ସହିଦ ଦୀପକଙ୍କୁ ଝୁରୁଛି ଗାଁ’ମାଟି: କେନ୍ଦ୍ରୀୟ ଓ ସୁନ୍ଦରଗଡ଼ ପୁଲିସବାହିନୀର ଗାର୍ଡ ଅଫ୍ ଅନର୍ 

ରୋଜଗାରିଆ ପୁଅକୁ ହରାଇ ଅସହାୟ ପରିବାର 

କୁତ୍ରା: ସାନଭାଇର ବାହାଘର ପିନ୍ଧାଣି (ନିର୍ବନ୍ଧ) ଉତ୍ସବକୁ ଆସି ପାରିନଥିଲେ। କିନ୍ତୁ ଚର୍ଚ୍ଚରେ ଗତକାଲି ୨୧ ତାରିଖରେ ହେବାକୁ ଥିବା ‘ପଞ୍ଜୀକରଣ ଓ ବଚନଦତ୍‌’ ଉତ୍ସବକୁ ଆସିଥାନ୍ତେ। ସେଥିପାଇଁ ଛୁଟି ବି ମଞ୍ଜୁର ହୋଇଯାଇଥିଲା। କିନ୍ତୁ ୧୬ ତାରିଖରେ ଛତିଶଗଡ଼ରେ ନିର୍ବାଚନ ଡ୍ୟୁଟି କରୁଥିବାବେଳେ ଅସୁସ୍ଥହେଲେ। ୨୦ ତାରିଖରେ ଚିକିତ୍ସାଧୀନ ଅବସ୍ଥାରେ କାଳ ତାଙ୍କୁ ଡାକି ନେଇଗଲା। ସହିଦ ହୋଇଗଲେ କୁତ୍ରା ବ୍ଲକ୍‌ ଗଙ୍ଗାଜଳ ପଞ୍ଚାୟତ ଖୁରାପାଲି ଗ୍ରାମର ଦୀପକ କୁମାର ଟେଟେ(୩୩)। ନିଜକଥା ନ ଭାବି ପରିବାର, ଗାଁ ଓ ଦେଶକଥା ଭାବୁଥିବା ​ଦୀପକଙ୍କ ବିୟୋଗରେ କାନ୍ଦୁଛି ଗାଁ, କାନ୍ଦୁଛି ଜନ୍ମମାଟି। ଆଜି ଗାଁର ସମସ୍ତଙ୍କ ଆଖିରେ ଲୁହ। ଦେଶପାଇଁ କାମ କରୁକରୁ ସହିଦ ହୋଇଛନ୍ତି ଗାଁ’ମାଟିର ପୁଅ। ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ବୁଧବାର ଗାଁ’ ଶ୍ମଶାନରେ ସହିଦ ଦୀପକଙ୍କ ପାର୍ଥିବଶରୀରକୁ ଶେଷବିଦାୟ ଦିଆଯାଇଛି।

ବୁଧବାର ସକାଳେ ସହିଦଙ୍କ କଫିନ ସାମ୍ନାରେ ପ୍ରଥମେ ତାଙ୍କ ଧାର୍ମିକ ରୀତିନୀତି ଅନୁଯାୟୀ ବିନତି ପ୍ରାର୍ଥନା କରାଯାଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା। ପରେ ପୁଲିସବାହିନୀ ସାଲ୍ୟୁଟ୍‌ ଜଣାଇ କାନ୍ଧରେ କଫିନନେଇ ଦେଶଭକ୍ତି ଗୀତ ଭିତରେ ଶହଶହ ଲୋକଙ୍କ ସହିତ ଗ୍ରାମ ପରିକ୍ରମା କରିଥିଲା। ଏହି ସମୟରେ ତାଙ୍କଘର ନିକଟରେ ଥିବା ଖୁରାପାଲି ପ୍ରାଥମିକ ବିଦ୍ୟାଳୟର କୁନିକୁନି ଛାତ୍ରଛାତ୍ରୀ ମଧ୍ୟ ସାଲ୍ୟୁଟ୍‌ ଜଣାଇ ପୁଷ୍ପବୃଷ୍ଟି କରିଥିଲେ। ଶ୍ମଶାନରେ ପହଞ୍ଚିବା ପରେ ପ୍ରଥମେ କେନ୍ଦ୍ରୀୟ ପୁଲିସବାହିନୀ ଓ ପରେପରେ ସୁନ୍ଦରଗଡ଼ ଜିଲ୍ଲା ପୁଲିସ ପକ୍ଷରୁ ଗାର୍ଡ ଅଫ୍ ଅନର୍ ପ୍ରଦାନ କରାଯାଇଥିଲା। କେନ୍ଦ୍ରୀୟ ପୁଲିସବାହିନୀ ପକ୍ଷରୁ ତାଙ୍କ ମା’ଙ୍କୁ ତ୍ରିରଙ୍ଗା ପତାକା ପ୍ରଦାନ କରାଯାଇଥିଲା। ଶେଷରେ ଧାର୍ମିକ ରୀତିନୀତିରେ କବର ଦିଆଯାଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା।

ଦୀପକ ଇଣ୍ଡୋ-ତିବ୍ବତ ସୀମାନ୍ତ ପୁଲିସବାହିନୀରେ କାର୍ଯ୍ୟରତ ଥିବାବେଳେ ସୋମବାର ଛତିଶଗଡ଼ର ରାୟପୁରଠାରେ ତାଙ୍କର ମୃତ୍ୟୁ ହୋଇଥିଲା। ତାଙ୍କୁ ସହିଦର ମାନ୍ୟତା ପ୍ରଦାନ କରାଯାଇଛି। ଗତକାଲି ରାୟପୁରରେ ତାଙ୍କୁ ଆଇଟିବି ପୁଲିସ ଓ ପ୍ରଶାସନ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯିବାପରେ ତାଙ୍କ ଗାଁମାଟି ଖୁରାପାଲିକୁ ପାର୍ଥିବଶରୀର ପଠାଯାଇଥିଲା। ଜଣେ କମାଣ୍ଡାଣ୍ଟ, ଜଣେ ପୁଲିସ ଇନ୍ସପେକ୍ଟର ଓ ୧୪ ଜଣିଆ ଆଇଟିବିପି ଯବାନଦଳ ମୃତଶରୀରକୁ ସୁରକ୍ଷାଦେଇ ଆଣିଥିଲେ। ରାତି ୧୦ଟାରେ ତାଙ୍କ ଗାଁରେ ଶବ ପହଞ୍ଚିବା ପରେ ଆରମ୍ଭ ହୋଇଥିଲା ଦୃଦୟ ବିଦାରକ ଦୃଶ୍ୟ। ପୁଅର କଫିନ ଦେଖି ମା’ ବଲାମଦିନା(୬୦)ଙ୍କ ପାଟିରୁ ଆଉ କଥା ବାହାରୁ ନଥିଲା।
ବଲାମଦିନାଙ୍କ ୩ ଝିଅ ଓ ଦୁଇପୁଅ ମଧ୍ୟରୁ ବଡ଼ପୁଅ ଦୀପକ ପରିବାରର ଏକମାତ୍ର ରୋଜଗାରିଆ ଥିଲେ। ବୟସ ବଢ଼ୁଥିଲେ ବି ନିଜେ ବାହା ନହୋଇ ପ୍ରଥମେ ଦୁଇ ସାନଭଉଣୀଙ୍କ ବାହା କରାଇଥିଲେ। ଗାଁରେ ମା’ଙ୍କ ସହିତ ସାନଭାଇ ଅଜିତ(୨୮) ଓ ସାନଭଉଣୀ ପ୍ରୀତି ଅଞ୍ଜନା(୨୨) ରହନ୍ତି। କିଛିଦିନ ପୂର୍ବରୁ ଅଜିତଙ୍କ ବାହାଘର ପାଇଁ ପିନ୍ଧାଣି ସରିଛି। ଗତକାଲି ମଙ୍ଗବାର ତାଙ୍କର ବାହାଘର ଦିନ ଧାର୍ଯ୍ୟ ହୋଇଥାନ୍ତା। ପିନ୍ଧାଣିକୁ ଆସିପାରିନଥିବା ଦୀପକ କିନ୍ତୁ ଉକ୍ତ ଉତ୍ସବକୁ ଆସିବା ଯୋଜନା ଥିଲା।

ସମ୍ବନ୍ଧିତ ଖବର