ପ୍ରଥମ ପ୍ରଧାନମନ୍ତ୍ରୀଙ୍କୁ ନେଇ କଙ୍ଗନା-ସୁପ୍ରିୟା ମୁହାଁମୁହିଁ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନକୁ ନେଇ ଏବେ ଦେଶରେ ରାଜନୈତିକ ମାହୋଲ ସରଗରମ ଥିବାବେଳେ ବର୍ତ୍ତମାନ ମଣ୍ଡି ସଂସଦୀୟ ନିର୍ବାଚନମଣ୍ଡଳୀରୁ ବିଜେପି ପ୍ରାର୍ଥୀ କଙ୍ଗନା ରାନାୱତ ଏବଂ କଂଗ୍ରେସର ଜାତୀୟ ମୁଖପାତ୍ର ସୁପ୍ରିୟା ଶ୍ରୀନେତଙ୍କ ମଧ୍ୟରେ ବୟାନ ଯୁଦ୍ଧ ଆରମ୍ଭ ହୋଇଯାଇଛି | ବାସ୍ତବରେ ସ୍ୱାଧୀନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପ୍ରସଙ୍ଗକୁ ନେଇ କଂଗ୍ରେସର ଜାତୀୟ ମୁଖପାତ୍ର ସୁପ୍ରିୟା ଶ୍ରୀନେତ କଙ୍ଗନାଙ୍କୁ ଟାର୍ଗେଟ କରିଛନ୍ତି | ଆଉ କଙ୍ଗନା ମଧ୍ୟ ସୁପ୍ରିୟାଙ୍କୁ କଡା ଜବାବ ଦେଇଛନ୍ତି | ସୁପ୍ରିୟା କଙ୍ଗନା ରାନାୱତଙ୍କ ସାକ୍ଷାତକାରର ଭିଡିଓକୁ ପୋଷ୍ଟ କରି ଲେଖିଥିଲେ ଯେ ତାଙ୍କୁ ହାଲୁକା ଭାବେ ଗ୍ରହଣ କର ନାହିଁ, ସେ ବିଜେପି ନେତାଙ୍କ ତାଲିକାରେ ଆଗକୁ ଆସିବେ। ଏହାପୂର୍ବରୁ କଙ୍ଗନା ରାନାୱତ ବିଜେପି ଟିକେଟ୍ ପାଇବା ପରେ ସୁପ୍ରିୟା ଶ୍ରୀନେତ ତାଙ୍କର ଏକ ଫଟୋ ସେୟାର କରି ଲେଖିଥିଲେ ଯେ ମଣ୍ଡିରେ କଣ ମୂଲ୍ୟ ଚାଲିଛି?

ଏହି ଅଶ୍ଳୀଳ ମନ୍ତବ୍ୟକୁ ନେଇ ବିଜେପି ଦୃଢ଼ ବିରୋଧ କରିଥିଲା । ନିର୍ବାଚନ ଆୟୋଗଙ୍କ ନିକଟରେ ଅଭିଯୋଗ ମଧ୍ୟ କରିଥିଲେ। ଏପରି ଶବ୍ଦ ବ୍ୟବହାର ନକରିବା ପାଇଁ ଆୟୋଗ ସୁପ୍ରିୟା ଶ୍ରୀନେତଙ୍କୁ ଚେତାବନୀ ଦେଇଥିଲେ। ନିକଟରେ ଏକ ଟିଭି ଚ୍ୟାନେଲକୁ ଦିଆଯାଇଥିବା ସାକ୍ଷାତକାରରେ କଙ୍ଗନା ରାନାୱତ ସୁଭାଷ ଚନ୍ଦ୍ର ବୋଷଙ୍କୁ ସ୍ୱାଧୀନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ବୋଲି କହିଥିଲେ। କଙ୍ଗନା ଶୁକ୍ରବାର ଦିନ ଏକ୍ସରେ ଏକ ପୋଷ୍ଟ ସେୟାର କରିଥିଲେ । ଏଥିରେ ଏକ ନ୍ୟୁଜ୍ କ୍ଲିପିଂ ମଧ୍ୟ ଦେଖିବାକୁ ମିଳିଥିଲା | ଏଥିରେ ସେ କହିଥିଲେ ଯେ ୨୧ ଅକ୍ଟୋବର ୧୯୪୩ ରେ ଭାରତର ମଧ୍ୟବର୍ତ୍ତୀକାଳୀନ ସରକାର ଗଠନ କରାଯାଇଥିଲା ଯେଉଁଥିରେ ସୁଭାଷ ଚନ୍ଦ୍ର ବୋଷ ନିଜକୁ ପ୍ରଧାନମନ୍ତ୍ରୀ ଘୋଷଣା କରିଥିଲେ। ୧୧ ଜଣ ମନ୍ତ୍ରୀ ମଧ୍ୟ ହୋଇଥିଲେ। ଏହି ସମୟ ମଧ୍ୟରେ ଭାରତର କିଛି ଅଂଶ ବ୍ରିଟିଶମାନଙ୍କଠାରୁ ମୁକ୍ତ ହୋଇଥିଲେ।

ସମ୍ବନ୍ଧିତ ଖବର