ଭୁବନେଶ୍ବର: ବୁଧବାର ରାତି ପ୍ରାୟ ୧୧ଟା ବେଳେ ୧୬ ନମ୍ବର ଜାତୀୟ ରାଜପଥ ନୂଆପଲ୍ଲୀ ଓଭରବ୍ରିଜ୍ ଉପରେ ଘଟିଥିବା ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ଅଜଣା ବାଇକ୍ ଆରୋହୀଙ୍କ ମୃତ୍ୟୁକୁ ନେଇ ତୁମୁଳକାଣ୍ଡ ଘଟିଛି। ନୂଆପଲ୍ଲୀ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚିବା ବିଳମ୍ବ କରିବାରୁ ଉତ୍ତ୍ୟକ୍ତ ଲୋକେ ରାସ୍ତା ଅବରୋଧ କରିଦେଲେ। ପୁଲିସ ପହଞ୍ଚିବା ପରେ ଆହୁରି ଉତ୍ତେଜନା ବଢ଼ିଥିଲା ଏବଂ ଲୋକେ ପୁଲିସକୁ ଘେରି ଗାଳି ବର୍ଷଣ କରିଥିଲେ। ଫଳରେ ଏହାକୁ ନେଇ ପୁଲିସ ଓ ଲୋକଙ୍କ ଭିତରେ ଧସ୍ତାଧସ୍ତି ପର୍ଯ୍ୟନ୍ତ କଥା ଯାଇଥିଲା। ଫଳରେ ପାଖାପାଖି ୨ ଘଣ୍ଟା କାଳ ଜାତୀୟ ରାଜପଥରେ ଯାନବାହନ ଚଳାଚଳ ଠପ୍ ହୋଇଯାଇଥିଲା। ପୁଲିସ ଓ ଉତ୍ତ୍ୟକ୍ତ ଲୋକଙ୍କ ଭିତରେ ପାଖାପାଖି ଅଧ ଘଣ୍ଟା କାଳ ଠେଲାପେଲା ହେବା ପରେ ପରିସ୍ଥିତି ନିୟନ୍ତ୍ରଣକୁ ଆସିଥିଲା। ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନାନୁସାରେ ଯୁବକଜଣକ ବାଇକ୍ (ଓଡି୩୩ଏମ୍୯୧୪୧) ଯୋଗେ ରସୁଲଗଡ଼ରୁ ଖଣ୍ଡଗିରି ଦିଗରେ ଯାଉଥିଲେ। ବାଇକ୍ ନମ୍ବର ପ୍ଲେଟ୍ ହଳିଦିଆ ରଙ୍ଗର ହୋଇଥିବାରୁ ଓଲା ଉବର ଭଳି ସଂସ୍ଥାର କେହି ବୋଲି ଅନୁମାନ କରାଯାଉଛି। ଯୁବକଜଣକ ନୂଆପଲ୍ଲୀ ଓଭରବ୍ରିଜ୍ ଉପରେ ଚଢ଼ି କିଛି ବାଟ ଯାଇଥିବା ବେଳେ ପଛପଟୁ ଏକ ଦ୍ରୁତଗାମୀ ଭାରୀଯାନ ତାଙ୍କୁ ପିଟିଥିଲା ଏବଂ ସେ ଛିଟିକି ପଡ଼ିବା ପରେ ଗାଡ଼ିଟି ତାଙ୍କ ମୁଣ୍ଡ ଉପରେ ମାଡ଼ିଯାଇଥିଲା ଏବଂ ମୃତଦେହକୁ ପ୍ରାୟ ୫୦ ମିଟର ଦୂରକୁ ଘୋଷାରି ନେଇଥିଲା।
୨ଘଣ୍ଟା ପଡ଼ିରହିଲା ମୃତଦେହ
ଠପ୍ ହୋଇଗଲା ରାଜପଥ
ଏହାପରେ ଭାରୀଯାନଟିର ଆହୁରି ଦ୍ରୁତବେଗରେ ପଳାଇଥିଲା। ଦୁର୍ଘଟଣା ଦେଖି ସ୍ଥାନୀୟ ଲୋକେ ଘଟଣାସ୍ଥଳକୁ ଧାଇଁ ଆସିଥିଲେ। ସେହିପରି ରାସ୍ତାରେ ଯାଉଥିବା ଲୋକେ ଅଟକି ଯାଇଥିଲେ। କିନ୍ତୁ ଲୋକଙ୍କଠାରୁ ଫୋନ୍ ପାଇବା ପରେ ବି ନୂଆପଲ୍ଲୀ ଥାନା ପୁଲିସ ସେଠାରେ ପହଞ୍ଚି ନଥିଲା। ସେହିଭଳି ଆମ୍ବୁଲାନ୍ସ ମଧ୍ୟ ଆସି ନଥିଲା। ଥାନାଠାରୁ ମାତ୍ର ୫ମିନିଟ୍ର ରାସ୍ତା ହୋଇଥିଲେ ମଧ୍ୟ ପୁଲିସ ପହଞ୍ଚିବାରେ ବିଳମ୍ବ ହେବାରୁ ଲୋକଙ୍କ ଭିତରେ ଅସନ୍ତୋଷ ସୃଷ୍ଟି ହୋଇଥିଲା। ପାଖାପାଖି ଘଣ୍ଟାଏ ବିତିବା ପରେ ବି ପୁଲିସର ଦେଖାଦର୍ଶନ ମିଳିଲା ନାହିଁ। ତେଣୁ ଲୋକଙ୍କ ଧୈର୍ଯ୍ୟଚ୍ୟୁତି ହୋଇଥିଲା ଏବଂ ଉତ୍ତ୍ୟକ୍ତ ଲୋକ ଜାତୀୟ ରାଜପଥ ଅବରୋଧ କରିଦେଲେ। ଦୁଇ ପାର୍ଶ୍ବ ରାସ୍ତା ବନ୍ଦ ହୋଇଯିବାରୁ ଉଭୟ ପାର୍ଶ୍ବରେ ଶହଶହ ଗାଡ଼ି ଅଟକି ରହିଲା। ସତକୁ ସତ ରାସ୍ତା ଅବରୋଧ ହେବା ପରେ ହିଁ ନୂଆପଲ୍ଲୀ ଥାନା ପୁଲିସ ସେଠାରେ ପହଞ୍ଚିଥିଲା। କିନ୍ତୁ ମୃତଦେହ ଉଠାଇବାକୁ ଆମ୍ବୁଲାନ୍ସ ନଥିଲା। ତେଣୁ କେବଳ ପୁଲିସକୁ ଦେଖି ଲୋକେ ଆହୁରି ତାତି ଉଠି ଥାନା ଅଧିକାରୀଙ୍କୁ ଘେରିଯାଇଥିଲେ। ଥାନା ଅଧିକାରୀ ଯେତେ ବୁଝାସୁଝା କଲେ ମଧ୍ୟ ଲୋକେ ତାଙ୍କ ଉପରେ ବର୍ଷିଥିଲେ। ଏହା ଭିତରେ ରାଜପଥ ଅବରୋଧରୁ ହଟିବାକୁ ପୁଲିସ ଚେତାବନୀ ଦେବାରୁ ଲୋକମାନେ ଆହୁରି ଉତ୍କ୍ଷିପ୍ତ ହୋଇ ପୁଲିସକୁ ଗାଳି କରିଥିଲେ। ତେଣୁ ପୁଲିସ ଓ ଲୋକଙ୍କ ଭିତରେ ଧସ୍ତାଧସ୍ତି ପର୍ଯ୍ୟନ୍ତ କଥା ଯାଇଥିଲା।