ହେବ ନାହିଁ।
ଜଣେ କହିଲା- ଏବେ ବାହାର, ଯିବା। ଆର ସାଙ୍ଗଟି କହିଲା- ତରତର ହେଉଛୁ କାହିଁକି? ପ୍ରସ୍ତୁତ ନ ହେଲେ ଯାଇ ହେବନାହିଁ।
ପ୍ରଥମ ସାଙ୍ଗଟି କହିଲା- ଠିକ୍‌ ଅଛି, ତୁ ପ୍ରସ୍ତୁତ ହେଲେ ଜଣାଇବୁ। ବାହାରିବା।
ଦ୍ବିତୀୟ ସାଙ୍ଗଟି ତା’ ପରେ ଯାଇ ପ୍ରସ୍ତୁତ ହେବାରେ ଲାଗିଲା। ବାଘ ସହିତ ମୁକାବିଲା କରିବା ଲାଗି ଯେଉଁ ଭଳି ଶାରୀରିକ ସାମର୍ଥ୍ୟ ଲୋଡ଼ା ତାହା ହାସଲ କରିବାକୁ ଲାଗିଲା। କିଛି ଦିନ ଭିତରେ ସେ ହୋଇ ଉଠିଲା ଜଣେ ଅମାପ ବଳଶାଳୀ ତରୁଣ। ଗୋଟିଏ ନୁହେଁ ଦୁଇ ଦୁଇଟି ବାଘ ଏକା ସାଙ୍ଗରେ କାବୁ କରିବା ଭଳି ତାକତ ତା’ର ହୋଇଗଲା। ତା’ ପରେ ସେ ଦିନେ ତା’ର ବନ୍ଧୁକୁ ଡାକି କହିଲା- ଏବେ ବାହାରିବା।
ଦୁହେଁ ଚାଲିଲେ। ପ୍ରଥମ ସାଙ୍ଗଟି ପୂର୍ବ ଭଳି ହୋଇ ରହିଥିଲା, କିନ୍ତୁ ଦ୍ବିତୀୟ ହୋଇଯାଇଥିଲା ଏକ ବିଶାଳ ବପୁବନ୍ତ ପୁରୁଷ।
ଦୁହେଁ ଜଙ୍ଗଲ ଧାରରେ ପହଞ୍ଚିଲେ। କିନ୍ତୁ ଭିତରକୁ ପଶିବା ବେଳକୁ ବପୁବନ୍ତ ଅଟକିଗଲା। ପ୍ରଥମ ସାଙ୍ଗଟି ପଚାରିଲା- କାହିଁକି ଅଟକିଗଲୁ?
ଦ୍ବିତୀୟ ସାଙ୍ଗ କହିଲା- ନା, ଭାଇ ଯିବା ନାହିଁ। ବାଘର ଭୟ ଯାଉନାହିଁ।
ଆର ସାଙ୍ଗଟି କହିଲା- ତେବେ ତୁ କିଭଳି ପ୍ରସ୍ତୁତ ହେଉଥିଲୁ? ବାଘକୁ ଲଢ଼େଇରେ ଜିଣିବା ଲାଗି ପ୍ରସ୍ତୁତ ହେବା ଠାରୁ ବାଘର ଭୟ ସହିତ ଯୁଦ୍ଧ କରି ଭୟକୁ ହରାଇଥିଲେ ଭଲ ହୋଇଥାଆନ୍ତା। ମୁଁ ଏଇ ଭିତରେ ତାହା ହାସଲ କରିପାରିଛି। ତେଣୁ ତୁ ଏଇଠି ଥାଆ, ମୁଁ ଚାଲିଲି।
କହିବା ବାହୁଲ୍ୟ, ଜଙ୍ଗଲ ଭିତରକୁ ପଶିଥିବା ଯୁବକ ଆର ପଟକୁ ଯାଇ ଫେରି ଆସିଲା। ସେ ଫେରିବା ସହିତ ବାଘ, ବାଘର ଗୁଜବ ଓ ବାଘର ଭୟ ସବୁ ଦୂର ହୋଇଗଲା।

ସମ୍ବନ୍ଧିତ ଖବର