୩୫ ବର୍ଷରେ ୫୦୦ ଚୋରି, ପୁଣି ଧରାପଡ଼ିଲା କୁଖ୍ୟାତ ସିନ୍ଧିଚୋର ହେମନ୍ତ

ପୂର୍ବରୁ ବାନ୍ଧିଥିଲା ମୁମ୍ବାଇ ଓ ଚେନ୍ନାଇ ପୁଲିସ
କହିଲା, ଚୋରି କରିବା ମହାପାପ, ଏ ଲାଇନ୍‌କୁ କେହି ନ ଆସନ୍ତୁ

ଭୁବନେଶ୍ୱର : ୩୫ ବର୍ଷରେ ୫୦୦ରୁ ଅଧିକ ଚୋରି କରିଥିବା କୁଖ୍ୟାତ ସିନ୍ଧିଚୋର ହେମନ୍ତ ଦାସ ପୁଣିଥରେ ଧରାପଡ଼ିଛି। ନିକଟରେ ରାଜଧାନୀରେ ତିନି ତିନିଟି ଚୋରି କରି ପୁଲିସର ନିଦ ହଜେଇ ଦେଇଥିବା ହେମନ୍ତକୁ ସ୍ପେସାଲ୍‌ ସ୍କ୍ବାଡ୍‌ ଗିରଫ କରିବାରେ ସଫଳ ହୋଇଛି। ତେବେ ବଡ଼ଗଡ଼ ଥାନା, କ୍ୟାପିଟାଲ ଥାନା ଓ ଚନ୍ଦ୍ରଶେଖରପୁର ଥାନା ନୀଳାଦ୍ରିବିହାର ଅଞ୍ଚଳରେ ଥିବା ବେବି କେୟାର୍‌ କ୍ଲିନିକ୍‌ରୁ ହେମନ୍ତ ସମୁଦାୟ ୨ ଲକ୍ଷ ୬୦ ହଜାର ଟଙ୍କା ଲୁଟିଥିଲେ ମଧ୍ୟ ପୁଲିସ ତା’ ନିକଟରୁ ଟଙ୍କା ଟିଏ ବି ଉଦ୍ଧାର କରିପାରିନାହିଁ। ତା’ ନିକଟରୁ କେବଳ କବାଟ ଭାଙ୍ଗିବାରେ ବ୍ୟବହାର କରୁଥିବା ଲୁହାରଡ୍‌କୁ ଜବତ କରାଯାଇଛି। ଆଜି ତାକୁ କୋର୍ଟ ଚାଲାଣ କରାଯିବ ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ, ଶ୍ରୀଲିଙ୍ଗରାଜ ଥାନା ହାଟସାହିର ହେମନ୍ତକୁ ଏବେ ୫୯ ବର୍ଷ ବୟସ। ଦୀର୍ଘ ୩୫ ବର୍ଷ ହେଲା ସେ ସିନ୍ଧିଚୋରି କରୁଛି। ବାରମ୍ବାର ଜେଲ୍‌ ଯାଉଛି ଓ ପୁଣି ଜାମିନ୍‌ରେ ଆସି ଚୋରି କରୁଛି। ଓଡ଼ିଶା ବାହାରେ ବି ସେ ତା’ର କାରନାମା ଦେଖାଇଛି। ମୁମ୍ବାଇ, ଚେନ୍ନାଇ, ଗ୍ୟାଙ୍ଗଟକ୍‌, ସିକିମ୍‌, ସିମଲା, ନୈନିତାଲ୍, କୋଲକାତା ଭଳି ସହରରେ ବି ସେ ସିନ୍ଧିଚୋରି କରିଛି। ତେବେ କେବଳ ମୁମ୍ବାଇ ଓ ଚେନ୍ନାଇ ପୁଲିସ ତାକୁ ଗିରଫ କରିବାରେ ସଫଳ ହୋଇଥିଲେ। କେବଳ ଭୁବନେଶ୍ବରରେ ସେ ଶହେରୁ ଅଧିକ ସିନ୍ଧିଚୋରି କରିଛି ବୋଲି ପୁଲିସ ଆଗରେ ମାନିଛି। ଭୁବନେଶ୍ବରକୁ ବାଦ୍‌ ଦେଲେ ସେ ପୁରୀ, କଟକ, ବ୍ରହ୍ମପୁର ଭଳି ଓଡ଼ିଶାର ବହୁ ସହରରେ ହାତ ସଫେଇ କରିଛି। ୨୦୧୮ରେ ସେ ଏକ ସିନ୍ଧିଚୋରି ମାମଲାରେ ସ୍ପେସାଲ ସ୍କ୍ବାଡ୍ ହାତରେ ଧରାପଡ଼ି ଜେଲ୍ ଯାଇଥିଲା। ପୁରୀ‌ ମାମଲା‌ ଯୋଡ଼ି ହେବା ପରେ ତାକୁ ଦୀର୍ଘ ସମୟ ପାଇଁ ଜେଲ୍‌ରେ ରହିବାକୁ ପଡ଼ିଥିଲା। ପ୍ରାୟ ଅଢ଼େଇ ବର୍ଷ ରହିବା ପରେ ଗତ ଜୁଲାଇରେ ଜେଲ୍‌ରୁ ମୁକୁଳିଥିଲା। ସେହିଦିନଠାରୁ ପୁଣି ସେ ରାଜଧାନୀରେ ତା’ର ଅପରେସନ୍ ଆରମ୍ଭ କରିଥିଲା।

The Indian Express

ଜେଲ୍‌ରୁ ଶିଖିଥିଲା ଚୋରି ବିଦ୍ୟା
ପୁଲିସ ସୂଚନାନୁସାରେ, ଅଶୀ ଦଶକରେ ହେମନ୍ତ ବିଜେବି କଲେଜର ଛାତ୍ର ଥିଲା। କଲେଜରେ ପଢ଼ୁଥିବା ବେଳେ ଏକ ଗଣ୍ଡଗୋଳ ମାମଲାରେ ଜେଲ୍ ଯାଇଥିଲା। ଜେଲ୍‌ରେ ଥିବା ସମୟରେ ଜଣେ କୁଖ୍ୟାତ ସିନ୍ଧିଚୋର ସଂସ୍ପର୍ଶରେ ଆସି ତା’ଠାରୁ ଚୋରି ବିଦ୍ୟା ଶିଖିଥିଲା। ଜେଲ୍‌ରୁ ବାହାରିବା ପରେ ଅର୍ଥାତ୍ ୧୯୮୬ରୁ ସେ ଚୋରି କରିବା ଆରମ୍ଭ କରିଥିଲା। ଧୀରେଧୀରେ ସେ ପାଲଟି ଯାଇଥିଲା କୁଖ୍ୟାତ ସିନ୍ଧିଚୋର। ଭୁବନେଶ୍ବରରେ ସେ ଶହେରୁ ଅଧିକ ଚୋରି କରିଥିବା ବେଳେ ଏବେ ସୁଦ୍ଧା ତା’ ବିରୋଧରେ ୮୨ଟି ମାମଲା ରହିଛି। ଦେଶର ବିଭିନ୍ନ ସହରର ମାମଲା ମିଶାଇଲେ, ତା’ ନାମରେ ୫ଶହରୁ ଅଧିକ ମାମଲା ହେବ ବୋଲି ଆକଳନ କରାଯାଉଛି।

ବିମାନରେ ଉଡ଼ୁଥିଲା, ବେଶ୍ୟାଳୟରେ ଉଡ଼ାଉଥିଲା
ହେମନ୍ତର ଜୀବନଚର୍ଯ୍ୟା ଥିଲା ଜଣେ ବିଳାସପ୍ରିୟ ଧନୀ ବ୍ୟକ୍ତି ଭଳି। ଚୋରି ଅର୍ଥରେ ସେ ମଉଜ କରୁଥିଲା। ବିମାନରେ ଉଡ଼ିବା ଥିଲା ତା’ର ବଡ଼ ସଉକ। ଏହାଛଡ଼ା ବିଭିନ୍ନ ସହରର ବେଶ୍ୟାଳୟ ଯାଇ ସେ ଟଙ୍କା ଉଡ଼ାଉଥିଲା। ପଞ୍ଚତାରକା ହୋଟେଲରେ ରହିବା ଓ ଦେହଜୀବୀଙ୍କୁ ଉପଭୋଗ କରିବାରେ ସେ ବିପୁଳ ଅର୍ଥ ଖର୍ଚ୍ଚ କରୁଥିଲା। ଚୋରିରୁ ସେ ପ୍ରାୟ ୫ କୋଟି ଟଙ୍କାର ସମ୍ପତ୍ତି କରିଛି ବୋଲି ଜଣାପଡ଼ିଛି। ତେବେ ନଗଦ ଟଙ୍କା ହିସାବରେ ତା’ ନିକଟରୁ ପାହୁଲା ଟିଏ ଜବତ ହୋଇପାରିନାହିଁ। ଗତ ମାସକ ଭିତରେ ସେ ତିନିଟି କ୍ଲିନିକ୍‌ରୁ ପ୍ରାୟ ଅଢ଼େଇ ଲକ୍ଷ ଟଙ୍କା ଚୋରି କରିଥିଲେ ବି ସବୁ ଖର୍ଚ୍ଚ କରିଦେଇଛି। ଏତେ କମ୍ ଦିନ ଭିତରେ ଏତେ ଗୁଡ଼ାଏ ଟଙ୍କା କେଉଁଠି ଖର୍ଚ୍ଚ କଲା, ତାହାର ଟେର୍ ପାଇନି ପୁଲିସ।

ନୀତିବାଣୀ ଶୁଣାଇ ଭିଡିଓ କରୁଥିଲା
ହେମନ୍ତର ଗୋଟିଏ ଭିଡିଓ ଭାଇରାଲ୍‌ ହୋଇଛି। ଜୀବନ ସାରା ଚୋରି କରୁଥିବା ସିନ୍ଧିଚୋର ହେମନ୍ତ ଏହି ଭିଡିଓରେ ଅନେକ ନୀତିବାଣୀ ଶୁଣାଇଛି। ଚୋରି କରିବା ମହାପାପ ଓ କେହି ଚୋରି କରନ୍ତୁ ନାହିଁ ବୋଲି ସାଧୁ ପୁରୁଷ ଭଳି କହିଛି। ଭିଡିଓଟି ବେଶ୍ ଚର୍ଚ୍ଚାର ବିଷୟ ହୋଇଛି।

ସମ୍ବନ୍ଧିତ ଖବର