ଚାଲାଣ କଟାଯାଇଥିବା ୩ କୋଟି ଆତ୍ମସାତ କରିଦେଲେ ହରିୟାଣାରେ ଦୁଇ ଟ୍ରାଫିକ୍ ପୁଲିସ୍

ଗୁରୁଗ୍ରାମ୍ : ହରିୟାଣାରେ ସରକାରୀ ଟଙ୍କା ହଡପ ହେବାର ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ପଲଓ୍ଵାଲରେ କିଛି ପୁଲିସ କର୍ମଚାରୀ ରାସ୍ତାରେ ବିଭିନ୍ନ ଗାଡ଼ି ପାଇଁ କଟାଯାଇଥିବା ଚାଲାଣ ବାବଦ ପ୍ରାୟ ୩ କୋଟି ୨୫ ଲକ୍ଷ ଟଙ୍କା ସରକାରୀ ବ୍ୟାଙ୍କ ଖାତାରେ ଜମା କରିବା ବଦଳରେ ନିଜେ ଆତ୍ମସାତ କରିଥିବା ଜଣାପଡ଼ିଛି ।

ହରିୟାଣା ପୁଲିସର ଦୁଇ କର୍ମଚାରୀଙ୍କୁ ଟ୍ରାଫିକ ପୁଲିସର ଚାଲାଣ ଶାଖାରେ ନିୟୋଜିତ କରାଯାଇଥିଲା । ଜନକ ଓ ଓମବୀର ନାମକ ଏହି ଦୁଇ ପୁଲିସ କର୍ମୀ ୨୦୨୦ ଜାନୁଆରିରୁ ଚଳିତ ବର୍ଷ ଏପ୍ରିଲ ସୁଦ୍ଧା ସେଠାରେ ନିୟୋଜିତ ଥିଲେ । ସେମାନେ ବିଭିନ୍ନ ଥାନା ଅଂଚଳରେ କଟା ଯାଇଥିବା ଗାଡ଼ିର ଚାଲାଣ ଅର୍ଥ ବିଭାଗର ଆକାଉଣ୍ଟରେ ଟଙ୍କା ଜମା ନକରି ନିଜ ବ୍ୟକ୍ତିଗତ କାର୍ଯ୍ୟରେ ଖର୍ଚ୍ଚ କରିଦେଇଥିଲେ ।

ଏ ସଂପର୍କରେ ଡିଏସପି ସନ୍ଦୀପ ମୋର କହିଛନ୍ତି ଯେ ଏସପି ଲୋକେନ୍ଦ୍ର ସିଂଙ୍କୁ ସୂଚନା ମିଳିଥିଲା ଯେ ଇ-ଚାଲାଣ ର ପରିମାଣ ଠିକ୍ ସମୟରେ ଆକାଉଣ୍ଟରେ ଜମା ହେଉନାହିଁ । ଏହା ପରେ ତଥ୍ୟକୁ ମିଳାଯିବା ପରେ ଚାଲାଣରୁ ମିଳିଥିବା ରାଶି ଏବଂ ବ୍ୟାଙ୍କରେ ଜମା ହୋଇଥିବା ରାଶି ମଧ୍ୟରେ ବହୁତ ପାର୍ଥକ୍ୟ ଦେଖିବାକୁ ମିଳିଥିଲା । ତଦନ୍ତ ବେଳେ ପାଖାପାଖି ୩ କୋଟି ୨୫ ଲକ୍ଷ ଟଙ୍କାର ଦୁର୍ନୀତି ପଦାକୁ ଆସିଥିଲା। ୨୦୨୦ ଜାନୁଆରିରୁ ୨୦୨୩ ମାର୍ଚ୍ଚ ୩୧ ମଧ୍ୟରେ ବ୍ୟାଙ୍କରେ ଟଙ୍କା ଜମା କରିବାର ରସିଦ୍, ଯାହା ରେକର୍ଡରେ ଥିଲା, ତାହା ବ୍ୟାଙ୍କର ରସିଦଠାରୁ ଭିନ୍ନ ଥିଲା ବୋଲି ତଦନ୍ତରୁ ଜଣାପଡ଼ିଥିଲା । ଅର୍ଥାତ ରସିଦ ଅନୁଯାୟୀ ଏହି ଟଙ୍କା ଆକାଉଣ୍ଟକୁ ଯାଇନଥିଲା। ଅଭିଯୁକ୍ତମାନେ ବ୍ୟାଙ୍କର ରସିଦରେ ନକଲି ଷ୍ଟାମ୍ପ ଲଗାଇ ରେକର୍ଡରେ ରଖିଥିଲେ। ହରିୟାଣା ପୁଲିସ ଉକ୍ତ ଦୁଇ କର୍ମଚାରୀଙ୍କ ବିରୋଧରେ ମାମଲା ରୁଜୁ କରିଛି।

 

ସମ୍ବନ୍ଧିତ ଖବର