୬ ମାସ ବଢ଼ିଲା ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା: ଉତ୍ତରପ୍ରଦେଶ‌ରେ ୩ ମାସ ବଢ଼ିଲା ମାଗଣା ରାସନ ଯୋଜନା

ନୂଆଦିଲ୍ଲୀ: ଏନ୍‌ଡିଏ ସରକାର ‘ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା’କୁ ପୁଣି ୬ ମାସ ବଢ଼ାଇ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ହୋଇଥିବା କ୍ୟାବିନେଟ୍‌ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଗତ ନଭେମ୍ବରରେ ମଧ୍ୟ କେନ୍ଦ୍ର କ୍ୟାବିନେଟ୍‌ ଏହି ଯୋଜନାକୁ ୪ ମାସ ବଢ଼ାଇଥିଲେ। ଏହି ଯୋଜନା ଅଧୀନରେ କେନ୍ଦ୍ର ସରକାର ଗରିବଙ୍କୁ ୫ କିଲୋ ମାଗଣା ଖାଦ୍ୟଶସ୍ୟ ଦେଉଛନ୍ତି। ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଅଧୀନରେ ପ୍ରାୟ ୮୦ କୋଟିରୁ ଅଧିକ ହିତାଧିକାରୀ ଏହି ଯୋଜନାରେ ଉପକୃତ। ଦେଶରେ କରୋନା ମହାମାରୀର ପ୍ରଥମ ପର୍ଯ୍ୟାୟରେ ମାର୍ଚ୍ଚ ୨୦୨୦ରେ ଏହି ଯୋଜନା ଆରମ୍ଭ ହୋଇଥିଲା। ଯୋଜନାର ପ୍ରଥମ ପର୍ଯ୍ୟାୟ ୨୦୨୦ ଏପ୍ରିଲରୁ ଜୁନ୍‌ ମଧ୍ୟରେ କାର୍ଯ୍ୟକାରୀ ହୋଇଥିବା ବେଳେ ଦ୍ବିତୀୟ ପର୍ଯ୍ୟାୟ ଜୁଲାଇରୁ ନଭେମ୍ବର ୨୦୨୦ ମଧ୍ୟରେ କାର୍ଯ୍ୟକାରୀ ହୋଇଛି। ଅନ୍ୟପକ୍ଷେ ଯୋଗୀ ଆଦିତ୍ୟନାଥ ଗତକାଲି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାପରେ ଆଜି ଏକ ବଡ଼ ଘୋଷଣା କରିଛନ୍ତି। ଯୋଗୀ କହିଛନ୍ତି, କରୋନା ମହାମାରୀ ସମୟରେ ଆରମ୍ଭ ହୋଇଥିବା ମାଗଣା ରାସନ୍‌ ଯୋଜନାକୁ ଆଉ ୩ ମାସ ବଢ଼ାଯାଉଛି। ରାଜ୍ୟରେ ପ୍ରଥମ କ୍ୟାବିନେଟ୍‌ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଏହି ଯୋଜନା ଅଧୀନରେ ମୋଟ୍‌ ୧୫ କୋଟି ଲୋକ ଉପକୃତ ହେବେ।

ସମ୍ବନ୍ଧିତ ଖବର