ଫୋନ କଲେ କାଟି ଦେଉଛି ଦୂତାବାସ, ଭାରତ ସରକାର ଆମ ପାଇଁ କିଛି କରୁନାହାନ୍ତି; ୟୁକ୍ରେନରେ ଫସିଥିବା ଛାତ୍ରୀ କଲେ ଅଭିଯୋଗ

ନୂଆଦିଲ୍ଲୀ: ୫ଦିନ ହେଲାଣି ଋଷ-ୟୁକ୍ରେନ ମଧ୍ୟ‌ରେ ଯୁଦ୍ଧ ଲାଗି ରହିଛି। ଯୁୁଦ୍ଧ ପରିସ୍ଥିତିକୁ ଦେଖି କିଭରେ କର୍ଫ୍ୟୁ ଲାଗିଥିବା ବେଳେ ଆଜି କର୍ଫ୍ୟୁ ହଟାଯାଇଛି। ୟୁକ୍ରେନୀୟ ରାଜଧାନୀ କିଏଭ୍‌ରୁ ସପ୍ତାହାନ୍ତ କର୍ଫ୍ୟୁ ଉଠିଯାଇଥିବାରୁ ଦେଶର ପଶ୍ଚିମଭାଗକୁ ଚାଲିଯିବା ଲାଗି ଛାତ୍ରଛାତ୍ରୀମାନଙ୍କୁ ରେଳ ‌ଷ୍ଟେସନ୍‌କୁ ଯିବା ଲାଗି କିଏଭ୍‌ସ୍ଥିତ ଭାରତୀୟ ଦୂତାବାସ ଆଜି ପରାମର୍ଶ ଦେଇଛି। ତେବେ ଭାରତୀୟଙ୍କୁ ସୁରକ୍ଷିତ ସ୍ଥାନାନ୍ତ ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଥିବା ନେଇ ଭାରତ ସରକାର କହୁଥିବା ବେଳେ ଏବେ ସେଠାରେ ଫସିଥିବା ଭାରତୀୟ ଛାତ୍ରଛ‌ାତ୍ରୀ କିଛି ଭିନ୍ନ କଥା କହିଛନ୍ତି। ଭାରତ ସରକାର ସେମାନଙ୍କୁ ସ୍ଥାନାନ୍ତର କରିବା ପାଇଁ କିଛି କରୁନଥିବା କହିଛନ୍ତି ଭାରତୀୟ ଛାତ୍ରଛାତ୍ରୀ।

ବିଜେପି ସାଂସଦ ବରୁଣ ଗାନ୍ଧୀ ସେୟାର କରିଥିବା ‌ଭିଡିଓରେ ଜଣେ ଛାତ୍ରୀ କହୁଛନ୍ତି ଯେ, ଯେଉଁଠି ଅନ୍ୟ ଦେଶମାନେ ସେମାନଙ୍କ ନାଗରିକମାନଙ୍କୁ ୟୁକ୍ରେନରୁ ସୁରକ୍ଷିତ ଭାବେ ସ୍ଥାନାନ୍ତର କରିଛନ୍ତି, ସେଠି ଭାରତ ସରକାର ଆମ ପାଇଁ କିଛି କରୁନାହାଁନ୍ତି। ପଶ୍ଚିମ ୟୁକ୍ରେନକୁ ଫେରିବା ପାଇଁ ଭାରତୀୟ ଦୂତାବାସ ପରାମର୍ଶ ଦେଇଛି। ହେଲେ ତାହା ଆମେ ରହୁଥିବା ସ୍ଥାନରୁ ୮୦୦ କିଲୋମିଟର ଦୂରରେ ଅଛି ଏବଂ ସରକାରୀ ସହାୟତା ବିନା ଏତେ ଦୂର ଯିବା ପାଇଁ କୌଣସି ମାଧ୍ୟମ ନାହିଁ। ଆମେ ଭାରତୀୟ ଦୂତାବାସର କର୍ମଚାରୀଙ୍କୁ ଫୋନ କରୁଥିଲେ ବି ସେ ଆମର ଫୋନ ବାରମ୍ବାର କାଟିବାରେ ଲାଗିଛନ୍ତି। ଆମର ମାର୍ଗଦର୍ଶନ କରିବା ପରିବର୍ତ୍ତେ ସେମାନେ ଆମକୁ ସମ୍ପୂର୍ଣ୍ଣ ଭାବରେ ଅବହେଳା କରୁଛନ୍ତି।

ଛାତ୍ରୀଙ୍କ ଏଭଳି ଭିଡିଓ ପରେ ଭାରତ ସରକାରଙ୍କୁ ସମଲୋଚନା କରି ବିଜେପି ସାଂସଦ ବରୁଣ ଗାନ୍ଧୀ କହିଛନ୍ତି ଯେ, ଅବ୍ୟବସ୍ଥା ମଧ୍ୟରେ ୧୫,୦୦୦ ରୁ ଅଧିକ ଛାତ୍ରଛାତ୍ରୀ ୟୁକ୍ରେନରେ ଅଟକି ରହିଛନ୍ତି କାରଣ ସରକାର ଠିକ୍ ସମୟରେ ନିଷ୍ପତ୍ତି ନେଇ ନାହାଁନ୍ତି। ଠୋସ୍ ରଣନୈତିକ ଏବଂ କୂଟନୈତିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ସେମାନଙ୍କୁ ସୁରକ୍ଷିତ ଫେରାଇ ଆଣିବା ଆମର ଦାୟିତ୍ବ।

ସମ୍ବନ୍ଧିତ ଖବର