ଦରବୃଦ୍ଧି ବିରୋଧରେ କଂଗ୍ରେସର ଅଭିଯାନ: ‘ଘଣ୍ଟା, ଢୋଲ ବଜାଅ’

ନୂଆଦିଲ୍ଲୀ: ପାଞ୍ଚଟି ରାଜ୍ୟର ବିଧାନସଭା ନିର୍ବାଚନକୁ ଆଖି ଆଗରେ ରଖି ‌ନରେନ୍ଦ୍ର ମୋଦୀ ସରକାର ୧୩୭ ଦିନ ଇନ୍ଧନ ଓ ରନ୍ଧନ ଗ୍ୟାସ୍ ଦର ବୃଦ୍ଧି କରି ନ ଥିବା ବେଳେ ଏବେ ବୃଦ୍ଧି କରି ଲୋକଙ୍କ ପ୍ରତି ବିଶ୍ବାସଘାତକତା କରିଛନ୍ତି ବୋଲି କଂଗ୍ରେସ ଅଭିଯୋଗ କରିଛି। ଏହା ବିରୋଧରେ ଦଳ ତ୍ରିସ୍ତରୀୟ ‘ମହଙ୍ଗାଇମୁକ୍ତ ଭାରତ ଅଭିଯାନ’ ଘୋଷଣା କରିଛି। ମାର୍ଚ୍ଚ ୩୧ରୁ ଏପ୍ରିଲ ୭ ପର୍ଯ୍ୟନ୍ତ କଂଗ୍ରେସ ଦେଶସାରା ଦରବୃଦ୍ଧି ବିରୋଧରେ ରୢାଲି ଓ ପାଦଯାତ୍ରା ଆଦିରର ଆୟୋଜନ କରିବ। କଂଗ୍ରେସ ସାଧାରଣ ସମ୍ପାଦକ ତଥା ମୁଖ୍ୟ ମୁଖପାତ୍ର ରଣଦୀପ ସୂର୍ଯ୍ୟେୱାଲା କହିଛନ୍ତି ଯେ, ମୋଦୀ ସରକାରଙ୍କ ବିଶ୍ବାସଘାତକତା ଓ ଦରବୃଦ୍ଧି ବିରୋଧରେ କଂଗ୍ରେସ ତିନି ପର୍ଯ୍ୟାୟରେ ଅଭିଯାନ ଆରମ୍ଭ କରିବ। ପ୍ରଥମ ପର୍ଯ୍ୟାୟରେ ମାର୍ଚ୍ଚ ୩୧ରେ କଂଗ୍ରେସ କର୍ମୀ ଓ ସାଧାରଣ ଲୋକ ସେମାନଙ୍କ ଘର ଆଗରେ ତଥା ସର୍ବସାଧାରଣ ସ୍ଥାନରେ ପ୍ରତିବାଦ କରିବେ। ପେଟ୍ରୋଲ, ଡିଜେଲ ଓ ରନ୍ଧନ ଗ୍ୟାସ୍‌ର ମୂଲ୍ୟବୃଦ୍ଧି ବିରୋଧରେ ବିଜେପି ସରକାରର ଧ୍ୟାନ ଆକର୍ଷଣ କରିବା ପାଇଁ ସେମାନେ ଗ୍ୟାସ୍ ସିଲିଣ୍ଡରକୁ ଫୁଲମାଳ ପିନ୍ଧେଇ ଡ୍ରମ୍ ଓ ଘଣ୍ଟି ବଜେଇବେ। ଦ୍ବିତୀୟ ପର୍ଯ୍ୟାୟରେ ଏପ୍ରିଲ ୨ରୁ ୪ ତାରିଖ ଭିତରେ ଏନ୍‌ଜିଓ, ଧାର୍ମିକ ଓ ସାମାଜିକ ଅନୁଷ୍ଠାନ ପ୍ରଭୃତିଙ୍କ ସହ ମିଶି କଂଗ୍ରେସ ଦେଶ ସାରା ଜିଲ୍ଲା ସ୍ତରରେ ଧାରଣା ଦେବ ଓ ପଦଯାତ୍ରା କରିବ। ତୃତୀୟ ପର୍ଯ୍ୟାୟରେ ଏପ୍ରିଲ ୭ ତାରିଖରେ କଂଗ୍ରେସ ବିଭିନ୍ନ ସାମାଜିକ ଓ ଧାର୍ମିକ ସଂଗଠନ ତଥା ଏନ୍‌ଜିଓ ସଦସ୍ୟମାନଙ୍କୁ ନେଇ ସମସ୍ତ ରାଜ୍ୟ ମୁଖ୍ୟାଳୟରେ ‘ମହଙ୍ଗାଇ ମୁକ୍ତ ଭାରତ’ ଧାରଣା ଓ ପଦଯାତ୍ରାର ଆୟୋଜନ କରିବ।

ସମ୍ବନ୍ଧିତ ଖବର