ପାକିସ୍ତାନରେ ଟାର୍ଗେଟ କିଲିଂରେ ଭାରତର ହାତ ପ୍ରସଙ୍ଗ: ଆମେରିକା କହିଲା ସ୍ଥିତି ଉପରେ ରଖିଛି ନଜର କିନ୍ତୁ ‌ହେବିନି ମଧ୍ୟସ୍ଥି

ୱାଶିଂଟନ: ବ୍ରିଟିଶ ଖବର କାଗଜ ଦି ଗାର୍ଜିୟନରେ ଦାବି କରାଯାଇଛି ଗତ କିଛି ମାସ ଧରି ପାକିସ୍ତାନରେ ଜାରି ରହିଥିବା ଟାର୍ଗେଟ କିଲିଂରେ ଭାରତର ହାତ ରହିଛି। ଭାରତ ଏସବୁ ଗୁପ୍ତ ଅପରେସନ ପାଇଁ ଦାୟୀ। ପରେ ପାକିସ୍ତାନ ସରକାର ମଧ୍ୟ ଭାରତ ବିରୋଧରେ ଟାର୍ଗେଟ କିଲିଂ ଅଭିଯୋଗ ଆଣିଛନ୍ତି। ଅଭିଯୋଗ ହୋଇଛି ୨୦୨୦ଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ପାକିସ୍ତାନରେ ହୋଇଥିବା ୨୦ ହତ୍ୟା ମାମଲାରେ ଭାରତୀୟ ଗୋଇନ୍ଦା ସଂସ୍ଥା ‘ର’ର ହାତ ରହିଛି। ଏବେ ଏହାକୁ ନେଇ ଆମେରିକା ମଧ୍ୟ ନିଜର ପ୍ରତିକ୍ରିୟା ଦେଇଛି। ଆମେରିକା ମିଡ଼ିଆ ରିପୋର୍ଟ ଉପରେ ନିଜର ମନ୍ତବ୍ୟ ଦେଇ ଆମେରିକା‌ କହିଛି ସ୍ଥିତି ଉପରେ ଆମେ ନଜର ରଖିଛୁ କିନ୍ତୁ ‌ଏହି ପ୍ରସଙ୍ଗରେ ମଧ୍ୟସ୍ଥି ହୋଇ ଆମେ ମଝିରେ ପଶିବାକୁ ଚାହୁଁନାହୁଁ।

ପାକିସ୍ତାନ ଚାହୁଁଥିଲା କାନାଡ଼ା ଭଳି ଆମେରିକା ମଧ୍ୟ ଏହି ପ୍ରସଙ୍ଗରେ ସମର୍ଥନ କରିବ। ଏହାପରେ ଏହି ପ୍ରସଙ୍ଗକୁ ଅନ୍ତର୍ଜାତୀୟସ୍ତରରେ ଉଠାଯିବ। କିନ୍ତୁ ଆମେରିକା ମଧ୍ୟସ୍ଥି ହେବାକୁ ପଛଘୁଞ୍ଚା ଦେବାରୁ ପାକିସ୍ତାନ ନିରାଶ ହୋଇଛି।

ଏହି ପ୍ରସଙ୍ଗରେ ଆମେରିକା ବିଦେଶ ବିଭାଗ ପ୍ରବକ୍ତା ମାଥ୍ୟୁ ମିଲରଙ୍କୁ ପ୍ରଶ୍ନ କରାଯାଇଥିଲା। ସେ ଏହାର ଉତ୍ତରରେ କହିଛନ୍ତି ଆମେ ମିଡ଼ିଆ ରିପୋର୍ଟକୁ ଫଲୋ କରୁଛୁ। ତେବେ ଏହି ପ୍ରସଙ୍ଗ ଉପରେ କୌଣସି ଟିପ୍ପଣୀ ଦେବୁ ନାହିଁ। ନିଶ୍ଚିତ ଭାବେ ଆମେ ଏହି ପ୍ରସଙ୍ଗ ମଝିରେ ପଶିବାକୁ ଚାହିଁବୁ ନାହିଁ। ତେବେ ଆମେ ଉଭୟ ପକ୍ଷଙ୍କୁ ଆପୋଷ ଆଲୋଚନା ମାଧ୍ୟମରେ ମାମଲାର ସମାଧାନ ପାଇଁ ପ୍ରୋତ୍ସାହିତ କରିବୁ।

ପ୍ରକାଶିତ ରିପୋର୍ଟରେ ଉଲ୍ଲେଖ କରାଯାଇଛି ପିଏମ୍ଓ ସିଧାସଳଖ ‘ର’କୁ ନିୟନ୍ତ୍ରିତ କରୁଛି। ୨୦୧୯ ପରେ ଏଭଳି ହତ୍ୟାକୁ କାର୍ଯ୍ୟକାରୀ କରାଯାଇଛି।

ସମ୍ବନ୍ଧିତ ଖବର