ଜାନୁଆରି ୨୨ରେ ଅଯୋଧ୍ୟା ଆସିବେନି ଶ୍ରୀରାମ, ମୋ ସ୍ବପ୍ନରେ ଆସି କହିଲେ: ତେଜ ପ୍ରତାପ

ନୂଆଦିଲ୍ଲୀ: ଜାନୁଆରି ୨୨ରେ ହେବ ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ସମାରୋହ । ଏହି ସମାରୋହ ପାଇଁ ପ୍ରସ୍ତୁତି ଜୋରସୋରରେ ଚାଲିଥିବା ବେଳେ ସମାରୋହ ପୂର୍ବରୁ ଅଯୋଧ୍ୟା ସହରକୁ ସୁନ୍ଦର ଭାବେ ସଜାଯାଉଛି।  ଏହି କାର୍ଯ୍ୟକ୍ରମ ପାଇଁ ବହୁ ମାନ୍ୟଗଣ୍ୟ ବ୍ୟକ୍ତିଙ୍କୁ ନିମନ୍ତ୍ରଣ କରାଯାଇସାରିଛି । ଏହି ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ହଜାର ହଜାର ଅତିଥି ଯୋଗଦେବେ।

ଅନେକ ବିରୋଧୀ ଦଳ ଏହି ସମାରୋହକୁ ଯିବାକୁ ମନା କରିସାରିଥିବା ବେ‌ଳେ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କ ପୁଅ ତେଜ ପ୍ରତାପ ଯାଦବ ଏକ ବଡ଼ ବିବୃତି ଦେଇଛନ୍ତି। ସେ କହିଛନ୍ତି ଯେ ରାମଜୀ ଜାନୁଆର ୨୨ରେ ଅଯୋଧ୍ୟାକୁ ଆସିବେ ନାହିଁ। ରାମଜୀ ମୋ ସ୍ୱପ୍ନରେ ଆସିଥିଲେ। ସେ ମୋତେ କହିଲେ, ‘ଏମାନେ ନିଜ ଲାଭ ପାଇଁ ପ୍ରାଣ ପ୍ରତିଷ୍ଠାର ନାଟକ କରୁଛନ୍ତି, ସେଦିନ ମୁଁ ଅଯୋଧ୍ୟା ଆସିବି ନାହିଁ’।

ତେଜ ପ୍ରତାପ ଆହୁରି କହିଛନ୍ତି ଯେ ଯେତେବେଳେ ନିର୍ବାଚନ ଆସେ, ମନ୍ଦିର ଆଗକୁ ଆସିଯାଏ। ନିର୍ବାଚନ ଶେଷ ହେବା ମାତ୍ରେ ମନ୍ଦିରକୁ ପଚରାଯାଏ ନାହିଁ।

ଏହା ପୂର୍ବରୁ କଂଗ୍ରେସକୁ ପ୍ରାଣ ପ୍ରତିଷ୍ଠା ପାଇଁ ନିମନ୍ତ୍ରଣ ମିଳିଥିଲେ ବି କୌଣସି ନେତା ଯିବେ ନାହିଁ କଂଗ୍ରେସ ପକ୍ଷରୁ ସ୍ପଷ୍ଟ କରାଯାଇଥିଲା। କଂଗ୍ରେସର ସାଧାରଣ ସମ୍ପାଦକ ଜୟରାମ ରମେଶ ଏକ ବିବୃତି ଜାରି କରି କହିଥିଲେ ଯେ, “ରାଜ୍ୟସଭାରେ କଂଗ୍ରେସ ସଭାପତି ତଥା ବିରୋଧୀ ଦଳର ନେତା ମଲ୍ଲିକାର୍ଜୁନ ଖଡଗେ, କଂଗ୍ରେସ ସଂସଦୀୟ ଦଳର ସଭାପତି ସୋନିଆ ଗାନ୍ଧୀ ଏବଂ ଲୋକସଭାରେ କଂଗ୍ରେସ ଦଳର ନେତା ଆଧୀର ରଂଜନ ଚୌଧୁରୀଙ୍କୁ ଅଯୋଧ୍ୟାରେ ହେବାକୁ ଥିବା ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମକୁ ନିମନ୍ତ୍ରଣ କରାଯାଇଥିଲା। ଆମ ଦେଶରେ ଲକ୍ଷ ଲକ୍ଷ ଲୋକ ଭଗବାନ ରାମଙ୍କୁ ପୂଜା କରନ୍ତି। ଧର୍ମ ଏକ ବ୍ୟକ୍ତିଗତ ବିଷୟ। କିନ୍ତୁ ଆରଏସଏସ / ବିଜେପି ଅଯୋଧ୍ୟାରେ ଥିବା ମନ୍ଦିରକୁ ଏକ ରାଜନୈତିକ ପ୍ରକଳ୍ପ କରିଛି।”

ସମ୍ବନ୍ଧିତ ଖବର