ଯମୁନାରେ ପାଣି କମୁଛି, ଦିଲ୍ଲୀରେ ବଢ଼ୁଛି: ରାଜଘାଟରେ ପାଣି

ନୂଆଦିଲ୍ଲୀ : ବର୍ଷା ଓ ବନ୍ୟା ଜଳ ପାଇଁ ଦିଲ୍ଲୀରେ ଅତି ଗମ୍ଭୀର ସ୍ଥିତି ଉପୁଜିଛି। ଯମୁନା ନଦୀ ଜଳସ୍ତର ଧୀରେଧୀରେ ହ୍ରାସ ପାଉଥିଲେ ସୁଦ୍ଧା ଦିଲ୍ଲୀରେ ବିଭିନ୍ନ ଅଞ୍ଚଳ ଜଳମଗ୍ନ ହୋଇଯାଇଛି। ଶୁକ୍ରବାର ସକାଳ ୬ଟାରେ ଯମୁନା ଜଳସ୍ତର ୨୦୮.୪୬ ମିଟରକୁ ଖସି ଆସିଛି। ଜଳସ୍ତର ଆଗକୁ ଆହୁରି କମିବ। ତେବେ ବନ୍ୟା ଜଳ ସୁପ୍ରିମକୋର୍ଟ, ରାଜଘାଟ ସମେତ ଅନେକ ପ୍ରମୁଖ ଅଞ୍ଚଳରେ ପହଞ୍ଚିଛି।‌ ବନ୍ୟା ଜଳ ପାଇଁ ଟ୍ରାଫିକ୍‌ ସ୍ଥିତି ସାଂଘାତିକ ରୂପ ନେଇଛି। ଦିଲ୍ଲୀର ତିଳକ ମାର୍ଗ ଅଞ୍ଚଳରେ ଅବସ୍ଥିତ ସୁପ୍ରିମକୋର୍ଟର ପ୍ରବେଶ ପଥରେ ବନ୍ୟା ଜଳ ଜମିରହିବାରୁ ଯାତାୟାତରେ ଗୁରୁତର ସମସ୍ୟା ଉପୁଜିଛି। ୫୦ରୁ ଅଧିକ ଗୁରୁତ୍ବପୂର୍ଣ୍ଣ ସଂଯୋଗକାରୀ ରାସ୍ତା ଜଳମଗ୍ନ ହୋଇଯାଇଛି। ପ୍ରମୁଖ ରାସ୍ତା ଗୁଡ଼ିକ ଆଜି ରାତି ସୁଦ୍ଧା ଜଳବନ୍ଦି ହୋଇ ରହିଛି।

ଉତ୍ତର ପଶ୍ଚିମ ଦିଲ୍ଲୀର ମୁକୁନ୍ଦପୁର ନିକଟରେ ଶୁକ୍ରବାର ଦିନ ବନ୍ୟା ଜଳରେ ୩ ଜଣ ନାବାଳକ ବୁଡ଼ି ଯାଇଛନ୍ତି। ସେମାନେ ଗାଧୋଇବାପାଇଁ ପାଣିକୁ ଡେଇଁ ପଡ଼ିବା ଫଳରେ ବୁଡ଼ିଯାଇଥିଲେ। ସେମାନଙ୍କୁ ଉଦ୍ଧାର କରି ହସ୍ପିଟାଲ ନିଆଯାଇଥିଲା। କିନ୍ତୁ ସେମାନଙ୍କର ମୃତ୍ୟୁ ହୋଇଯାଇଛି। ଆଜି ଅପରାହ୍ନ ୩ଟାରେ ଏହି ଘଟଣା ଘଟିଛି। ମୃତକ ମାନେ ହେଉଛନ୍ତି ପିୟୁଷ (୧୩), ନିଖିଲ (୧୦) ଏବଂ ଆଶିଷ (୧୩)।

ଇତିମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଫ୍ରାନ୍ସରୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଫୋନ୍‌ କରି ବନ୍ୟା ସ୍ଥିତି ସଂକ୍ରାନ୍ତରେ ଆଲୋଚନା କରିଛନ୍ତି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏବଂ ଉପରାଜ୍ୟପାଳ ଭିକେ ସାକ୍ସେନା ମଧ୍ୟ ଶୁକ୍ରବାର ଦିନ ବିଭିନ୍ନ ବନ୍ୟାପ୍ରବଣ ଅଞ୍ଚଳ ବୁଲି ସ୍ଥିତି ସମୀକ୍ଷା କରିଛନ୍ତି। ଦିଲ୍ଲୀରେ ବନ୍ୟା ସ୍ଥିତି ପାଇଁ ଜୁଲାଇ ୧୬ ତାରିଖରେ ହେବାକୁ ଥିବା ଲୋକ ଅଦାଲତ ଜୁଲାଇ ୩୦ ତାରିଖରେ ହେବ। ଆସନ୍ତା ରବିବାର ପର୍ଯ୍ୟନ୍ତ ଦିଲ୍ଲୀରେ ସମସ୍ତ ସ୍କୁଲ, କଲେଜ ବନ୍ଦ ରହିଛି। ଦିଲ୍ଲୀରେ ବନ୍ୟା ସ୍ଥିତି ଜାତୀୟ ରାଜଧାନୀରେ ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି।

ସମ୍ବନ୍ଧିତ ଖବର