ଅସମ୍ଭବ ହେଲା ସମ୍ଭବ ! କାର୍‌ ଧକ୍କାରେ ମେରୁଦଣ୍ଡରୁ ଅଲଗା ହୋଇଗଲା ବାଳକର ମୁଣ୍ଡ, ଅସ୍ତ୍ରୋପଚାର କରି ଯୋଡ଼ିଦେଲେ ଡାକ୍ତର

ନୂଆଦିଲ୍ଲୀ: ସାଇକେଲ ଚଳାଉଥିବା ବେଳେ ଏକ କାର୍‌ ଧକ୍କାରେ ଜଣେ ୧୨ ବର୍ଷୀୟ ବାଳକର ମେରୁଦଣ୍ଡରୁ ମୁଣ୍ଡ ଅଲଗା ହୋଇଯାଇ ଥିବାବେଳେ ଇସ୍ରାଏଲର ଡାକ୍ତରମାନେ ଅତ୍ୟନ୍ତ ଅସ୍ୱାଭାବିକ ଓ ଜଟିଳ ଅସ୍ତ୍ରୋପଚାର କରି ବାଳକର ମୁଣ୍ଡକୁ ପୁଣିଥରେ ତା’ ମେରୁଦଣ୍ଡରେ ସଫଳତା ପୂର୍ବକ ଯୋଡ଼ି ଦେଇଛନ୍ତି। ଇସ୍ରାଏଲୀ ଡାକ୍ତରଙ୍କ ଏ ବିରଳ ସଫଳତା ଏକ ‘ଚମତ୍କାର’ ଠାରୁ କୌଣସି ଗୁଣରେ କମ ନୁହେଁ।

ମିଳିଥିବା ସୂଚନା ଅନୁଯାୟୀ, ସୁଲେମାନ ହାସନ ରାସ୍ତାରେ ସାଇକେଲ ଚଳାଉଥିବା ବେଳେ ଏକ କାର ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ। କାର ସହ ଦୁର୍ଘଟଣା ଘଟିବା ପରେ ତାଙ୍କ ମେରୁଦଣ୍ଡର ଉପର ଭାଗରୁ ଅର୍ଥାତ୍‌ ବେକରୁ ମୁଣ୍ଡ ଅଲଗା ହୋଇଯାଇଥିଲା। ତେବେ, ଦୁର୍ଘଟଣା ଘଟିବା ପରେ ପରେ କାଳବିଳମ୍ବ ନକରି ବାଳକ ଜଣଙ୍କୁ ଏୟାରଲିଫ୍‌ଟ କରି ହାଡାସା ମେଡିକାଲ ସେଣ୍ଟରକୁ ନିଆଯାଇଥିଲା। ସେଠାରେ ଡାକ୍ତରମାନେ ବାଳକଟିର ଜରୁରୀକାଳୀନ ଅସ୍ତ୍ରୋପଚାର କରିଥିଲେ। ଡାକ୍ତରଙ୍କ କହିବା ଅନୁସାରେ, ଦୁର୍ଘଟଣାରେ ଆହତ ବାଳକଟିର ମୁଣ୍ଡ ବେକ ମୂଳରୁ ସମ୍ପୂର୍ଣ୍ଣ ଅଲଗା ହୋଇଯାଇଥିଲା।

ଏହି ବରଳ ଅସ୍ତ୍ରୋପଚାରର ତଦାରଖ କରୁଥିବା ଅସ୍ଥିଶଲ୍ୟ ବିଶେଷଜ୍ଞ ଡାକ୍ତର ଓହାଦ ଆଇନାଭ ‘ଟାଇମ୍‌ସ ଅଫ୍‌ ଇସ୍ରାଏଲ’କୁ କହିଛନ୍ତି ଯେ ଏଥିପାଇଁ ଅନେକ ଘଣ୍ଟା ସମୟ ଲାଗିଥିଲା। ବାଳକଟିର କ୍ଷତିଗ୍ରସ୍ତ ସ୍ଥାନରେ ନୂତନ ପ୍ଲେଟ୍‌ ଏବଂ ଫିକ୍ସସନ ଲଗାଇବା ଆବଶ୍ୟକ ଥିଲା। ଏପରିସ୍ଥିତିରେ ପିଲାଟିକୁ ବଞ୍ଚାଇବାରେ ଆମର ଦକ୍ଷତା, ଆମର ଜ୍ଞାନ ଏବଂ ଅପରେଟିଂ ରୁମ୍‌ର ସବୁଠାରୁ ଅଭିନବ ଜ୍ଞାନକୌଶଳ ସହାୟକ ହୋଇଛି ବୋଲି ସେ କହିଛନ୍ତି। ସର୍ଜନମାନେ ମଧ୍ୟ ବିଶ୍ୱାସ କରନ୍ତି ଯେ ଏହି ବାଳକଙ୍କ ଆରୋଗ୍ୟ କୌଣସି ଚମତ୍କାର ଠାରୁ କମ୍‌ ନୁହେଁ; କାରଣ ପିଲାଟିର ବଞ୍ଚିବାର ମାତ୍ର ୫୦ ପ୍ରତିଶତ ସମ୍ଭାବନା ଥିଲା।

ଗତ ମାସରେ ଏହି ଅସ୍ତ୍ରୋପଚାର ହୋଇଥିଲେ ହେଁ ଜୁଲାଇ ମାସ ପର୍ଯ୍ୟନ୍ତ ଡାକ୍ତରମାନେ ଫଳାଫଳ ସାର୍ବଜନୀନ କରିନଥିଲେ। ନିକଟରେ ହାସନଙ୍କୁ ସର୍ଭିକାଲ ସ୍ପ୍ଲିଣ୍ଟ ଦେଇ ଡାକ୍ତରଖାନାରୁ ଡିସଚାର୍ଜ କରାଯାଇଥିଲା। ହସ୍ପିଟାଲ କର୍ତ୍ତୃପକ୍ଷ କହିଛନ୍ତି ଯେ ସେମାନେ ତାଙ୍କ ଆରୋଗ୍ୟ ଉପରେ ନଜର ରଖିବେ।

ଡାକ୍ତର ଆଇନାଭ ଗଣମାଧ୍ୟମକୁ କହିଛନ୍ତି ଯେ, ଏହା ଅତ୍ୟନ୍ତ ବିରଳ ଅସ୍ତ୍ରୋପଚାର। ଏଥିପାଇଁ ବିଶେଷଜ୍ଞ ଡାକ୍ତରଙ୍କ ଆବଶ୍ୟକତା ରହିଛି। ଏହା ଆଦୌ ଏକ ସାଧାରଣ ଅସ୍ତ୍ରୋପଚାର ନୁହେଁ, ବିଶେଷ କରି ଶିଶୁ ଏବଂ କିଶୋରମାନଙ୍କ କ୍ଷେତ୍ରରେ ନୁହେଁ। ଏଥିପାଇଁ ଜଣେ ସର୍ଜନଙ୍କୁ ଜ୍ଞାନ ଓ ଅଭିଜ୍ଞତାର ଆବଶ୍ୟକତା ରହିଛି।

ଆହତ ବାଳକର ବାପା କୌଣସି ମୁହୂର୍ତ୍ତରେ ପୁଅର ପାଖ ଛାଡି ନଥିଲେ। ତାଙ୍କର ଏକମାତ୍ର ପୁଅକୁ ବଞ୍ଚାଇଥିବାରୁ ସେ ହସ୍ପିଟାଲ କର୍ମଚାରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଆପଣଙ୍କୁ ଧନ୍ୟବାଦ ଯେ ପ୍ରତିକୂଳ ପରିସ୍ଥିତି ଏବଂ ବିପଦ ସ୍ପଷ୍ଟ ଥିବା ବେଳେ ମଧ୍ୟ ମୋ ପୁଅ ନିଜ ଜୀବନ ଫେରି ପାଇଛି। ମୁଁ କେବଳ ଏତିକି କହିପାରିବି ଯେ ‘ଆପଣଙ୍କୁ ଧନ୍ୟବାଦ’, ବୋଲି ସେ ମେଡିକାଲ କର୍ମଚାରୀଙ୍କୁ କହିଛନ୍ତି।

ସମ୍ବନ୍ଧିତ ଖବର