ଖବରକାଗଜର ବିଭିନ୍ନ ସମସ୍ୟା ସଂପର୍କିତ ଆଲୋଚନାଚକ୍ର

ଭୁବନେଶ୍ବର: ସ୍ଥାନୀୟ ପ୍ରେସ୍‌ କ୍ଲବ୍‌ ପରିସରରେ ଆଜି ସମସ୍ତ ଖବରକାଗଜର ଅଧିକାରୀ ଏବଂ ବିତରକ ସଂଘଗୁଡ଼ିକର କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ଏକ ଗୁରୁତ୍ବପୂର୍ଣ୍ଣ ଆଲୋଚନା ଅନୁଷ୍ଠିତ ହୋଇଯାଇଛି। ଖବରକାଗଜ ପ୍ରତି ଅଧିକରୁ ଅଧିକ ଗ୍ରାହକଙ୍କୁ ଆକୃଷ୍ଟ କରିବା, ଗ୍ରାହକଙ୍କ ପାଖରେ କିପରି ସୁବିଧାରେ ଖବରକାଗଜ ପହଞ୍ଚା ଯାଇପାରିବ ଏବଂ ବିତରକମାନଙ୍କର ଆର୍ଥିକ ଅଭିବୃଦ୍ଧି ବିଷୟରେ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା।
ବୈଠକରେ ‘ସମ୍ବାଦ’ର ମୁଖ୍ୟ ପରିଚାଳନା ଅଧିକାରୀ ତଥା ପ୍ରକାଶକ କମଳାକାନ୍ତ ମହାପାତ୍ର, ପ୍ରସାର ବିଭାଗ ମୁଖ୍ୟ ପ୍ରିୟଦର୍ଶୀ ମହାନ୍ତି, ‘ସମାଜ’ର ଯୁଗ୍ମ ସାଧାରଣ ପରିଚାଳକ ପ୍ରିୟବ୍ରତ ମହାନ୍ତି, ‘ପ୍ରମେୟ’ର ସଂପାଦକ ଗୋପାଳକୃଷ୍ଣ ମହାପାତ୍ର, ‘ଧରିତ୍ରୀ’ର ପ୍ରସାରଣ ଅଧିକାରୀ ପ୍ରତାପ ବେହେରା, ‘ଦ ଟାଇମ୍ସ ଅଫ୍‌ ଇଣ୍ଡିଆ’ର ପ୍ରବନ୍ଧକ ଦିଲୀପ ମହାନ୍ତି, ‘ସକାଳ’ର ପ୍ରସାରଣ ଅଧିକାରୀ ବିଜୟ ଦାସ ଏବଂ ‘ଇଣ୍ଡିଆନ ଏକ୍ସପ୍ରେସ୍‌’, ‘ସନମାର୍ଗ’ ଆଦି ଖବରକାଗଜର ଅଧିକାରୀମାନେ ଉପସ୍ଥିତ ରହି ବିତରକ ବନ୍ଧୁମାନଙ୍କ ସହ ଦୀର୍ଘ ସମୟ ଧରି ଆଲୋଚନା କରିଥିଲେ।

ଏଥିରେ ନାଲ୍‌କୋ ଛକ ହକର୍ସ ଆସୋସିଏସନ୍‌ର ସଭାପତି ଅରୁଣ ଦେ, ରାଜଧାନୀ ହକର୍ସ ୱେଲଫେୟାର୍‌ ସଂଘର ସଭାପତି ସଂପଦ ସାହୁ, ଭୁବନେଶ୍ବର ଖବରକାଗଜ ହକର୍ସ ୱେଲଫେୟାର ଟ୍ରଷ୍ଟର ସଭାପତି ବିଜୟ ଦାସ, ଅଲ୍‌ ନ୍ୟୁଜ୍‌ ପେପର୍‌ ସପ୍ଲାୟର୍ସ ୱେଲଫେୟାର ଆସୋସିଏସନ୍‌ର ସଭାପତି ଅଭୟ ଯୋଗାଣିଆଙ୍କ ସମେତ ବହୁ ବିତରକ ବନ୍ଧୁ ଉପସ୍ଥିତ ଥିଲେ। ଆଗାମୀ ଦିନରେ ଗ୍ରାହକମାନଙ୍କ ପାଖରେ ଖବରକାଗଜ କିପରି ଅଧିକ ଆଦୃତି ଲାଭ କରିବ ଓ ବିତରକମାନଙ୍କ ଦୁର୍ବଳ ଆର୍ଥିକ ସମସ୍ୟାର ସମାଧାନ ହୋଇପାରିବ, ସେ ନେଇ ତୁରନ୍ତ ପଦକ୍ଷେପ ନେବା ପାଇଁ ଯୋଗଦେଇଥିବା ଖବରକାଗଜର ଅଧିକାରୀମାନେ ମାର୍ଗଦର୍ଶନ କରିଥିଲେ।

ସମ୍ବନ୍ଧିତ ଖବର