ହାଇକୋର୍ଟରୁ କେଜ୍ରିଓ୍ବାଲଙ୍କୁ ଝଟକା, ଇଡି ଗିରଫଦାରିରୁ ସୁରକ୍ଷା ଦେବାକୁ ମନାକଲେ

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ହାଇକୋର୍ଟରୁ ବଡ଼ ଝଟକା ଲାଗିଛି। ଇଡିର ଗିରଫଦାରୀରୁ କେଜ୍ରିୱାଲଙ୍କୁ ଆଶ୍ୱସ୍ତି ମିଳିନାହିଁ। ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଗିରଫଦାରୀ ଉପରେ ରୋକ୍ ଲଗାଇବାକୁ ଦିଲ୍ଲୀ ହାଇକୋର୍ଟ ମନା କରି ଦେଇଛନ୍ତି ଏବଂ କହିଛନ୍ତି ଯେ ବର୍ତ୍ତମାନ ସମୟରେ ଆମେ ଅନ୍ତରୀଣ ରିଲିଫ ଦେବାକୁ ଇଚ୍ଛୁକ ନୁହଁ। ତେବେ ଅଦାଲତ ନୂଆ ଅନ୍ତରୀଣ ଆବେଦନ ଉପରେ ଇଡିର ଜବାବ ମାଗିଛନ୍ତି ଏବଂ ମାମଲାର ଶୁଣାଣି ଏପ୍ରିଲ ୨୨କୁ ଧାର୍ଯ୍ୟ କରିଛନ୍ତି।

ଅରବିନ୍ଦ କେଜ୍ରିୱାଲ ଇଡି ସମନକୁ ଚ୍ୟାଲେଞ୍ଜ କରି ତାଙ୍କ ପିଟିସନରେ ଅନ୍ତରୀଣ ଆଶ୍ୱସ୍ତି ପାଇଁ ଆବେଦନ କରିଥିଲେ। କେଜ୍ରିୱାଲ ଚାହୁଁଥିଲେ ଯେ ହାଇକୋର୍ଟ ତାଙ୍କୁ ଇଡି ଗିରଫଦାରୀରୁ ଅନ୍ତରୀଣ ସୁରକ୍ଷା ଦିଅନ୍ତୁ। ଅଦାଲତ କହିଛନ୍ତି ଯେ ଏହି ଆବେଦନକୁ କେଜ୍ରିୱାଲଙ୍କ ମୁଖ୍ୟ ପିଟିସନ ସହିତ ତାଲିକାଭୁକ୍ତ କରାଯାଇଛି ଯାହାର ଶୁଣାଣି ଏପ୍ରିଲ ୨୨ରେ ହେବ। ଏହି ନୂତନ ଅନ୍ତରୀଣ ଆବେଦନ ଉପରେ କୋର୍ଟ ଇଡିଠାରୁ ଜବାବ ମାଗିଛନ୍ତି।

କେଜ୍ରିୱାଲଙ୍କ ଓକିଲ କହିଛନ୍ତି ଯେ ନିର୍ବାଚନ ପାଖେଇ ଆସୁଥିବା ବେଳେ ତାଙ୍କୁ ଧରିବା ପାଇଁ ଏଜେନ୍ସିର ଉଦ୍ଦେଶ୍ୟ ସ୍ପଷ୍ଟ ହୋଇଥିବାରୁ ଏହି ମାମଲାରେ ଗିରଫଦାରୀରୁ ସୁରକ୍ଷା ଆବଶ୍ୟକ। ଇଡି ସମନକୁ ବେଆଇନ ଦର୍ଶାଇ ମୁଖ୍ୟମନ୍ତ୍ରୀ ବାରମ୍ବାର ଏଜେନ୍ସି ଆଗରେ ହାଜର ହେବାକୁ ମନା କରି ଦେଇଛନ୍ତି।

ସମ୍ବନ୍ଧିତ ଖବର