ନିର୍ବନ୍ଧ ହୋଇଥିବା ଝିଅ ସହିତ ଦୁଷ୍କର୍ମ କରି ଗିରଫ ହେଲେ ଡାକ୍ତର

ଗାଜିଆବାଦ: ଯେଉଁ ଝିଅ ସହିତ ନିର୍ବନ୍ଧ ହୋଇଥିଲା ତାଙ୍କ ସହିତ ଦୁଷ୍କର୍ମ ଓ ‘ବ୍ଲାକ୍‌ମେଲ୍‌’ କରିବା ଅଭିଯୋଗରେ ‘ଏମ୍‌ସ୍‌-ଦିଲ୍ଲୀ’ର ଜଣେ ‘ରେସିଡେନ୍‌ସ୍‌’ ଡାକ୍ତରଙ୍କୁ ଗିରଫ କରାଯାଇ ମଙ୍ଗଳବାର ଦିନ ଗାଜିଆବାଦକୁ ଅଣାଯାଇଥିବା କଥା ପୁଲିସ କହିଛି।

୨୫ ବର୍ଷୀୟ ଯୁବତୀଜଣକ ଥାନାରେ ଅଭିଯୋଗ କରିଥିଲେ ଯେ, ହରିୟାଣାର ମହେନ୍ଦ୍ରଗଡ଼ ନିବାସୀ ଉକ୍ତ ଡାକ୍ତର ତାଙ୍କ ସହିତ ମାସ ମାସ ଧରି ଯୌନସମ୍ପର୍କ ରଖିବାରୁ ସେ ଅନ୍ତଃସତ୍ତ୍ବା ହୋଇଥିଲେ। ତା’ପରେ କୌଶଳକ୍ରମେ ସେ ଡାକ୍ତର ତାଙ୍କୁ ଗର୍ଭପାତ ବଟିକା ଖୁଆଇ ଦେଇଥିଲେ।

ଅଭିଯୋଗ ପତ୍ରରୁ ସଂଗୃହୀତ ତଥ୍ୟ ଅନୁସାରେ, ଉଭୟ ଡାକ୍ତର ଓ ଝିଅଙ୍କ ପରିବାର ଲୋକେ ମାର୍ଚ ମାସରେ ବାହାଘର କଥା ପକ୍କା କରିଥିଲେ। ଏପ୍ରିଲ୍‌ ୨ ତାରିଖରେ ମୁଦି ପିନ୍ଧାପିନ୍ଧି କରାଯାଇ ନିର୍ବନ୍ଧ ହୋଇଥିଲା। ନିର୍ବନ୍ଧ ସମୟରେ ଝିଅଘର ଯୌତୁକ ଭାବେ ୫ ଲକ୍ଷ ଟଙ୍କା ଦେଇଥିଲେ। କିନ୍ତୁ, ବିବାହ ପୂର୍ବରୁ ସ୍କର୍ପିଓ ଗାଡ଼ି ପାଇଁ ଡାକ୍ତରଙ୍କ ପରିବାର ଆଉ ୨୫ ଲକ୍ଷ ଟଙ୍କା ଦାବି କରୁଥିଲେ ବୋଲି ଝିଅ କହିଛି।

ଜୁନ୍‌ ମାସରେ ‘ପିଏଚ୍‌ଡି’ ପେପର୍‌ ଲେଖିବାକୁ ଅଛି ଦର୍ଶାଇ ଡିସେମ୍ବର ପୂର୍ବରୁ ବାହା ହେବେନାହିଁ ବୋଲି ଡାକ୍ତରଜଣକ କହିବାରୁ ବାହାଘର ସାମୟିକ ଭାବେ ସ୍ଥଗିତ ରଖାଯାଇଥିଲା।

Image Courtesy NDTV

କିନ୍ତୁ, ମେ ୨୪ ତାରିଖ ଦିନ ଝିଅ ସେ ଡାକ୍ତରଙ୍କୁ କହିଲା ଯେ, ତା’ର ବାପାମାଆ ସହରରୁ ବାହାରକୁ ଯାଇଛନ୍ତି। ଏକଥା ଶୁଣି ଡାକ୍ତର ଓ ତାଙ୍କ ଭିଣୋଇ ଝିଅ ଘରକୁ ବୁଲି ଆସିଲେ। ଦୁହେଁ ପାନୀୟରେ ନିଶାଦ୍ରବ୍ୟ ଦେଇ ତାଙ୍କୁ ଅଚେତ କରାଇ ଦେଇଥିଲେ। ଚେତା ଫେରିବା ବେଳକୁ ସେ ଶେଯରେ ବିବସ୍ତ୍ର ହୋଇ ଡାକ୍ତରଙ୍କ ପାଖରେ ଶୋଇଥିବା କଥା ଜାଣିଲେ। ତାଙ୍କ ଭିଣୋଇ ଉକ୍ତ ଯୌନାଚାରର ଭିଡିଓ ରେକର୍ଡିଙ୍ଗ୍‌ କରିବା ସହିତ ଯୌନଉତ୍ପୀଡ଼ନ ଦେଇଥିବା କଥା ମଧ୍ୟ ସେ ଝିଅ ଅଭିଯୋଗ କରିଛନ୍ତି।

ଉକ୍ତ ଭିଡିଓ ଏବଂ ଫଟୋଦ୍ବାରା ‘ବ୍ଲାକ୍‌ମେଲ୍‌’ କରି କେତେ ମାସ ଧରି ଡାକ୍ତରଜଣକ ତାଙ୍କ ସହିତ ଦୈହିକ ସମ୍ପର୍କ ରଖିଥିଲେ। ସେଥିପାଇଁ ତାଙ୍କୁ ଅନେକ ଥର ‘ଏମସ୍‌’ ହଷ୍ଟେଲ୍‌କୁ ଡକାଇଥିଲେ। ଅନ୍ତଃସତ୍ତ୍ବା ହେବା କଥା ଅକ୍ଟୋବର ମାସରେ ଜାଣିବା ପରେ ସେ ତାଙ୍କୁ ଗର୍ଭପାତ କରିବା ପାଇଁ କହିଲେ। ଯୋଗକୁ ଦିନେ ସେ କୌଣସି କାରଣରୁ ଅସୁସ୍ଥ ହୋଇପଡ଼ିଲେ ଏବଂ ଜର ଔଷଧ ବୋଲି କହି ଡାକ୍ତର ତାଙ୍କୁ ଗର୍ଭପାତ ବଟିକା ଦେଇଦେଲେ।

ଝିଅର ଅଭିଯୋଗ ଓ ଗର୍ଭପାତ କରାଯାଇଥିବା କଥା ଡାକ୍ତରୀ ପରୀକ୍ଷାରୁ ଜଣାପଡ଼ିବା ପରେ ଉକ୍ତ ଡାକ୍ତରଙ୍କୁ ଗିରଫ କରାଯାଇଥିବା କଥା କବି ନଗର ‘ଏସିପ’ ଅଭିଷେକ ଶ୍ରୀବାସ୍ତବ କହିଛନ୍ତି।

ସମ୍ବନ୍ଧିତ ଖବର