ଆଜିର ଭାରତ ଆତଙ୍କବାଦକୁ ସହିବ ନାହିଁ : ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର କହିଛନ୍ତି ଯେ ଏହା ଏକ ନୂଆ ଭାରତ ଏବଂ ଏହି ଭାରତ ଆତଙ୍କବାଦର କ୍ଷତକୁ ସହିବ ନାହିଁ। ନ୍ୟୁଜ୍ ୧୮ ପକ୍ଷରୁ ଆୟୋଜିତ ରାଇଜିଂ ଇଣ୍ଡିଆ ସମିଟରେ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଥିଲେ ୫ ବର୍ଷ ପୂର୍ବେ ଏହି ରାଇଜିଂ ଇଣ୍ଡିଆ ସମିଟରେ ଆମେ ଶାନ୍ତଭାବେ ବସିଥିଲୁ, ସେପଟେ ଦେଶ ବାଲାକୋଟ୍ ସର୍ଜିକାଲ ଷ୍ଟ୍ରାଇକ୍ ପାଇଁ ପ୍ରସ୍ତୁତ ହେଉଥିଲା ।

ପ୍ରଧାନମନ୍ତ୍ରୀ ମୋଦୀ ଆହୁରି କହିଛନ୍ତି ଯେ କେବଳ ଏକ ସୁରକ୍ଷିତ ଭାରତ ହିଁ ଏକ ବିକଶିତ ରାଷ୍ଟ୍ରର ଆଧାର ହୋଇପାରିବ । ଏହା ହେଉଛି ଭାରତର ପରିଚୟ ଏବଂ ଏହା ହେଉଛି ଉଦୀୟମାନ ଭାରତ । ପାକିସ୍ତାନର ନାମ ନ ନେଇ ସେ କହିଛନ୍ତି ଯେ ନୂଆ ଭାରତ ମଧ୍ୟ ଶିକ୍ଷା ଶିଖାଉଛି। ଯେଉଁମାନେ ଆତଙ୍କୀ ଆକ୍ରମଣ କରି ଆମକୁ ଆଘାତ ଦେଉଥିଲେ, ସେମାନଙ୍କ ଅବସ୍ଥା କ’ଣ ତାହା ଆମେ ଓ ସାରା ବିଶ୍ବ ଦେଖୁଛି ।

ଦୁର୍ନୀତି ସମ୍ପର୍କରେ ସେ କହିଛନ୍ତି , ଆଜି ସରକାରୀ କାର୍ଯ୍ୟାଳୟଗୁଡ଼ିକ ସେବା କେନ୍ଦ୍ରରେ ପରିଣତ ହୋଇଛି। ପୂର୍ବରୁ ସରକାରୀ କାର୍ଯ୍ୟାଳୟଗୁଡ଼ିକ କ୍ଷମତା କେନ୍ଦ୍ରରେ ପରିଣତ ହୋଇଥିଲା । ପୂର୍ବରୁ ୨ଜି କ୍ରୟକୁ ନେଇ ବଡ଼ ଧରଣର ଦୁର୍ନୀତି ହୋଇଥିଲା। ପୂର୍ବ ସରକାରଙ୍କ ଅମଳରେ ବଡ଼ ବଡ଼ ଦୁର୍ନୀତି ହେଉଥିଲା । ସାଂସଦଙ୍କ ଘରୁ ବିଡ଼ା ବିଡ଼ା ନୋଟ ବାହାରୁଥିଲା । କିନ୍ତୁ ଆଜି ସରକାର ଦୁର୍ନୀତି ଉପରେ କାର୍ଯ୍ୟାନୁଷ୍ଠାନ ନେଉଛନ୍ତି।

ସମ୍ବନ୍ଧିତ ଖବର