ବିଶ୍ୱର ଧନୀ ତାଲିକାରୁ ତଳକୁ ଖସିଲେ ମାର୍କ ଜୁକରବର୍ଗ, ୬ଘଣ୍ଟାରେ ହେଲା ଏତିକି କୋଟି ଟଙ୍କାର କ୍ଷତି

ନୂଆଦିଲ୍ଲୀ: ସୋମବାର ରାତିରେ ଫେସବୁକ, ହ୍ୱାଟସଆପ ଓ ଇନଷ୍ଟାଗ୍ରାମ ଅଚଳ ହେବା ଫଳରେ ମାର୍କ ଜୁକରବର୍ଗଙ୍କୁ ବଡ଼ କ୍ଷତି ସହିବାକୁ ପଡିଛି। ମାତ୍ର କିଛି ଘଣ୍ଟା ଏହି ସୋସିଆଲ ମିିଡିଆ ଆପ ଅଚଳ ହେବା ଫଳରେ ଜୁକରବର୍ଗ ବ୍ୟକ୍ତିଗତ ଭାବେ ଅନେକ କ୍ଷତି ସହିଛନ୍ତି । ଏପରିକି ତାଙ୍କର ସମ୍ପତ୍ତି ମାତ୍ର କେଇ ଘଣ୍ଟାରେ ହଜାର ହଜାର କୋଟି ଟଙ୍କା ତଳକୁ ଖସିଛି । ମାତ୍ର ୫ରୁ ୬ ଘଣ୍ଟା ମଧ୍ୟରେ ଜୁକରବର୍ଗ ୫୨ ହଜାର କୋଟି ଟଙ୍କାର କ୍ଷତି ସହିଛନ୍ତି । ଆଉ ଏଭଳି କ୍ଷତି ତାଙ୍କୁ ବିଶ୍ୱର ଧନୀ ତାଲିକାରୁ ମଧ୍ୟ ଗୋଟିଏ ସ୍ଥାନ ତଳକୁ ଠେଲିଦେଇଛି । ଫେସବୁକ, ହ୍ୱାଟସଆପ ଓ ଇନଷ୍ଟାଗ୍ରାମ ଅଚଳ ରହିବା ଫଳରେ ପ୍ରତି ଘଣ୍ଟାକୁ ୮୭୦୦ କୋଟି ଟଙ୍କାର କ୍ଷତି ସହିଛନ୍ତି ଜୁକରବର୍ଗ ।

www.aajtak.in

ସୋମବାର ଭାରତୀୟ ସମୟ ଅନୁଯାୟୀ ପ୍ରାୟ ରାତି ୯ଟାରୁ ୧୦ଟା ଭିତରେ ପୂରା ବିଶ୍ୱରେ ଫେସବୁକ ଡାଉନ ରହିଥିଲା । ଏହାଛଡା ଇନଷ୍ଟାଗ୍ରାମ ଓ ହ୍ୱାଟସଆପ ମଧ୍ୟ ଘଣ୍ଟା ଘଣ୍ଟା ଧରି ଚାଲିନଥିଲା । ନା ମେସେଜ ଯାଉଥିଲା, ନା ଫେସବୁକରେ କୌଣସି ନୂଆ ପୋଷ୍ଟ ଦେଖିବାକୁ ମିଳୁଥିଲା । ଲୋକେ ଇଣ୍ଟରନେଟ ସମସ୍ୟା ଭାବି ଅନେକଥର ଫୋନରୁ ସିମ୍ କାଢିଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା । ପରେ ଏହି ୩ ସାଇଟ ଡାଉନ ଥିବା ଜାଣିବାକୁ ମିଳିଥିଲା ।

ଏକାସଙ୍ଗରେ ୩ଟି ସୋସିଆଲ ସାଇଟ ଡାଉନ ହେବା ଫଳରେ ସେୟାର ବଜାରରେ ଫେସବୁକ ସେୟାରର ମୂଲ୍ୟ ମଧ୍ୟ ହ୍ରାସ ପାଇଥିଲା । ଏପରିକି ମାତ୍ର କେଇ ଘଣ୍ଟାରେ ଫେସବୁକର ସେୟାର ୫ ପ୍ରତିଶତ ଯାଏଁ କମିଗଲା । ଯେଉଁଥିପାଇଁ ଜୁକରବର୍ଗଙ୍କ ମୋଟ ସମ୍ପତ୍ତି ହ୍ରାସ ପାଇ ୧୨୦.୦ ଆରବ ଡଲାରରେ ପହଞ୍ଚିଥିବା ବେଳେ ଧନୀ ତାଲିକାରେ ସେ ୫ମ ସ୍ଥାନକୁ ଖସିଆସିଛନ୍ତି । ଫେସବୁକ ଡାଉନ ହେବା ପୂର୍ବରୁ ଧନୀ ତାଲିକାର ୪ର୍ଥ ସ୍ଥାନରେ ଥିଲେ ଜୁକରବର୍ଗ । ବେଶ କିଛି ଘଣ୍ଟା ଏହି ୩ଟି ସୋସିଆଲ ମିଡିଆ ସାଇଟ ଡାଉନ ହେବା ପରେ ଭାରତୀୟ ସମୟ ଭୋର ପ୍ରାୟ ୪ଟା ବେଳକୁ ୩ଟି ଆପ କାମ କରିବା ଆରମ୍ଭ କରିଥିଲା।
ସମ୍ବନ୍ଧିତ ଖବର