ସତୀଶ କୌଶିକଙ୍କ ମୃତ୍ୟୁ ମାମଲାର ନୂଆ ମୋଡ଼: ଫାର୍ମ ହାଉସ୍‌ରୁ ଆପତ୍ତିଜନକ ଔଷଧ ଜବତ

ନୂଆଦିଲ୍ଲୀ: ବିଶିଷ୍ଟ ବଲିଉଡ଼ ଅଭିନେତା ଏବଂ ନିର୍ଦ୍ଦେଶକ ସତୀଶ କୌଶିକଙ୍କ ମୃତ୍ୟୁ ମାମଲା ନୂଆ ମୋଡ଼ ନେଇଛି। ଯେଉଁ ଫାର୍ମ ହାଉସ୍‌ରେ ସେ ସାଙ୍ଗମାନଙ୍କ ସହ ହୋଲି ପାର୍ଟି ମନାଉଥିଲେ, ସେଠାରୁ ତଦନ୍ତକାରୀ ପୁଲିସ ଦଳ କିଛି ଆପତ୍ତିଜନକ ଔଷଧ ପାଇଛନ୍ତି। କୌଶିକଙ୍କ ସବିସ୍ତୃତ ପୋଷ୍ଟମର୍ଟମ ରିପୋର୍ଟକୁ ଅପେକ୍ଷା କରାଯାଇଛି। ପ୍ରାରମ୍ଭିକ ରିପୋର୍ଟ ଅନୁଯାୟୀ ହୃ୍‌ଦ୍‌ଘାତ ଯୋଗୁ ମାର୍ଚ୍ଚ ୯ ତାରିଖରେ ୬୬ ବର୍ଷ ବୟସରେ ତାଙ୍କର ମୃତ୍ୟୁ ହୋଇଥିବା କୁହାଯାଇଥିଲା। ସୂତ୍ର ଅନୁସାରେ, ମୃତ୍ୟୁର ଦିନକ ପୂର୍ବରୁ ଦକ୍ଷିଣ-ପଶ୍ଚିମ ଦିଲ୍ଲୀରେ ଯେଉଁ ଫାର୍ମହାଉସ୍‌ରେ ସତୀଶ କୌଶିକ ସାଙ୍ଗମାନଙ୍କ ସହ ହୋଲି ପାର୍ଟି ମନାଇଥିଲେ, ସେଠାରୁ ପୁଲିସକୁ କିଛି ଔଷଧ ମିଳିଛି।

ଏଥିରେ ଡାଇଜିନ ଓ ସୁଗାର ପରି କିଛି ନିୟମିତ ଔଷଧ ବି ଅଛି। ତା’ଛଡ଼ା କିଛି ଅଲଗା ଔଷଧ ଅଛି, ଯାହା ଉପରେ ଏବେ ଯାଞ୍ଚ କରାଯାଉଛି। ଏବେ ହୃଦ୍‌ଘାତ ଯୋଗୁ ମୃତ୍ୟୁ ହୋଇଛି ବୋଲି କୁହାଯାଉଥିଲେ ମଧ୍ୟ ସବିସ୍ତୃତ ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ପ୍ରକୃତ କାରଣ ଜଣାପଡ଼ିବ। ତେବେ କୌଶିକଙ୍କ ହୋଲି ପାର୍ଟିରେ କେଉଁମାନେ ଯୋଗ ଦେଇଥିଲେ ପୁଲିସ ଏବେ ତା’ର ଏକ ତାଲିକା ପ୍ରସ୍ତୁତ କରୁଛି। ଯେଉଁ ଫାର୍ମହାଉସ୍‌ରେ ହୋଲି ପାର୍ଟି ଅନୁଷ୍ଠିତ ହୋଇଥିଲା ତାହା ଥିଲା ଗୁଟଖା କିଙ୍ଗ ବିକାଶ ମାଲୁଙ୍କର। ମାଲୁଙ୍କ ବିରୋଧରେ ତାଙ୍କ ସ୍ତ୍ରୀ ବଳାତ୍କାର ଅଭିଯୋଗ ଦାଏର କରିଛନ୍ତି। ତା’ର ଏବେ ଯାଞ୍ଚ ଚାଲିଥିବା ବେଳେ ମାଲୁ ଦୁବାଇରେ ରହୁଥିଲେ। କେବଳ ହୋଲି ପାର୍ଟିରେ ଯୋଗ ଦେବା ପାଇଁ ସେ ଭାରତ ଆସିଥିଲେ। ସତୀଶ କୌଶିକ ମନଭରି ସେଦିନ ହୋଲି ଖେଳିଥିଲେ। ପାର୍ଟିରେ ମାଲୁଙ୍କ ସହ କେତେଜଣ ବଡ଼ ବଡ଼ ବିଲ୍‌ଡର ଥିଲେ।

ସମ୍ବନ୍ଧିତ ଖବର