ନେତାଜୀ ନାମରେ ଖ୍ୟାତ ସୁଭାଷ ବୋଷଙ୍କର ଏହି ବର୍ଷ ୧୨୫ ତମ ଜନ୍ମ ଜୟନ୍ତୀ। ୧୮୯୭ ମସିହା ୨୩ ଜାନୁଆରିରେ ତାଙ୍କର କଟକ ଠାରେ ଜନ୍ମ; ମାତ୍ର ମୃତ୍ୟୁ କେବେ ଏବ˚ କେଉଁଠି- ତାକୁ ନେଇ ସର୍ବଦା ବିବାଦ ରହି ଆସିଛି। ସ୍ବାଧୀନତା ଉତ୍ତାରୁ ନେତାଜୀଙ୍କ ସମ୍ବନ୍ଧରେ ସାଧାରଣସ୍ତରରେ ଯାହିଁ ଯେଉଁଠି ଚର୍ଚ୍ଚା ହୁଏ, ତହିଁରେ ଏହି ବିବାଦ ପ୍ରମୁଖତା ପାଇଥାଏ। ସାଧାରଣ ସତ୍ୟ ହେଲା- ୧୯୪୫ ଅଗଷ୍ଟ ୧୮ ତାରିଖ ଦିନ ତାଙ୍କର ଏକ ବିମାନ ଦୁର୍ଘଟଣାରେ ତାଇଵାନର ତାଇପେଠାରେ ମୃତ୍ୟୁ ହେଲା। କିନ୍ତୁ ଏହାକୁ ମାନୁ ନ ଥିବା ଲୋକ କହନ୍ତି, ଏହି ଘଟଣାର ଅନେକ ବର୍ଷ ପରେ ମଧୢ ନେତାଜୀ ଜୀବିତ ଥିଲେ ଏବ˚ ଯଥୋଚିତ ସମୟରେ ରାଷ୍ଟ୍ରୀୟ ରାଜନୀତିରେ ଅବତରଣ କରିବେ! ପୁଣି, କିଛି ଲୋକଙ୍କ ମତରେ ନେତାଜୀଙ୍କୁ ଲୋକଲୋଚନରୁ ଜାଣିଶୁଣି ଅନ୍ତର୍ହିତ କରାଯାଇଛି, ଅନ୍ୟଥା ସେ ରାଜନୀତିରେ କର୍ତ୍ତୃତ୍ବ ହାସଲ କରି କ୍ଷମତାସୀନ ଭ୍ରଷ୍ଟ ରାଜନେତାମାନଙ୍କର ପର୍ଦ୍ଦାଫାସ୍ କରିଦେବେ! ନେତାଜୀଙ୍କ ମୃତ୍ୟୁ-ବିବାଦର ତଦାରଖ ପାଇଁ ଏକାଧିକ ତଦନ୍ତ କମିସନ ମଧୢ ବସିଛି। ତେବେ, ପରିତାପର ବିଷୟ ହେଲା ଯେ ଏହି ଧରଣର ବିବାଦ ଯୋଗୁଁ ସ୍ବାଧୀନତା ସ˚ଗ୍ରାମରେ ନେତାଜୀଙ୍କର ଐତିହାସିକ ଭୂମିକା, ସ୍ବାଧୀନ ଭାରତକୁ ନେଇ ତାଙ୍କର ଦୃଷ୍ଟିକୋଣ, ଭାରତୀୟ ସମାଜର ବିଭିନ୍ନ ବର୍ଗ ମଧୢରେ ଶାନ୍ତି ଏବ˚ ସୌହାର୍ଦ୍ଦ୍ୟ ସ୍ଥାପନ ଦିଗରେ ତାଙ୍କ ପ୍ରୟାସ ଆଦି ବିଷୟ ସାଧାରଣ ବିଚାର ଆଲୋଚନାରେ ପ୍ରାୟତଃ ସ୍ଥାନ ନେଇ ନ ଥାଏ। ନେତାଜୀ ସୁଭାଷ ବୋଷଙ୍କ ଭଳି ଏକ ଅନନ୍ୟ ରାଷ୍ଟ୍ର-ପୁରୁଷ କେବଳ ବୌଦ୍ଧିକ ଗବେଷଣା ଯାଏ ସୀମିତ ରହିଯାଆନ୍ତି! ଆଶା, ନେତାଜୀଙ୍କ ୧୨୫ ତମ ଜନ୍ମ ଜୟନ୍ତୀରେ ତାଙ୍କ ରାଜନୀତିକ ଗତିବିଧି ଏବ˚ ଦୃଷ୍ଟିକୋଣକୁ ନେଇ ବିସ୍ତାରରେ ଚର୍ଚ୍ଚା ହେବ। ସେହି କ୍ରମରେ ସା˚ପ୍ରଦାୟିକତା ସମ୍ବନ୍ଧରେ ନେତାଜୀଙ୍କ ବିଚାରକୁ ନେଇ ଏକ ସ˚କ୍ଷିପ୍ତ ଆଲୋଚନା।
Sambad is now on WhatsApp
Join and get latest news updates delivered to you via WhatsApp
ନେତାଜୀ ସା˚ପ୍ରଦାୟିକତାର ତୀବ୍ର ବିରୋଧୀ ଥିଲେ ଏବ˚ ସ୍ବାଧୀନତାର ଲକ୍ଷ୍ୟ ହାସଲ ଦିଗରେ ଏହା ଏକ ବଡ଼ ରୋଧକ ବୋଲି ବୁଝିଥିଲେ। ଧର୍ମ ନିରପେକ୍ଷତା ହିଁ ଏକ ବିବିଧତାପୂର୍ଣ୍ଣ ଭାରତୀୟ ସମାଜର ପ୍ରଗତି ମାର୍ଗରେ ଅନୁକୂଳ ହେବ ବୋଲି ସେ ମନେ କରୁଥିଲେ। ‘ଆଜାଦ ହିନ୍ଦ ଫଉଜ’ରେ ତାଙ୍କର ତିନି ପ୍ରମୁଖ ସହଯୋଗୀ ଥିଲେ। ମୁସ୍ଲିମ ଧର୍ମୀ ସାହାନଵାଜ ଖାଁ, ଶିଖ୍ ଧର୍ମୀ ଗୁରୁବକ୍ସ ସି˚ ଧିଲୋଁ ଏବ˚ ହିନ୍ଦୁ ପ୍ରେମ ସେହଗଲ। ଏପ୍ରିଲ ୧୯୪୫ରେ ଜାପାନର ପତନ ସହିତ ‘ଆଜାଦ ହିନ୍ଦ ଫଉଜ’କୁ ଆତ୍ମସମର୍ପଣ କରିବାକୁ ପଡ଼ିଲା। ଏହା ପରେ ‘ଫଉଜ’ର ସେନାନୀଙ୍କୁ ଇ˚ରେଜ ସରକାର ‘ବିଶ୍ବାସଘାତକ’ ବୋଲି କହି ଦଣ୍ତବିଧାନ କରିବା ପାଇଁ ଲାଲକିଲ୍ଲାରେ ୧୯୪୬ରେ ଶୁଣାଣି କଲେ। ସେହି ଶୁଣାଣି ବିରୋଧରେ ସମଗ୍ର ଦେଶରେ ଯେଉଁ ରାଷ୍ଟ୍ରବାଦୀ ଜନଚେତନାର ଜୁଆର ଛୁଟିଲା, ତା’ର ପ୍ରତୀକ ହେଲେ ନେତାଜୀଙ୍କ ରାଜନୈତିକ ଉତ୍ତରାଧିକାରୀ ଏହି ତିନି ଜଣ! ସେମାନେ ଦେଶ ନିମିତ୍ତ ଧର୍ମ ନିରପେକ୍ଷତାକୁ ଏକ ଆବଶ୍ୟକତା ବୋଲି ଚିହ୍ନିତ କଲେ। ପ୍ରାକ୍ ଭାରତ ବିଭାଜନ ଜନିତ ବିଷମୟ ସା˚ପ୍ରଦାୟିକ ପରିବେଶରେ ‘ଆଜାଦ ହିନ୍ଦ’ ସତେ ଯେମିତି ଧର୍ମ ନିରପେକ୍ଷତାର ଆଶା ବାଣୀ ଶୁଣାଇଲା।
ନେତାଜୀଙ୍କୁ ଧାର୍ମିକ ଏବ˚ ସାମାଜିକ ସଦ୍ଭାବନାର ଗୁରୁମନ୍ତ୍ର ବାଲ୍ୟ କାଳରୁ ମିଳିଥିଲା। ଆତ୍ମଜୀବନୀର ପ୍ରଥମା˚ଶ ‘ଇଣ୍ଡିଆନ୍ ପିଲିଗ୍ରିମ୍’ରେ ଏହାର ଉଲ୍ଲେଖ କରି ସେ ଯାହା କହିଛନ୍ତି, ତାହା ହେଲା: ‘ମୁସ୍ଲିମମାନଙ୍କ ପ୍ରତି ମୋର ମାନସିକ ଆଭିମୁଖ୍ୟ ମୋ ଅଜାଣତରେ ମୋର ପିଲା ଦିନର ସଂପର୍କଗୁଡ଼ିକ ଦ୍ବାରା ପ୍ରଭାବିତ ହୋଇଥିଲା।’… ଆମେ ରହୁଥିବା ଅଞ୍ଚଳରେ (କଟକର) ମୁଖ୍ୟତଃ ମୁସଲମାନ ଲୋକ ରହୁଥିଲେ। ଆମର ପଡ଼ୋଶୀ ଥିଲେ ମୁସଲମାନ। ସେମାନେ ବାପାଙ୍କୁ ଏକ ବଡ଼ ଲୋକ ବୋଲି ମନେ କରୁଥିଲେ, ଯେମିତି ମଫସଲ ଲୋକ ମନେ କରନ୍ତି। ଆମେ ସେମାନଙ୍କ ମହରମ୍ ଆଦି ପର୍ବରେ ଯୋଗ ଦେଉଁ ଏବ˚ ସେମାନଙ୍କ ଆଖଡ଼ାରୁ ମନୋର˚ଜନ ଲାଭ କରୁ। ଆମର ମୁସ୍ଲିମ ଚାକରବାକର ଅନ୍ୟ ଚାକରଙ୍କ ଭଳି ଘରେ କାମ କରନ୍ତି। ସ୍କୁଲ୍ରେ ମୋର ଅନେକ ସାଙ୍ଗ ଏବ˚ ଶିକ୍ଷକ ମୁସ୍ଲିମ। … ପ୍ରକୃତରେ ମୋର ମନେ ନାହିଁ, କେବେ ଆମେ ମୁସ୍ଲିମମାନଙ୍କୁ ନିଜ ଠାରୁ ପୃଥକ୍ ମନେ କରୁଥିଲୁ। ପାର୍ଥକ୍ୟ ଏତିକି ଯେ ସେମାନେ ମସ୍ଜିଦକୁ ପ୍ରାର୍ଥନା ପାଇଁ ଯାଆନ୍ତି। ମୋର ପିଲାଦିନେ ହିନ୍ଦୁ ଏବ˚ ମୁସ୍ଲିମ ମଧୢରେ କଳହ ରହୁନଥିଲା। (ପୃ-୬୩)
ଶିଶୁ ସୁଭାଷଙ୍କୁ ଏହିଭଳି ଧାର୍ମିକ ସଦ୍ଭାବର ଦୃଷ୍ଟି ମିଳିଥିଲା। ପିତା ଜାନକୀ ନାଥ ବୋଷଙ୍କ ଠାରୁ ଯିଏ ବ୍ରାହ୍ମ ଧର୍ମର ପ୍ରଭାବରେ ଜାତି-ଧର୍ମର ବିଭେଦକୁ ମାନୁ ନ ଥିଲେ ଏବ˚ ସ˚ସ୍କାରକ କେଶବ ଚନ୍ଦ୍ର ସେନଙ୍କୁ ଗୁରୁତୁଲ୍ୟ ସମ୍ମାନ କରୁଥିଲେ। ଯଦି ଆମେ ଆହୁରି ଅତୀତକୁ ଯିବା ସୁଭାଷଙ୍କ ଏକାଧିକ ପୂର୍ବ-ପୁରୁଷଙ୍କୁ ସେମାନଙ୍କ ପ୍ରଶାସନିକ ଦକ୍ଷତା ପାଇଁ ବଙ୍ଗ ନବାବ ମର୍ଯ୍ୟାଦାସୂଚକ ‘ଖାନ’ ଉପାଧି ପ୍ରଦାନ କରିଥିଲେ। ତାଙ୍କର ଜଣେ ପୂର୍ବପୁରୁଷଙ୍କ ନାଁ ଥିଲା ‘ଇସାନ ଖାନ’। ବୋଷ ପରିବାର ଖୋଳିଥିବା ଏକ ପୋଖରୀକୁ ‘ଖାନ ପୁକୁର’ ବୋଲି ସ୍ଥାନୀୟ ଲୋକ କହୁଥିଲେ। ଜାନକୀନାଥ ବଙ୍ଗରୁ କଟକ ଆସିବା ପରେ ମଧୢ ପୂର୍ବଜଙ୍କ ଠାରୁ ଲାଭ କରିଥିବା ସା˚ପ୍ରଦାୟିକ ସଦ୍ଭାବର ଦୃଷ୍ଟିକୁ ପରିହାର କରି ନ ଥିଲେ। ଏହା ସୁଭାଷଙ୍କ ବ୍ୟକ୍ତିତ୍ବରେ ମଧୢ ସମାହିତ ହେଲା।
ଭାରତୀୟ ସମାଜର ଗଠନରେ ମୁସ୍ଲିମମାନଙ୍କ ଯୋଗଦାନ ଊଣା ନୁହେଁ ବୋଲି ଯୁକ୍ତି କରି ସୁଭାଷ ପୂର୍ବୋଲ୍ଲିଖିତ ପୁସ୍ତକରେ ପୁଣି କହିଛନ୍ତି, ‘ମୋଟ ଭାରତକୁ ଦେଖିଲେ, ବ୍ରିଟିସ୍ କାଳରେ ହେଉ ବା ପୂର୍ବରୁ, ସାର୍ବଜନୀନ ଜୀବନରେ ମୁସ୍ଲିମମାନଙ୍କର ଦାନ କଦାପି ନ୍ୟୂନ ନୁହେଁ। ଆଜି ଆମେ ଯେଉଁ ହିନ୍ଦୁ-ମୁସ୍ଲିମ ଦ୍ବେଷର କଥା ଶୁଣୁ, ତାହା ମୂଳତଃ କୃତ୍ରିମ…। ଏହା ପଛରେ ଆମ ବର୍ତ୍ତମାନର ଶାସକଙ୍କ ହାତ ରହିଛି। ଇତିହାସର ସାକ୍ଷ୍ୟ ଦେଇ ମୁଁ କହିବାକୁ ଚାହେଁ ଯେ ପ୍ରାକ୍-ଇ˚ରେଜ ଅବଧିରେ ମୁସ୍ଲିମ କର୍ତ୍ତୃତ୍ବ କଥା ସମ୍ପୂର୍ଣ୍ଣ ଭ୍ରମାତ୍ମକ। ସେ ଦିଲ୍ଲୀର ମୋଗଲ ବାଦଶାହ ହୁଅନ୍ତୁ କି ବଙ୍ଗର ନବାବ; ପ୍ରଶାସନିକ ତନ୍ତ୍ରର ନିୟନ୍ତ୍ରଣ ରହିଥିଲା ଉଭୟ ହିନ୍ଦୁ ଏବ˚ ମୁସଲମାନଙ୍କ ହାତରେ। ମୁସ୍ଲିମ ଶାସକଙ୍କ ପ୍ରମୁଖ ମନ୍ତ୍ରୀ ଏବ˚ ସେନାଧିକାରୀ ଥିଲେ ହିନ୍ଦୁ ଧର୍ମୀ। ଦେଶରେ ମୋଗଲ ପ୍ରଶାସନିକ ପ୍ରତିଷ୍ଠାର ମୂଳରେ ଥିଲେ ହିନ୍ଦୁ ସେନାପତିମାନେ। ଏପରିକି ୧୭୫୭ରେ ପଲାସୀ ଯୁଦ୍ଧରେ ପରାଜିତ ନବାବ ସିରାଜଉଦ୍ଦୌଲ୍ଲାଙ୍କ ସେନାଧୢକ୍ଷ ଥିଲେ ଜଣେ ହିନ୍ଦୁ ଏବ˚ ୧୮୫୭ର ବିଦ୍ରୋହରେ ସମନ୍ବିତ ଭାବେ କାର୍ଯ୍ୟ କରିଥିଲେ ଉଭୟ ହିନ୍ଦୁ ଓ ମୁସ୍ଲିମ। ମୁସ୍ଲିମଧର୍ମୀ ବାହାଦୁର ଶାହଙ୍କ ମୋଗଲ ପତାକା ତଳେ ସେମାନେ ମିଳିତ ଭାବେ ଇ˚ରେଜ ବିରୋଧରେ ସ˚ଗ୍ରାମ କରିଥିଲେ। (ପୃ.୨୧-୨୨)
ସୁଭାଷ ବୋଷଙ୍କ ମତରେ, ଇ˚ରେଜ ଉପନିବେଶବାଦର ବିରୋଧୀ ଜାତୀୟତା ଆନ୍ଦୋଳନ ଠାରୁ ସୁରକ୍ଷିତ ଦୂରରେ ରହିବା ପାଇଁ ହିନ୍ଦୁ ଏବ˚ ମୁସଲିମ ସାଂପ୍ରଦାୟିକତାର ସୃଷ୍ଟି କରାଯାଇଥିଲା। ସା˚ପ୍ରଦାୟିକ ତତ୍ତ୍ବମାନେ କଦାପି ଜାତୀୟତା ଆନ୍ଦୋଳନର ପାଖ ମାଡ଼ନ୍ତି ନାହିଁ। ସେହି ଦୃଷ୍ଟିରୁ ଉଭୟ ହିନ୍ଦୁ ଓ ମୁସ୍ଲିମ ସା˚ପ୍ରଦାୟିକତା ସୁବିଧାବାଦୀ ଏବ˚ ଇ˚ରେଜ ଅନୁଗତ ଥିଲେ। ଉଭୟଙ୍କ ମଧୢରେ କେଉଁ ଗୋଟିକ କାରଣ ଏବ˚ କେଉଁ ଗୋଟିକ ପରିଣାମ ତାକୁ ଧାର୍ଯ୍ୟ କରିବା କାଠିକର। ମୁସ୍ଲିମ ଲିଗ୍ ପରିପ୍ରେକ୍ଷୀରେ ସେ ଲେଖିଛନ୍ତି. ‘ମୁସ୍ଲିମମାନଙ୍କ ପ୍ରତିକ୍ରିୟାବାଦୀ ଆନ୍ଦୋଳନ ହିନ୍ଦୁମାନଙ୍କ ଭିତରେ ମଧ୍ୟ ପ୍ରତିକ୍ରିୟାଶୀଳ ଆନ୍ଦୋଳନକୁ ଜନ୍ମ ଦେଲା ଏବଂ ସାରା ଦେଶରେ ହିନ୍ଦୁ ମହାସଭାର ଅନେକ ଶାଖାଙ୍କ ଆବିର୍ଭାବ ଘଟିଲା। ହିନ୍ଦୁ ମହାସଭା, ତା’ର ମୁସ୍ଲିମ ପ୍ରତିଦ୍ବନ୍ଦ୍ବୀଙ୍କ ଭଳି କିଛି ପୁରୁଣା ରାଷ୍ଟ୍ରବାଦୀ ନେତାଙ୍କର ମହାମଞ୍ଚ ଥିଲା, ଯେଉଁମାନେ ଇ˚ରେଜ ବିରୋଧୀ ରାଜନୈତିକ ସ˚ଗ୍ରାମରେ ସ˚ପୃକ୍ତ ହେବା ପାଇଁ ଭୟ କରି ତହିଁରୁ ସୁରକ୍ଷିତ ଦୂରତାରେ ରହିବା ପାଇଁ ପ୍ରୟାସରତ ଥିଲେ।’ (ସୁଭାଷ ବୋଷ, ଇଣ୍ଡିଆନ ଷ୍ଟ୍ରଗଲ୍, ୧୯୨୦-୪୨, ପୃ.-୧୨୧)
ଯେତେବେଳେ ୧୯୩୯ରେ ଦ୍ବିତୀୟ ବିଶ୍ବଯୁଦ୍ଧ ଆରମ୍ଭ ହେଲା, ଇ˚ରେଜ ବିରୋଧରେ ଜନ ଆନ୍ଦୋଳନକୁ ତୀବ୍ର କରିବାକୁ କ˚ଗ୍ରେସ, ମୁସ୍ଲିମ ଲିଗ୍ ଏବ˚ ହିନ୍ଦୁ ମହାସଭାକୁ ସୁଭାଷ ବୋଷ ଆହ୍ବାନ ଦେଇଥିଲେ। ନେହରୁ ଏଥିପାଇଁ ଆରମ୍ଭରେ ଆଗ୍ରହୀ ନ ଥିଲେ, କାରଣ ଫାସିବାଦୀ ଜର୍ମାନି-ଇଟାଲି ସର୍ବଦା ମିତ୍ରଶକ୍ତି ଇ˚ରେଜ-ଫ୍ରାନ୍ସ ତୁଳନାରେ ଅଧିକ ବିପଦପୂର୍ଣ୍ଣ ବୋଲି ସେ ମନେ କରୁଥିଲେ। ଅନ୍ୟ ପକ୍ଷରେ ଗାନ୍ଧୀଜୀଙ୍କ ମତ ଥିଲା ଯେ ଏଭଳି ଏକ ଜନ ଆନ୍ଦୋଳନ ପାଇଁ ପ୍ରକୃଷ୍ଟ ସମୟ ଆସିନାହିଁ। ମାତ୍ର ‘ମୁସ୍ଲିମ ଲିିଗ୍’ ଏବ˚ ‘ହିନ୍ଦୁ ମହାସଭା’ର ଆଭିମୁଖ୍ୟକୁ ନେଇ ସୁଭାଷ ବୋଷ ସବୁଠୁ ଅଧିକ କ୍ଷୁବ୍ଧ ହୋଇଥିଲେ। ସୁଭାଷଙ୍କ ଭାଷାରେ ସେତେବେଳେ ମିଷ୍ଟର ଜିନ୍ନାଙ୍କ ଏକମାତ୍ର ଚିନ୍ତା ଥିଲା ଇ˚ରେଜ ସହଯୋଗରେ ପାକିସ୍ତାନର ଗଠନ ଏବ˚ ଭାରତର ସା˚ପ୍ରଦାୟିକ ବିଭାଜନ। କ˚ଗ୍ରେସ ସହିତ ଏକଜୁଟ ହୋଇ ଭାରତର ସ୍ବାଧୀନତା କଥାକୁ ସେ ପୂର୍ଣ୍ଣତଃ ଅଣଦେଖା କରିଥିଲେ। … ମିଷ୍ଟର (ବୀର) ସାବରକର ଆନ୍ତର୍ଜାତିକ ପରିସ୍ଥିତି ବାବଦରେ ସ˚ପୂର୍ଣ୍ଣ ଅଜ୍ଞ ମନେ ହେଲେ। ତାଙ୍କର ବଡ଼ ଚିନ୍ତା ଅଧିକରୁ ଅଧିକ ହିନ୍ଦୁମାନଙ୍କୁ ଭାରତର ଇ˚ରେଜ ସେନାରେ ନିଯୁକ୍ତି ଦେଇ ସେମାନଙ୍କୁ ଯେତେ ସମ୍ଭବ ଶୀଘ୍ର ସାମରିକ ପ୍ରଶିକ୍ଷଣ ପ୍ରାପ୍ତ କରାଇବେ। ଉଭୟଙ୍କ ସହ ସାକ୍ଷାତ୍କାର ପରେ ଏହି ଲେଖକ (ସୁଭାଷ ବୋଷ) ନିଶ୍ଚିତ ହେଲା ଯେ ଉଭୟ ମୁସ୍ଲିମ ଲିଗ୍ ଏବ˚ ହିନ୍ଦୁ ମହାସଭା ପାଖରୁ କିଛି ମହତ୍ ଆଶା କରାଯାଇ ନ ପାରେ। (ଇଣ୍ଡିଆନ ଷ୍ଟ୍ରଗଲ୍, ପୃ.-୩୪୪)
୧୯୪୧ରେ ନେତାଜୀ ଗୋପନରେ ଭାରତ ଛାଡ଼ି ଆଫଗାନିସ୍ତାନ, ରୁଷ, ଇଟାଲି ବାଟ ଦେଇ ଜର୍ମାନିରେ ପହଞ୍ଚିଲେ ଏବ˚ ଅକ୍ଷଶକ୍ତି ସାଙ୍ଗରେ ମିଶି ଇ˚ରେଜ ବିରୋଧରେ ଯୁଦ୍ଧ ଘୋଷଣା କଲେ। ନିଜ ଜର୍ମାନି ଅବସ୍ଥାନ କାଳରେ ଅଗଷ୍ଟ ୧୯୪୨ରେ ସେ ‘ସ୍ବତନ୍ତ୍ର ଭାରତ ଏବ˚ ତା’ର ସମସ୍ୟା’ (Free India and her Problems) ଶୀର୍ଷକରେ ଏକ ସୁଦୀର୍ଘ ପ୍ରବନ୍ଧ ଲେଖିଥିଲେ। ତହିଁରେ ସେ ବ୍ରିଟିସ୍ର ମୁସ୍ଲିମ ସମ୍ବନ୍ଧୀୟ ଅପପ୍ରଚାରର ପର୍ଦ୍ଦାଫାସ୍ କରି ଲେଖିଥିଲେ: ‘ଭାରତୀୟ ମୁସ୍ଲିମମାନେ ସ୍ବାଧୀନତା ସଂଗ୍ରାମକୁ ବିରୋଧ କରନ୍ତି ବୋଲି ଏକ ଧାରଣା ସୃଷ୍ଟି କରିବା ଲାଗି ବ୍ରିଟିସ୍ ଜାଣିଶୁଣି ଅପପ୍ରଚାର ଚଳାଇଥିଲେ। … କିନ୍ତୁ ଏହା ଶତ ପ୍ରତିଶତ ଭୁଲ୍ ତଥ୍ୟ। ସତ୍ୟ ହେଲା ଯେ ଜାତୀୟତା ଆନ୍ଦୋଳନରେ ଖୁବ୍ ଅଧିକ ସ˚ଖ୍ୟାରେ ମୁସଲମାନ ସକ୍ରିୟ। ଜାତୀୟ କ˚ଗ୍ରେସର ବର୍ତ୍ତମାନର ସଭାପତି ହେଲେ ଆବୁଲ କଲାମ ଆଜାଦ, ଯିଏ ଜଣେ ମୁସ୍ଲିମ। ଅଧିକା˚ଶ ଭାରତୀୟ ମୁସଲମାନ ହେଲେ ବ୍ରିଟିସ୍ ବିରୋଧୀ ଏବ˚ ସେମାନେ ଭାରତର ଆଶୁ ସ୍ବାଧୀନତା କାମନା କରନ୍ତି। ତା’ ସହିତ ଏ କଥା ବି ସତ ଯେ ଉଭୟ ହିନ୍ଦୁ ଏବ˚ ମୁସ୍ଲିମଙ୍କ ମଧୢରେ କିଛି ଲୋକ ଇ˚ରେଜ ସମର୍ଥକ ଏବ˚ ସେମାନେ ଧାର୍ମିକ ଆଧାରରେ ନିଜ ନିଜର ଦଳ ଗଢ଼ିଛନ୍ତି। ସେମାନଙ୍କୁ କଦାପି ସାଧାରଣ ଜନତାର ପ୍ରତିନିଧି ବୋଲି କୁହାଯାଇନପାରେ। (ଇଣ୍ଡିଆନ ଷ୍ଟ୍ରଗଲ୍, ପୃ-୪୫୫) ଏହି ପ୍ରବନ୍ଧରେ ୟୁରୋପୀୟ ପାଠକଙ୍କ ଆଗରେ ନେତାଜୀ ‘ଭାରତ ଛାଡ଼’ ଆନ୍ଦୋଳନର ସପକ୍ଷରେ ଯୁକ୍ତି ବାଢ଼ୁଥିଲେ ଏବ˚ ସାଂପ୍ରଦାୟିକ ଅପତତ୍ତ୍ବମାନେ ଭାରତୀୟ ଜନଗଣଙ୍କ ପ୍ରକୃତ ପ୍ରତିନିଧି ନୁହନ୍ତି ବୋଲି ଦାବି କରିଥିଲେ। ଏହା ନେତାଜୀଙ୍କ ସାଂପ୍ରଦାୟିକତାକୁ ନେଇ ଏକ ସ୍ଥିର ଓ ତୀବ୍ର ଦୃଷ୍ଟିର ପ୍ରଦର୍ଶନ କରେ।
ସାଂପ୍ରଦାୟିକତାକୁ ବାଦ ଦେଇ ଅନ୍ୟାନ୍ୟ ସାମାଜିକ ଓ ରାଜନୈତିକ ପ୍ରସଙ୍ଗରେ ମଧୢ ନେତାଜୀଙ୍କ ବିଚାରକୁ ନେଇ ଚର୍ଚ୍ଚା ହେବା ଉଚିତ। ଅନ୍ୟଥା ମହାନ ବିପ୍ଳବୀ ସୁଭାଷ ବୋଷ ଆମ ବୌଦ୍ଧିକ ବିଶ୍ଳେଷଣର ଊର୍ଦ୍ଧ୍ବରେ ଏକ ଅପହଞ୍ଚ ବିଗ୍ରହ ତୁଲ୍ୟ ହୋଇ ରହିଯିବେ।
[email protected]