କୋଉ ଜନ୍ମରେ ପୁଣ୍ୟ କରିଥିଲି ବୋଲି ପାଇଛି ଏଭଳି ଜୀବନସାଥୀ

ଭୁବନେଶ୍ବର: ନଥିଲା ବେଦି, ନଥିଲା ହୋମନିଆଁ। ପଡ଼ି ନଥିଲା ହାତଗଣ୍ଠି। କୁଷ୍ଠ ରୋଗରେ ଆକ୍ରାନ୍ତ ହେଲାପରେ ପରିବାର କରିଦେଲା ପର। ସମାଜ ଗ୍ରହଣ କଲାନି, କିନ୍ତୁ ମନ ଦୁହିଁଙ୍କୁ ଏକ କରିଥିଲା। ମନ ମିଶିଲା ପରେ ଉଭୟ ହୋଇଯାଇଥିଲେ ସାତଜନ୍ମର ସାଥୀ। କୁଷ୍ଠରୋଗ ପ୍ରତି ଅଧିକାଂଶ ଲୋକଙ୍କର ଧାରଣା ଆଜି ମଧ୍ୟ ମଧ୍ୟଯୁଗୀୟ। ଆଜିମଧ୍ୟ ଏହି ରୋଗରେ ଆକ୍ରାନ୍ତ ଲୋକେ ସାମାଜିକ ବାସନ୍ଦର ଶିକାର ହେଉଛନ୍ତି। ଏହି ଭାବନାର ଶିକାର ଗୁଣ୍ଡିଚା ଜେନା ଓ ଲତା ଜେନା ଘଟଣାକ୍ରମେ ଏକାଠି ହୋଇଥିଲେ। ସମୟକ୍ରମେ ସାଥୀ ହୋଇ ଦୁହେଁ ଜୀବନର ରାସ୍ତା ଚାଲିବାର ନିଷ୍ପତ୍ତି ନେଇଥିଲେ। ‘ସଫଳତାର ଅନେକ ବାପା, ବିଫଳତା ଜଣେ ଛେଉଣ୍ଡପିଲା’ ଉକ୍ତିକୁ ଏମିତି ବି ଅର୍ଥ କରା ଯାଇପାରେ- ସୁଖବେଳେ ଅନେକ ସାଥୀ ମିଳନ୍ତି, କିନ୍ତୁ ଦୁଃଖ ବାଣ୍ଟିବାକୁ କେହି ଆସନ୍ତିନି। ଯିଏ ଆସେ ସେ ହିଁ ପ୍ରକୃତ ସାଥୀ। ଗୁଣ୍ଡିଚା ଓ ଲତାଙ୍କ ଜୀବନରେ ସୁଖ ଅଛି କି ନା ଜଣାନାହିଁ, କିନ୍ତୁ ଦୁହେଁ ପରସ୍ପରର ଯେ ଦୁଃଖର ସାଥୀ, ସେଥିରେ ଆଦୌ ସନ୍ଦେହ ନାହିଁ।

ଗୁଣ୍ଡିଚା ଓ ଲତା ଉଭୟ କୁଷ୍ଠରୋଗରେ ଆକ୍ରାନ୍ତ। ଗୁଣ୍ଡିଚା ରୋଗରେ ଆକ୍ରାନ୍ତ ହେବାପରେ ତାଙ୍କ ପତ୍ନୀ ତାଙ୍କ ମୁହଁ ଚାହିଁବାକୁ ବି ମନା କରି ଦେଇଥିଲେ। ଏମିତିକି ଘରେ ପଶିବାକୁ ବି ଦେଇ ନଥିଲେ। ଆଉ କିଛି ଉପାୟ ନଥିଲା। ତେଣୁ ପ୍ରାୟ ୫୦ ବର୍ଷ ତଳେ ସେ ଘର ଓ ପରିବାର ଛାଡ଼ି ଚାଲି ଆସିଥିଲେ ରାଜଧାନୀରେ ଥିବା ରାମକୃଷ୍ଣ କୁଷ୍ଠ କଲୋନିକୁ। ଏଠାରେ ଭଲମନ୍ଦରେ ପଚାରିବାକୁ ପାଖରେ କେହି ନଥିଲେ। ପ୍ରଥମ ୧୫ ବର୍ଷ ସେମିତି ଏକୁଟିଆ ସେ କାଟିଦେଲେ। ଅନ୍ୟପକ୍ଷରେ ଲତା ଯେବେ ନିଜ ଘର ଛାଡ଼ିଥିଲେ, ସେତେବେଳକୁ ତାଙ୍କର ବୟସ ହୋଇଥିଲା ପ୍ରାୟ ୨୫ ବର୍ଷ। ପିଲାଟି ବେଳରୁ ସେ ଏହି ରୋଗରେ ଆକ୍ରାନ୍ତ ଥିଲେ। ଅପେକ୍ଷା କରିଥିଲେ, ହୁଏତ କୌଣସି ଚମତ୍କାର ଘଟିବ ଓ ସେ ରୋଗମୁକ୍ତ ହୋଇଯିବେ। କିନ୍ତୁ ସେମିତି କିଛି ଘଟିଲାନି। ସମୟକ୍ରମେ ତାଙ୍କ ମା’ ଓ ବାପା ଆରପାରିକୁ ଚାଲିଗଲେ। ତା’ପରେ ସେ ଆଉ ଭାଇମାନଙ୍କ ଉପରେ ବୋଝ ହେବାକୁ ପସନ୍ଦ କଲେନି। ଗାଁରେ ଭିକ୍ଷାବୃତ୍ତି କରି ଚଳିବାକୁ ମଧ୍ୟ ଇଛା କରି ନଥିଲେ। ତା’ ଉପରକୁ ଲତାଙ୍କ କାରଣରୁ ତାଙ୍କ ଭଉଣୀମାନଙ୍କର ବିବାହ ହୋଇ ପାରୁନଥିଲା। ସବୁକଥା ଚିନ୍ତା କରି ସେ ଗାଁ ଛାଡ଼ି କଟକ ପଳାଇ ଆସିଥିଲେ। ସେଠି କିଛିଦିନ କୁଷ୍ଠ କଲୋନିରେ ରହିଲେ। ଗୁଣ୍ଡିଚା କିଛି କାମ ପାଇଁ ମଝିରେ ମଝିରେ କଟକର ସେ କଲୋନିକୁ ଯାଉଥିଲେ। ସେଇଠି ଉଭୟଙ୍କ ଭିତରେ ଦେଖା ସାକ୍ଷାତ ଓ ପରିଚୟ ହୁଏ। ପରିଚୟ ବଢ଼ିବାପରେ ଗୁଣ୍ଡିଚା ଧୀରେ ଧୀରେ ଲତାଙ୍କୁ ପସନ୍ଦ କରିବାକୁ ଆରମ୍ଭକଲେ। ଲତା ମଧ୍ୟ। ମନର ସମ୍ପର୍କ ଦୁହିଁଙ୍କୁ ଆହୁରି ନିକଟତର କରିଥିଲା ଓ ଦୁହେଁ ଏକାଠି ହେବାର ନିଷ୍ପତ୍ତି ନେଇଥିଲେ। ସେବେଠାରୁ ଉଭୟ ଏକାଠି ବଞ୍ଚୁଛନ୍ତି। ଭଲରେ ମନ୍ଦରେ ପରସ୍ପରର ସାହାରା ହୋଇ ସେମାନେ ପ୍ରାୟ ୩୫ବର୍ଷ ବିତାଇ ଦେଲେଣି।

ଅନ୍ୟ ଅଧିକାଂଶ ଦମ୍ପତିଙ୍କ କ୍ଷେତ୍ରରେ ବାହାଘରର କିଛି ବର୍ଷ ପରେ ଭାବର ବନ୍ଧନ କିଛିଟା ହୁଗୁଳିଯାଏ। ବାଧ୍ୟବାଧକତା ଥିବାଭଳି ସେମାନେ ଏକ ଯାନ୍ତ୍ରିକ ଜୀବନ ବଞ୍ଚି ଚାଲନ୍ତି। କିନ୍ତୁ ଗୁଣ୍ଡିଚା ଓ ଲତାଙ୍କ କ୍ଷେତ୍ରରେ ଏହାର ବିପରୀତ କଥା ଘଟୁଛି। ସମୟ ସହିତ ଦୁହିଁଙ୍କ ଭିତରେ ଭଲ ପାଇବା ଆହୁରି ନିବିଡ଼ ହେଉଛି। ଏବେ ତ କେହି କାହାକୁ ଘଡ଼ିଏ ଛାଡ଼ି ରହି ପାରନ୍ତି ନାହିଁ। ଲତା କହନ୍ତି, ‘‘ପରିବାର ଛାଡ଼ିକି ଆସିଲାବେଳେ ବହୁତ କଷ୍ଟ ଲାଗିଥିଲା। କିନ୍ତୁ ତାଙ୍କ ଭଲପାଇବା ପାଇ ମୁଁ ସବୁ ଦୁଃଖ କଷ୍ଟ ଭୁଲିଯାଇଛି। ଆଜିଯାଏ ସେ ମୋତେ ଟାଣରେ କଥା ମଧ୍ୟ କହନ୍ତି ନାହିଁ। ଭାବୁଛି, କୋଉ ଜନ୍ମରେ କି ପୁଣ୍ୟ କରିଥିଲି ବୋଲି ଏଭଳି ଜଣେ ଜୀବନସାଥୀ ପାଇଛି।’’ (ଅନୁରୋଧକ୍ରମେ ଉଭୟଙ୍କ ଜନ୍ମସ୍ଥାନର ଠିକଣା ଗୋପନ ରଖାଯାଇଛି)

ସମ୍ବନ୍ଧିତ ଖବର