ଦିଲ୍ଲୀ ଅର୍ଥ ସଚିବଙ୍କୁ ସୁ୍ପ୍ରିମକୋର୍ଟଙ୍କ ନୋଟିସ୍ ଜାରି: ଜଳବୋର୍ଡକୁ ୩ ହଜାର କୋଟି ଆବଣ୍ଟନ ନ କରିବା ମାମଲା

ନୂଆଦିଲ୍ଲୀ: ଆମ୍ ଆଦମୀ ପାର୍ଟି ସରକାରଙ୍କ ଏକ ଆବେଦନ ନେଇ ଦିଲ୍ଲୀ ଅର୍ଥ ସଚିବଙ୍କୁ ସୁ୍ପ୍ରିମକୋର୍ଟଙ୍କ ପକ୍ଷରୁ ସୋମବାର ନୋଟିସ୍ ଜାରି କରାଯାଇଛି। ଜଳବ‌ୋର୍ଡକୁ ୩ ହଜାର କୋଟି ଟଙ୍କା ଆବଣ୍ଟନ ନ କରିବା ମାମଲା ନେଇ ଶୀର୍ଷ କୋର୍ଟ ଏହି ପଦକ୍ଷେପ ଗ୍ରହଣ କରିଛନ୍ତି। ଜଳବ‌ୋର୍ଡକୁ ଧାର୍ଯ୍ୟ ଟଙ୍କା ଆବଣ୍ଟନ କରାଯାଉ ନ ଥିବା ନେଇ କୋର୍ଟରେ ଏକ ପିଟିସନ ଦାଖଲ କରାଯାଇଥିଲା। ଏହି ମାମଲାର ଶୁଣାଣି ଶୁକ୍ରବାର ଏପ୍ରିଲ୍ ୫ରେ କରାଯିବ।

ସୁ୍ପ୍ରିମକୋର୍ଟ ପ୍ରଧାନ ବିଚାରପତି (ସି‌ଜେଆଇ) ଡିୱାଇ ଚନ୍ଦ୍ରଚୂଡ଼ଙ୍କ ନେତୃତ୍ବରେ ବିଚାରପତି ଜେବି ପାରଦୀୱାଲା ଏବଂ ମନୋଜ ମିଶ୍ରାଙ୍କ ଦ୍ବାରା ଗଠିତ ଖଣ୍ଡପୀଠ ବିରିଷ୍ଠ ଆଇନଜୀବୀ ମୁକୁଲ ରୋହତଗୀଙ୍କ ଆବେଦନ ଆଧାରରେ ଏଭଳି କରିଛନ୍ତି। ମୁକୁଲ ଦର୍ଶାଇଛନ୍ତି ଯେ, ଦିଲ୍ଲୀ ସରକାରଙ୍କ ଅର୍ଥ ବିଭାଗ ଦ୍ବାରା ଅର୍ଥ ବଣ୍ଟନ କ୍ଷେତ୍ରରେ ଉପରାଜ୍ୟପାଳଙ୍କର କୌଣସି ଭୂମିକା ନାହିଁ। ଖଣ୍ଡପୀଠ କାହିଁକି ଉପରାଜ୍ୟପାଳଙ୍କ କାର୍ଯ୍ୟାଳୟକୁ ଏହି ପ୍ରସଙ୍ଗରେ ନୋଟିସ୍ ଜାରି କରୁ ନାହାନ୍ତି ବୋଲି ମୁକୁଲ କହିଥିଲେ।

ପୂର୍ବରୁ ଦିଲ୍ଲୀ ସରକାରଙ୍କ ଆଇନଜୀବୀ ଅଭିଷେକ ମନୁ ସିଙ୍ଘଭୀ ମାର୍ଚ୍ଚ ୨୦ରେ ଖଣ୍ଡପୀଠଙ୍କୁ ଅବଗତ କରାଇଥିଲେ ଯେ, ଏନେଇ ବଜେଟ ବିଧିବଦ୍ଧ ଭାବେ ପାରିତ କରାଯାଇଥିଲା। ଏହା ସତ୍ତ୍ବେ ଦିଲ୍ଲୀ ଜଳବୋର୍ଡକୁ ଅର୍ଥ ପ୍ରଦାନ କରାଯାଇ ନାର୍ହି। ମାର୍ଚ୍ଚ ୩୧ ସୁଦ୍ଧା ଅର୍ଥ ଜାରି ନ କରାଗଲେ ଏହା ରଦ୍ଦ ହୋଇଯିବ। ତେବେ ଖଣ୍ଡପୀଠ କହିଥିଲେ ନିଷ୍ପତ୍ତିକୁ ବଦଳାଯାଇ ପାରିବ। ମାର୍ଚ୍ଚ ୩୧ର ସମୟ ସୀମା ଶେଷ ପରେ ମଧ୍ୟ ଏହା କରାଯାଇ ପାରିବ ବୋଲି ଖଣ୍ଡପୀଠ ଆଶ୍ବାସନା ପ୍ରଦାନ କରିଥିଲେ।

 

ସମ୍ବନ୍ଧିତ ଖବର