ଆଲୋଚନା ମାଧ୍ୟମରେ ରୁଷ-ୟୁକ୍ରେନ ବିବାଦର ସମାଧାନ ହେଉ : ମୋଦୀ

ପ୍ୟାରିସ୍ : ଆଲୋଚନା ଏବଂ କୂଟନୀତି ମାଧ୍ୟମରେ ୟୁକ୍ରେନ ଓ ରୁଷ ମଧ୍ୟରେ ଥିବା ସମସ୍ତ ବିବାଦର ସମାଧାନ ହେବା ଉଚିତ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି । ସ୍ଥାୟୀ ଶାନ୍ତି ଫେରାଇ ଆଣିବା ରେ ସହଯୋଗ କରିବାକୁ ଭାରତ ପ୍ରସ୍ତୁତ ଅଛି ବୋଲି ସେ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନଙ୍କ ସହ ଅନୁଷ୍ଠିତ ମିଳିତ ସାମ୍ବାଦିକ ସମ୍ମିଳନୀ ଅବସରରେ କହିଛନ୍ତି ।

ମିଳିତ ସାମ୍ବାଦିକ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଆମେ ସମସ୍ତ କ୍ଷେତ୍ରରେ ବିସ୍ତୃତ ଭାବରେ କଥା ହୋଇଛୁ । ଅର୍ଥନୈତିକ ସମ୍ପର୍କକୁ ସୁଦୃଢ଼ କରିବା ଆମର ପ୍ରାଥମିକତା। ଏହା ଭାରତ-ଫ୍ରାନ୍ସ ବନ୍ଧୁତାର ଏକ ନୂଆ ଯୁଗର ଆରମ୍ଭ। ଆମେ ୨୫ ବର୍ଷର ରୋଡ୍ ମ୍ୟାପ୍ ପ୍ରସ୍ତୁତ କରିଛୁ। ଫ୍ରାନ୍ସର ରାଷ୍ଟ୍ରପତି ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଫ୍ରାନ୍ସ ଆମର ପ୍ରାକୃତିକ ସହଯୋଗୀ । ଆମେ ଏବେ ବ୍ଲୁ ଇକୋନୋମି ରେ ଏକାଠି କାମ କରିବାକୁ ଚାହୁଁଛୁ ।  ସେ ଆହୁରି ମଧ୍ୟ କହିଛନ୍ତି ଯେ ଫ୍ରାନ୍ସରେ ୟୁପିଆଇକୁ ଲଞ୍ଚ୍ କରାଯିବ ।

ଏହି ଅବସରରେ ରାଷ୍ଟ୍ରପତି ମାକ୍ରୋନ କହିଛନ୍ତି ଯେ, ଆତଙ୍କବାଦ ବିରୋଧରେ ଲଢ଼େଇରେ ଦୁଇ ଦେଶ ଏକାଠି ଅଛନ୍ତି ।  ଚଳିତ ବର୍ଷ ଭାରତରେ ହେଉଥିବା ଜି-୨୦ ଶିଖର ସମ୍ମିଳନୀରେ ଯୋଗ ଦେବା ପାଇଁ ଅପେକ୍ଷା କରିଛି ।

ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି ଫ୍ରାନ୍ସରେ ଆୟୋଜିତ ବାଷ୍ଟିଲ ଡେ ପ୍ୟାରେଡରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଫ୍ରାନ୍ସ ପ୍ରତିବର୍ଷ ଜୁଲାଇ ୧୪ ରେ ଏହାର ଜାତୀୟ ଦିବସ ପାଳନ କରିଥାଏ ।

ସମ୍ବନ୍ଧିତ ଖବର