ସଙ୍ଗୀତ ରୂପକ ‘ପଏର୍ଚ୍ଛା ସତୀ’ ମଞ୍ଚସ୍ଥ, ହୃଦୟ ଜିତିଲେ ଲୋକକଳାକାର ପୁଷ୍ପାଞ୍ଜଳି

ଭୁବନେଶ୍ବର: ସମଧ୍ଵନି ଓ ଲୋହିଆ ଏକାଡେମୀର ମିଳିତ ଉଦ୍ୟମରେ ଲୁ ନାଟ୍ୟ ଅନୁଷ୍ଠାନ ପକ୍ଷରୁ ମଞ୍ଚସ୍ଥ ହୋଇଛି ଖଗେଶ୍ୱର ଶେଠଙ୍କ ସଙ୍ଗୀତ ରୂପକ ‘ପଏର୍ଚ୍ଛା ସତୀ’। ଏହି ଅବସରରେ ନାଟ୍ୟକାର କେଶରଞ୍ଜନ ପ୍ରଧାନ କହିଛନ୍ତି, ନାରୀ ଜାଗରଣ ଓ ନାରୀ ମନର ବୈପ୍ଳବିକ ଭାବନାର ଏକ ପରିପ୍ରକାଶ ହେଲା ବିଶିଷ୍ଟ କବି ଓ ସାହିତ୍ୟିକ ଖଗେଶ୍ଵର ସେଠଙ୍କ ବୈପ୍ଳବିକ କବିତା ‘ପଏର୍ଚ୍ଛା ସତୀ’।

ସ୍ୱାଧୀନତାର ପୂର୍ବବର୍ତ୍ତୀ ସମୟରେ ପାଖାପାଖି ୧୯୪୦ ମସିହାରେ ରଚିତ ଏହି କବିତା ତତ୍କାଳୀନ ନାରୀ ସମାଜର ପୀଡା, ଦୁଃଖ ଓ ଭାବନାକୁ ପ୍ରକାଶ କରେ। ‘ପଏର୍ଚ୍ଛା ସତୀ’ ଚରିତ୍ର ଜରିଆରେ କବି ସମାଜର ନାରୀ ବିରୋଧୀ ଚିନ୍ତା ଓ ଚେତନାକୁ ପ୍ରଶ୍ନ କରନ୍ତି। ଯାହାକୁ ସମୟ ଠାରୁ ବହୁତ ଆଗରେ ବୋଲି କୁହାଯାଏ। ‘ଲୁ’ ନାଟ୍ୟ ସଂସ୍ଥା ପକ୍ଷରୁ ଦୀର୍ଘଦିନ ହେଲା ଏହାର ପରିବେଷଣ ହେଉଛି। ନାଟକର ମୁଖ୍ୟ ଚରିତ୍ରରେ ଥିବା ପୁଷ୍ପାଞ୍ଜଳି ତାଣ୍ଡି ୧୧ ବର୍ଷ ବୟସରୁ ଲୀଳାନାଟ କରି ପ୍ରଶଂସିତ ହୋଇ ଆସିଛନ୍ତି। ଅନ୍ୟାନ୍ୟ ଭୂମିକାରେ ଲୋକ କଳାକାର କଲ୍ୟାଣୀ ସାହୁ, ରାଣୀ ସୁପକାର, ମୀନା ବାଗ, ପରି ସୁପକାର, ବର୍ଷାରାଣୀ ଚୌହାନ, ଯଶୋଦା ନିତମ, ସୁରେନ୍ଦ୍ର ସାହୁ, ଦିବ୍ୟକିଶୋର ବରିହା, ରମେଶ ଗୁର୍ଲା, ଗୋପବନ୍ଧୁ ଶିକା ନିଜ ଅଭିନୟର ଯାଦୁ ଦେଖାଇଥିଲେ। ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ଶିକ୍ଷାବିତ ପ୍ରଫେସର ସ୍ଵାଧିନାନନ୍ଦ ପଟ୍ଟନାୟକ, ପ୍ରଫେସର ବିରେନ୍ଦ୍ର ନାୟକ, ପ୍ରଫେସର ନୀଳମଣି ସାହୁ, ଲୋହିଆ ଏକାଡ଼େମୀର ସମ୍ପାଦକ ଦେବପ୍ରସାଦ ରାୟ, ବିଶିଷ୍ଟ ପରିବେଶବିତ ପ୍ରଫୁଲ୍ଲ ସାମନ୍ତରା, ସମଦୃଷ୍ଟିର ସମ୍ପାଦକ ସୁଧୀର ପଟ୍ଟନାୟକ, କବି କେଦାର ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମକୁ ସମଧ୍ଵନି ସାଂସ୍କୃତିକ ଗବେଷଣା କେନ୍ଦ୍ରର ନିର୍ଦ୍ଦେଶିକା ସ୍ଵୟଂପ୍ରଭା ପାଢୀ ସଂଯୋଜନା କରିଥିଲେ।

ସମ୍ବନ୍ଧିତ ଖବର