ଯେଉଁ ପୁଲିସ୍‌ ନିୟମ ଭଙ୍ଗ କରୁଛନ୍ତି ସେମାନଙ୍କର ଫଟୋ ଉଠାଇ ଟୁଇଟର୍‌ରେ ପୋଷ୍ଟ କରିବାକୁ କହିଲା ଆଇପିଏଫ୍‌

ନୂଆଦିଲ୍ଳୀ: କେନ୍ଦ୍ର ସରକାରଙ୍କ ସହ ଯୋଡ଼ି ହୋଇଥିବା ଇଣ୍ଡିଆନ୍‌ ପୋଲିସ୍‌ ଫାଉଣ୍ଡେସନ୍‌ ଦେଶର ନାଗରିକମାନଙ୍କୁ ଏକ ନୂଆ ଦାୟିତ୍ୱ ଦେଇଛନ୍ତି। ଯେଉଁ ପୁଲିସ୍‌ ଅଧିକାରୀମାନେ ନିୟମ ଭଙ୍ଗ କରୁଛନ୍ତି ସେମାନଙ୍କର ଏକ ଫଟୋ ଉତ୍ତୋଳନ କରି ଟୁଇଟ୍‌ରେ ପୋଷ୍ଟ୍‍ କରିବା ପାଇଁ ଫାଉଣ୍ଡେସନ୍‌ ପକ୍ଷରୁ କୁହାଯାଇଛି। ଏହି ଘୋଷଣା କରିବା ପାଇଁ ଫାଉଣ୍ଡେସନ୍‌ ପକ୍ଷରୁ ଯେଉଁ ଟୁଇଟ୍‌ କରାଯାଇଛି ସେଥିରେ ଦେଖିବାକୁ ମିଳିଛି ଯେ ଦୁଇ ଜଣ ପୁଲିସ୍‌ ବାଇକ୍‌ରେ ବିନା ହେଲ୍‌ମେଟ୍‌ରେ ଯିବା ସହ ଗାଡ଼ି ଚଳାଇବା ସମୟରେ ଫୋନ୍‌ରେ ବ୍ୟସ୍ତ ଅଛନ୍ତି।

ଇଣ୍ଡିଆନ୍‌ ପୋଲିସ୍‌ ଫାଉଣ୍ଡେସନ୍‌ ପକ୍ଷରୁ ଯେଉଁ ଟୁଇଟ୍‌ କରାଯାଇଛି ତାହା ହେଲା, ‘ପୁଲିସ୍‌ ସମୁଦାୟ ନିଜ ମୁହଁକୁ ଦର୍ପଣରେ ଦେଖିବା ଦରକାର। ଏହି ବ୍ୟକ୍ତିମାନେ ଆପଣଙ୍କ ଭଲ କାମର ବି ମୂଲ୍ୟ କମ କରୁଛନ୍ତି। ଯେଉଁ ପୁଲିସ୍‌ ନିୟମ ଭଙ୍ଗ କରୁଛନ୍ତି ନାଗରିକାମାନେ ତାଙ୍କର ଫଟୋଗ୍ରାଫ ଉଠାଇ ଏଠାରେ ପୋଷ୍ଟ୍‍ କରନ୍ତୁ। ନାଗରିକମାନଙ୍କ ଅସ୍ୱୀକୃତି ହିଁ ପରିବର୍ତ୍ତନ ଆଣିପାରିବ।’

ଏଆଇଡିଏମ୍‌କେ ନେତ୍ରୀ ଭିକେ ଶଶିକଳାଙ୍କୁ ଜେଲ୍‌ ମଧ୍ୟରେ ସ୍ୱତନ୍ତ୍ର ସୁବିଧା ଯୋଗାଇ ଦିଆଯାଉଛି ବୋଲି ଖୁଲାସା କରି ଚର୍ଚ୍ଚାରେ ରହିଥିବା ଆଇପିଏସ୍‌ ଅଫିସର୍‌ ଡି ରୁପା ବି ଏହାକୁ ରିଟୁଇଟ୍‌ କରିଛନ୍ତି। ସେ ବର୍ତ୍ତମାନ କର୍ଣ୍ଣାଟକର ହୋମ ଗାର୍ଡ ଏବଂ ସିଭିଲ୍‌ ଡିଫେନ୍ସର ଇନ୍‌ସ୍ପେକ୍ଟର ଜେନେରାଲ୍‌ ଅଫ୍‌ ପୁଲିସ୍‌ ଭାବେ କାର୍ଯ୍ୟରତ।

ସମ୍ବନ୍ଧିତ ଖବର