କିଏ ହେବେ ମଧ୍ୟପ୍ରଦେଶ, ରାଜସ୍ଥାନ, ଛତିଶଗଡ଼ ଓ ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ? ରେସ୍‌ରେ ଅଛନ୍ତି ଏହିସବୁ ଟାଣୁଆ ନେତା…

ନୂଆଦିଲ୍ଲୀ: ସଦ୍ୟ ସମାପ୍ତ ୪ ରାଜ୍ୟ ବିଧାନସଭା ପାଇଁ ହୋଇଥିବା ନିର୍ବାଚନର ଭୋଟ ଗଣତି ଅବ୍ୟାହତ ରହିଥିବା ବେଳେ ଭାରତୀୟ ଜନତା ପାର୍ଟି (ବିଜେପି) ମଧ୍ୟପ୍ରଦେଶରେ ନିଜର ଗଡ଼ ବଜାୟ ରଖିବା ସହ ଛତିଶଗଡ଼ ଓ ରାଜସ୍ଥାନରେ କଂଗ୍ରେସଠାରୁ କ୍ଷମତା ଛଡ଼ାଇ ନେବାକୁ ଯାଉଛି ବୋଲି ଟ୍ରେଣ୍ଡରୁ ସ୍ପଷ୍ଟ ହୋଇଛି। ଛତିଶଗଡ଼ ଓ ରାଜସ୍ଥାନରେ କ୍ଷମତାକୁ ଫେରିବା ଏବଂ ମଧ୍ୟପ୍ରଦେଶରେ ବିଜେପିକୁ କ୍ଷମତାଚ୍ୟୁତ କରିବା ନେଇ କଂଗ୍ରେସ ଦଳ ଆଶାବାଦୀ ଥିଲେ ମଧ୍ୟ ନିର୍ବାଚନ ଫଳାଫଳ ସମ୍ପୂର୍ଣ୍ଣ ଅପ୍ରତ୍ୟାଶିତ ମୋଡ଼ ନେଇଛି। ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ବିଜେପି ଦେଶର ଏହି ୩ଟି ହିନ୍ଦୀ ହାର୍ଟଲ୍ୟାଣ୍ଡରେ ସଂଖ୍ୟାଗରିଷ୍ଠତା ହାସଲ କରିବାକୁ ଥିବା ବେଳେ ଏସବୁ ରାଜ୍ୟରେ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବ ବୋଲି ଆଜି ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି।

କିଏ ହେବେ ମଧ୍ୟପ୍ରଦେଶର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ?

ମଧ୍ୟପ୍ରଦେଶର ସବୁଠାରୁ ଅଧିକ ସମୟ ଧରି ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଥିବା ଶିବରାଜ ସିଂହ ଚୌହାନ ପୁଣି ଥରେ ମୁଖ୍ୟମନ୍ତ୍ରୀ ଭାବେ ଫେରିବେ ବୋଲି ଆଶା କରାଯାଉଛି। ତାଙ୍କର ପ୍ରାରମ୍ଭିକ କାର୍ଯ୍ୟକାଳ ୨୦୦୫ରେ ଆରମ୍ଭ ହୋଇଥିଲା। ଚୌହାନଙ୍କ ରାଜନୈତିକ ଯାତ୍ରା ୧୯୯୦ ମସିହାରେ ବୁଦ୍ଧନି ନିର୍ବାଚନ ମଣ୍ଡଳୀରେ ବିଜୟ ସହ ଆରମ୍ଭ ହୋଇଥିଲା ଏବଂ ପରବର୍ତ୍ତୀ ସମୟରେ ସେ ୧୯୯୧ରେ ବିଦିଶା ନିର୍ବାଚନ ମଣ୍ଡଳୀରୁ ସାଂସଦ ଭାବରେ ପ୍ରଥମ ଥର ପାଇଁ ନିର୍ବାଚିତ ହୋଇଥିଲେ। ୨୦୦୬ ମସିହାରେ ବୁଦ୍ଧନି ନିର୍ବାଚନ ମଣ୍ଡଳୀକୁ ଫେରିବା ପରେ ସେ ନିଜ ନିର୍ବାଚନୀ ଗଡ଼ ରୂପେ ବଜାୟ ରଖିଛନ୍ତି।

କିଏ ହେବେ ରାଜସ୍ଥାନର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ?

ବସୁନ୍ଧରା ରାଜେ ସିନ୍ଧିଆ ଏବଂ ମହନ୍ତ ବାଲକନାଥଙ୍କୁ ମୁଖ୍ୟମନ୍ତ୍ରୀ ପଦ ପାଇଁ ପସନ୍ଦ କରାଯାଉଥିବା ବେଳେ ରାଜସ୍ଥାନରେ ମୁଖ୍ୟମନ୍ତ୍ରୀ ପଦ ପାଇଁ ଅନ୍ୟ ୫ଜଣଙ୍କ ନାମ ମଧ୍ୟ ଚର୍ଚ୍ଚାରେ ରହିଛି। ଅନ୍ୟ ମୁଖ୍ୟମନ୍ତ୍ରୀ ଆଶାୟୀ ପ୍ରତିଦ୍ୱନ୍ଦ୍ୱୀମାନେ ହେଲେ ଗଜେନ୍ଦ୍ର ସିଂହ ଶେଖାୱତ, ଅର୍ଜୁନ ରାମ ମେଘୱାଲ ଓ ଦିୟା କୁମାରୀ।

କିଏ ହେବେ ଛତିଶଗଡ଼ର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ?

ଛତିଶଗଡ଼ର ପୂର୍ବତନ ମୁଖ୍ୟମନ୍ତ୍ରୀ ରମଣ ସିଂହ ପୁଣି ଥରେ ଏହି ପଦକୁ ଫେରିବା ପାଇଁ ଅଗ୍ରଣୀ ପ୍ରାର୍ଥୀ ଭାବେ ଉଭା ହୋଇଛନ୍ତି। ୧୯୭୬-୭୭ରେ ସେ ଦଳର ଯୁବ ଶାଖାରୁ ନିଜର ରାଜନୈତିକ ଯାତ୍ରା ଆରମ୍ଭ କରିଥିଲେ। ୨୦୦୩ରେ ରମଣ ସିଂହ ଛତିଶଗଡ଼ର ମୁଖ୍ୟମନ୍ତ୍ରୀ ହୋଇଥିଲେ। ଏବଂ ୨୦୦୮ ମସିହାରୁ କ୍ରମାଗତ ଭାବରେ ରାଜନାନ୍ଦଗାଓଁ ନିର୍ବାଚନ ମଣ୍ଡଳୀରୁ ବିଧାୟକ ଭାବରେ ପ୍ରତିନିଧିତ୍ୱ କରିଆସୁଛନ୍ତି। ତିନି ଥର ସେ ମୁଖ୍ୟମନ୍ତ୍ରୀ ପଦରେ ରହିଥିଲେ। ୨୦୧୮ ନିର୍ବାଚନରେ ସେ ରାଜନାନ୍ଦଗାଓଁ ନିର୍ବାଚନ ମଣ୍ଡଳୀରେ କଂଗ୍ରେସ ପ୍ରାର୍ଥୀ କରୁଣା ଶୁକ୍ଳାଙ୍କ ଠାରୁ ପ୍ରାୟ ୧୭,୦୦୦ ଭୋଟରେ ବିଜୟୀ ହୋଇଥିଲେ।

କିଏ ହେବେ ତେଲେଙ୍ଗାନାର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ?

ଅନୁମୁଲା ରେବନ୍ତ ରେଡ୍ଡୀ ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ ହେବା ପାଇଁ ସବୁଠାରୁ ଆଗରେ ଅଛନ୍ତି। ତାଙ୍କ ନେତୃତ୍ୱରେ ତେଲେଙ୍ଗାନାରେ କଂଗ୍ରେସ ଦଳ ନିଜର ଭାଗ୍ୟରେ ନାଟକୀୟ ପରିବର୍ତ୍ତନ ଦେଖିଥିବାରୁ ତାଙ୍କୁ ‘ମ୍ୟାନ୍‌ ଅଫ୍‌ ଦି ମୁମେଣ୍ଟ’ ଭାବେ ବିବେଚନା କରାଯାଉଛି। ଉପ-ନିର୍ବାଚନରେ ଲଜ୍ଜାଜନକ ପରାଜୟ ଏବଂ ଦଳ ଭିତରେ ତାଙ୍କ ନେତୃତ୍ୱ ପାଇଁ ଗମ୍ଭୀର ଚ୍ୟାଲେଞ୍ଜ ସତ୍ତ୍ୱେ ସେ କଂଗ୍ରେସକୁ ଆଗରୁ ନେତୃତ୍ୱ ଦେଇଥିଲେ। ହାଇକମାଣ୍ଡଙ୍କ ପୂର୍ଣ୍ଣ ସମର୍ଥନ ଓ ପ୍ରଭାବଶାଳୀ ରଣନୀତି ବଳରେ ରେବନ୍ତ ରେଡ୍ଡୀ ଦଳକୁ ନିଜ ଗଡ଼ରେ ଆବଶ୍ୟକ ବିଜୟ ଦେଇଛନ୍ତି।

ସମ୍ବନ୍ଧିତ ଖବର