ଶାହଙ୍କ ବାସଭବନ ବାହାରେ କୁକି ସମ୍ପ୍ରଦାୟର ଆନ୍ଦୋଳନ; ପ୍ରଧାନମନ୍ତ୍ରୀ ନିରବ କାହିଁକି:କଂଗ୍ରେସ

ନୂଆଦିଲ୍ଲୀ: ମଣିପୁରରେ ଜାତିଆଣ ହିଂସା ପୁଣି ଉଗ୍ର ରୂପ ନେଇଥିବା ବେଳେ କୁକି ସମ୍ପ୍ରଦାୟ ସଦସ୍ୟମାନେ ଆଜି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ନୂଆଦିଲ୍ଲୀ ସ୍ଥିତ ବାସଭବନ ବାହାରେ ଆନ୍ଦୋଳନ କରିଛନ୍ତି। ହାତରେ ‘ସେଭ୍‌ କୁକି ଲାଇଭ୍‌ସ’ ବାର୍ତ୍ତା ଥିବା ପ୍ଲାକାର୍ଡ ଧରି ଆନ୍ଦୋଳନକାରୀମାନେ ‌ସ୍ଲୋଗାନ ଦେଇଛନ୍ତି। ଆନ୍ଦୋଳନକାରୀଙ୍କ ମଧ୍ୟରୁ ୪ ଜଣଙ୍କୁ ଗୃହମନ୍ତ୍ରୀଙ୍କ ବାସଭବନ ଯିବାପାଇଁ ଅନୁମତି ମିଳିଛି ଓ ଅନ୍ୟମାନଙ୍କୁ ଜନ୍ତର ମନ୍ତର ପଠାଇ ଦିଆଯାଇଛି।

ଉଲ୍ଲେଖଯୋଗ୍ୟ, ମଣିପୁରରେ ଗତ ମେ’ ୩ ତାରିଖରୁ ଲାଗି ରହିଥିବା ହିଂସା ଯୋଗୁଁ ୧୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହେଲାଣି। ୩୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ମୋଟ୍‌ ୩୭,୪୫୦ ଲୋକ ଏବେ ୨୭୨ ରିଲିଫ୍‌ ଶିବିରରେ ରହିଛନ୍ତି। ରାଜ୍ୟରେ ହିଂସା ବଢ଼ୁଥିବାରୁ କଂଗ୍ରେସ ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟାର୍ଗେଟ୍‌ କରିଛି। ମଣିପୁର ହିଂସା ନେଇ ପ୍ରଧାନମନ୍ତ୍ରୀ ନିରବ କାହିଁକି ବୋଲି କଂଗ୍ରେସ ପ୍ରଶ୍ନ କରିଛି। କଂଗ୍ରେସ ସାଧାରଣ ସଂପାଦକ ଜୟରାମ ରମେଶ କହିଛନ୍ତି, ପ୍ରଧାନମନ୍ତ୍ରୀ ମଣିପୁର ଗସ୍ତ କରି ଦୁଇ ସମ୍ପ୍ରଦାୟ ମଧ୍ୟରେ ଶାନ୍ତି ରକ୍ଷା ପାଇଁ ଅନୁରୋଧ କାହିଁକି କରୁନାହାନ୍ତି ତାହାର ଜବାବ ଦେବାକୁ ହେବ। ମଣିପୁରକୁ ଏକ ସର୍ବ ଦଳୀୟ ପ୍ରତିନିଧି ଦଳ ଯିବାପାଇଁ ମଧ୍ୟ ପ୍ରଧାନମନ୍ତ୍ରୀ ଉତ୍ସାହିତ କରିବାକୁ ସେ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର