ଜାତୀୟ ଚଳଚ୍ଚିତ୍ର ପୁରସ୍କାର: ‘ପ୍ରତୀକ୍ଷା’ ପାଇଁ ପୁରସ୍କାର ନେଲେ ଅନୁପମ

‘ଦ ହିଲିଂ ଟଚ୍‌’ ପାଇଁ ଆଉ ଜଣେ ଓଡ଼ିଆ ଶ୍ବେତକୁମାରଙ୍କୁ ସ୍ବତନ୍ତ୍ର ସ୍ବୀକୃତି

ନୂଆଦିଲ୍ଲୀ: ଫିଚର ଫିଲ୍ମ ବର୍ଗରେ ଓଡ଼ିଆ ଚଳଚ୍ଚିତ୍ର ‘ପ୍ରତୀକ୍ଷା’କୁ ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଜାତୀୟ ଚଳଚ୍ଚିତ୍ର ପୁରସ୍କାରରେ ସମ୍ମାନିତ କରିଛନ୍ତି। ଦିଲ୍ଲୀର ବିଜ୍ଞାନ ଭବନରେ ଆୟୋଜିତ ୬୯ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ବିତରଣ ସମାରୋହରେ ଅମୀୟ ପଟ୍ଟନାୟକ ପ୍ରଡକ୍ସନ ପକ୍ଷରୁ ପ୍ରାୟୋଜିତ ଚଳଚ୍ଚିତ୍ର ପ୍ରତୀକ୍ଷାର ନିର୍ଦ୍ଦେଶକ ଅନୁପମ ପଟ୍ଟନାୟକ ରାଷ୍ଟ୍ରପତିଙ୍କ ଠାରୁ ପୁରସ୍କାର ଗ୍ରହଣ କରିଥିଲେ। ପୁରସ୍କାର ବାବଦକୁ ପ୍ରତୀକ୍ଷାକୁ ରଜତ କମଳ ସହ ନଗଦ ଏକ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି। ଏହି ସମାରୋହରେ କେନ୍ଦ୍ର ସୂଚନା ପ୍ରସାରଣ, ଯୁବ ଓ କ୍ରୀଡ଼ା ବ୍ୟାପାର ମନ୍ତ୍ରୀ ଅନୁରାଗ ସିଂହ ଠାକୁର, କେନ୍ଦ୍ର ସୂଚନା ପ୍ରସାରଣ ରାଷ୍ଟ୍ରମନ୍ତ୍ରୀ ଡ.ଏଲ୍‌. ମୁରୁଗନ ଏବଂ ମନ୍ତ୍ରାଳୟର ଅନ୍ୟ ବରିଷ୍ଠ ଅଧିକାରୀଙ୍କ ସମେତ ବହୁସଂଖ୍ୟାରେ ଚଳଚ୍ଚିତ୍ରପ୍ରେମୀ ଉପସ୍ଥିତ ଥିଲେ।

ପୁରସ୍କାର ଗ୍ରହଣ କରିବା ପରେ ଚଳଚ୍ଚିତ୍ର ନିର୍ଦ୍ଦେଶକ ଅନୁପମ ପଟ୍ଟନାୟକ ପ୍ରତିକ୍ରିୟା ଦେଇ କହିଛନ୍ତି, ପ୍ରଥମ ଥର ଜାତୀୟ ପୁରସ୍କାର ପାଇଥିବାରୁ ମୋ ସ୍ବପ୍ନ ସାର୍ଥକ ହେଲା ଭଳି ଲାଗୁଛି। ‌‌ମୋର ବାପା ସ୍ବର୍ଗତ ଅମିୟ ପଟ୍ଟନାୟକଙ୍କୁ ମଧ୍ୟ ତାଙ୍କର ପ୍ରଥମ ଚଳଚ୍ଚିତ୍ର ‘ହାକିମ ବାବୁ’ ପାଇଁ ଜାତୀୟ ପୁରସ୍କାର ମିଳିଥିଲା। ମୋତେ ବି ପ୍ରଥମ ଚଳଚ୍ଚିତ୍ରରେ ଜାତୀୟ ପୁରସ୍କାର ମିଳିଲା ଯାହା ବହୁତ ଖୁସିର କଥା। ଏହା ମୋ ପାଇଁ ସ୍ମରଣୀୟ ମୁହୂର୍ତ୍ତ। ଏହା କେବଳ ମୋର ଚଳଚ୍ଚିତ୍ର ନଥିଲା ଏହାର ଶ୍ରେୟ ସମଗ୍ର ଟିମ୍‌କୁ ଯାଉଛି। ସିନେମା ହଲ୍‌କୁ ଦର୍ଶକ ଆସି ଏହି ଚଳଚ୍ଚିତ୍ର ଦେଖନ୍ତୁ, ସହଯୋଗ କରନ୍ତୁ। ସିନେମାକୁ ନ ଜାଣି ଅଯଥା ଟ୍ରୋଲ୍‌ କରନ୍ତୁ ନାହିଁ ବୋଲି ଶ୍ରୀ ପଟ୍ଟନାୟକ ଏହି ଅବସରରେ ସମସ୍ତଙ୍କୁ ନିବେଦନ କରିଛନ୍ତି।

ସୂଚନାଯୋଗ୍ୟ, ଯୁବ ନିର୍ଦ୍ଦେଶକ ଅନୁପମ ପଟ୍ଟନାୟକଙ୍କ ଦ୍ବାରା ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରରେ ମଧ୍ୟବିତ୍ତ ପରିବାରରେ ବାପପୁଅଙ୍କ ସଂପର୍କ ଓ ଚାକିରି ପାଇଁ କେମିତି ପୁଅ ସମସ୍ୟା ଭୋଗ କରେ ସେହି କାହାଣୀକୁ ଦର୍ଶାଯାଇଛି। ବିଶିଷ୍ଟ କଥାକାର ଗୌରହରି ଦାସଙ୍କ କ୍ଷୁଦ୍ରଗଳ୍ପ ‘ବାପା’ର କାହାଣୀକୁ ନେଇ ଚଳଚ୍ଚିତ୍ର ତିଆରି ହୋଇଛି। ଚଳଚ୍ଚିତ୍ର ୨୦୨୨ ଡିସେମ୍ବର ୨ ତାରିଖରେ ମୁକ୍ତି ଲାଭ କରିଥିଲା। ଏହି ଚଳଚ୍ଚିତ୍ର ଦର୍ଶକମାନଙ୍କ ଦ୍ବାରା ବେଶ୍‌ ଆଦୃତ ହୋଇଥିଲା। ରାଜ୍ୟ ଭିତରେ ଓ ବାହାରେ ଏହି ଚଳଚ୍ଚିତ୍ର ପ୍ରର୍ଦଶିତ ହୋଇଛି। ଗତବର୍ଷ ୫୩ତମ ଆଇଏଫ୍‌ଏଫ୍‌ଆଇ (ଇଣ୍ଟରନ୍ୟାସନାଲ ଫିଲ୍ମ ଫେଷ୍ଟିଭାଲ ଅଫ ଇଣ୍ଡିଆ)ରେ ଭାରତୀୟ ପାନୋରମା ବିଭାଗରେ ଏକମାତ୍ର ଚଳଚ୍ଚିତ୍ରଭାବେ ପ୍ରତୀକ୍ଷା ସ୍ଥାନ ପାଇଥିଲା। ଚଳଚ୍ଚିତ୍ରରେ ଅଭିନେତା ଦୀପନ୍ବିତ ଦାସମହାପାତ୍ର, ଅଭିନେତ୍ରୀ ବର୍ଷା ପଟ୍ଟନାୟକ, ଜୟ ପ୍ରକାଶ ଚୌଧୁରୀ, ଅବକାଶ ମିଶ୍ର, ସିଦ୍ଧାନ୍ତ ମହାପାତ୍ର, ଶ୍ରୀଲା ତ୍ରୀପାଠୀ, ରୂପାମ୍ବିକା ନାୟକ, ସୁଶୀଲ ମିଶ୍ର ପ୍ରମୁ୍‌ଖ ଅଭିନୟ କରିଛନ୍ତି। ହିଭଳି ଆଜିର ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ ସମାରୋହରେ ଆଉ ଜଣେ ଓଡ଼ିଆ ଶ୍ବେତକୁମାର ଦାସ ମଧ୍ୟ ପୁରସ୍କୃତ ହୋଇଛନ୍ତି। ୨୦୨୧ରେ ଶ୍ବେତଙ୍କ ଦ୍ବାରା ପ୍ରସ୍ତୁତ ଚଳଚ୍ଚିତ୍ର ‘ଦ ହିଲିଂ ଟଚ୍‌’କୁ ସ୍ପେସାଲ ମେନସନ୍‌ ଅନ୍ତର୍ଗତ ପୁରସ୍କୃତ କରାଯାଇଛି। ଚଳଚ୍ଚିତ୍ରର ନିର୍ଦ୍ଦେଶକ ଶ୍ରୀ ଦାସ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁଙ୍କ ଠାରୁ ପୁରସ୍କାର ସ୍ବରୂପ ସାର୍ଟିଫିକେଟ ଗ୍ରହଣ କରିଥିଲେ। ‘ଦ ହିଲିଂ ଟଚ୍‌’ ଚଳଚ୍ଚିତ୍ରର ରଚନା ଓ ନିର୍ଦ୍ଦେଶନା ଶ୍ବେତ କୁମାର ଦ‌ାସ ଦେଇଛନ୍ତି। ସ୍ବାମୀ ମେଡିକାଲରେ କରୋନା ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବା ସମୟରେ ସ୍ତ୍ରୀ କିଭଳି ସ୍ବାମୀଙ୍କ ମାନସିକ ଅବସାଦକୁ ଦୂର କରି ସକାରାତ୍ମକ ଚିନ୍ତାରେ ତାଙ୍କର ଜୀବନ ବଂଚାଇଛନ୍ତି ତାହା ଉପରେ ଚଳଚ୍ଚିତ୍ର ପ୍ରସ୍ତୁତ କରାଯାଇଛି।

ପୁରସ୍କାର ଗ୍ରହଣ କରିବା ପରେ ଶ୍ରୀ ଦାସ ପ୍ରତିକ୍ରିୟାରେ କହିଥିଲେ କୋଭିଡ୍‌ ସମୟରେ ଏହି ଚଳଚ୍ଚିତ୍ର କରିଥିଲି। ଏହା ଏତେ ଆଦୃତ ହେବ ବୋଲି ଭାବି ନଥିଲି। ଏହି ଚଳଚ୍ଚିତ୍ରକୁ ଦେଶ ଓ ବିଦେଶରେ ଅନେକ ଆୱାର୍ଡ ମିଳିଥିବାବେଳେ ପ୍ରଥମ ଥର ପାଇଁ ଜାତୀୟ ପୁରସ୍କାର ମିଳିବା ମୋ ପାଇଁ ଗୌରବର କଥା। ଚଳଚ୍ଚିତ୍ର ପୁରସ୍କାର ବିତରଣ ସମାରୋହରେ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ବିଭିନ୍ନ ବର୍ଗରୁ ମନୋନୀତ ହୋଇଥିବା କଳାକାରମାନଙ୍କୁ ପୁରସ୍କୃତ କରିଥିଲେ।

 

ସମ୍ବନ୍ଧିତ ଖବର