ବିଳମ୍ବିତ ରାତି ପର୍ଯ୍ୟନ୍ତ ବାର୍‌ ଖୋଲିବା ପ୍ରସଙ୍ଗ: ଦେଢ଼ଟା ଯାଏ ଅନୁମତି, ୫ଟାରେ ବନ୍ଦ ହେଉଛି

ନିୟମ ମାନୁନାହାନ୍ତି ବାର୍ ମାଲିକ, ବିଗୁଡ଼ୁଛି ଆଇନଶୃଙ୍ଖଳାସ୍ଥିତି

ଚନ୍ଦ୍ରଶେଖରପୁର : ରାଜଧାନୀରେ ମଦ ବାର୍ ପ୍ରତି ପ୍ରଶାସନର କୋହଳ ମନଭାବ ଆଇନଶୃଙ୍ଖଳାକୁ ବିଗାଡ଼ି ଦେଉଛି। ଏବେ ବିଳମ୍ବିତ ରାତି ପର୍ଯ୍ୟନ୍ତ ବାର୍‌ଗୁଡ଼ିକୁ ଖୋଲିବାକୁ ଅନୁମତି ମିଳିଛି। ଅବକାରୀ ବିଭାଗ ଅନୁମତି ଦେଇଥିବା ବେଳେ ପୁଲିସ ଭୋର୍ ପର୍ଯ୍ୟନ୍ତ ବାର୍‌ଗୁଡ଼ିକୁ ସୁରକ୍ଷା ଦେଉଥିବା ଦେଖିବାକୁ ମିଳିଛି। ଯେଉଁ ବାର୍ ଦିନକୁ ୫ହଜାର ଟଙ୍କା ପୈଠ କରିବ ସପ୍ତାହକୁ ୩ଦିନ ବିଳମ୍ବିତ ରାତି ଯାଏ ଖୋଲିବାକୁ ଅନୁମତି ମିଳୁଛି। ଯାହାକୁ ନେଇ ବାର୍ ମାଲିକମାନେ ମାଲେମାଲ ହେବା ସହ ମଦ୍ୟପ ଯୁବକଯୁବତୀଙ୍କୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ମତୁଆଲା ହେବାକୁ ସୁଯୋଗ ମିଳିଗଲା। ରାତି ଦେଢ଼ଟା ପର୍ଯ୍ୟନ୍ତ ଅନୁମତି ଦିଆଯାଇଥିଲେ ମଧ୍ୟ ଅଧିକାଂଶ ବାର୍ ନିୟମ ଉଲ୍ଲଂଘନ କରି ଭୋର୍ ୫ଟା ପର୍ଯ୍ୟନ୍ତ ଖୋଲୁଥିବା ଦେଖିବାକୁ ମିଳିଛି। ଏହାର ସୁଯୋଗ ନେଇ ବାର୍‌ଗୁଡ଼ିକ ୩ଦିନ ଅନୁମତି ଆଣି ସପ୍ତାହ ସାରା ଖୋଲୁଥିବା ଅଭିଯୋଗ ମଧ୍ୟ ହୋଇଛି। ଏପଟେ ଅବକାରୀ ବିଭାଗ ଅନୁମତି ଦେଇ ଚୁପ୍ ବସିଯାଇଛି। ବିଶେଷ କରି ଚନ୍ଦ୍ରଶେଖରପୁର ଅଞ୍ଚଳରେ ଥିବା ପ୍ରମୁଖ ବାର୍ ଗୁଡ଼ିକ ବିଳମ୍ବିତ ରାତି ପର୍ଯ୍ୟନ୍ତ ଖୋଲିବାକୁ ଅନୁମତି ଆଣିବା ପରେ ଗତ କିଛିଦିନ ହେଲା ରାତିରେ ଅନେକ ବିଶୃଙ୍ଖଳା ସୃଷ୍ଟି ହେବା ସହ ଯୁବକଯୁବତୀମାନେ ରାସ୍ତାରେ ପାଟିତୁଣ୍ଡ କରୁଥିବା ଦେଖିବାକୁ ମିଳୁଛି। କିଛି ଗଣ୍ଡଗୋଳ ଘଟଣାସ୍ଥଳରେ ସମାଧାନ ହେଉଥିବା ବେଳେ ଆଉ କିଛି ଘଟଣା ଥାନାକୁ ଯାଉଛି। ନିଶା ଖସିଗଲା ପରେ ସେଠାରେ ମାମଲାର ରଫାଦଫା ହେଉଛି।

ରାସ୍ତାରେ ଗଡ଼ୁଛନ୍ତି ମାତାଲ ଯୁବକଯୁବତୀ
ରାତିସାରା ସୁରକ୍ଷା ଦେଉଛି ପୁଲିସ
୩ଦିନିଆ ଅନୁମତିରେ ସପ୍ତାହସାରା ଖୋଲୁଛନ୍ତି

ବୁଧବାର ରାତି ପ୍ରାୟ ୨ଟା ହେବ। ଚନ୍ଦ୍ରଶେଖରପୁର ପେଟ୍ରୋଲ ପମ୍ପ ପଛପଟେ ଥିବା ଏକ ବାର୍‌ରୁ ଦୁଇଜଣ ଯୁବତୀ ଓ ଦୁଇ ଜଣ ଯୁବକ ମତୁଆଲା ହୋଇ ପୁରା ମାତାଲ ଅବସ୍ଥାରେ ବାହାରକୁ ବାହାରିଲେ। ଦୁଇଟି ବାଇକ୍‌ରେ ଉଭୟ ପୁଅ ଝିଅ ବସି ପଟିଆ ଆଡ଼କୁ ଯିବା ଅବସ୍ଥାରେ ମୁଖ୍ୟ ରାସ୍ତାରେ ଦୁହେଁ ପିଟାପିଟି ହୋଇ ରାସ୍ତାରେ ପଡ଼ିଗଲେ। ଅବଶ୍ୟ କାହାର କିଛି କ୍ଷତି ହୋଇନଥିଲା, ଏହି ସମୟରେ ଆଉ ଦୁଇଜଣ ମାତାଲ ଯୁବକ ସେଠାରେ ପହଁଚି ସେମାନଙ୍କ ସହ ବାର୍ତ୍ତାଳାପ କରିବା ସମୟରେ ହଠାତ୍ ହୋ ହଲ୍ଲା ଶୁଭିଲା। ପରେ ବାଇକ୍ ଧରି ଦୁଇଜଣ ଯୁବକ ଛୁ’ ମାରିଲେ। ସେତେବେଳକୁ ରାତି ପ୍ରାୟ ୨.୪୫ ହେବ, ରାସ୍ତା ମଧ୍ୟ ଶୂନ୍‌ଶାନ୍। ଘଟଣାରୁ ଜଣାପଡ଼ିଲା ଯେ ସଂପୃକ୍ତ ଯୁବତୀଙ୍କୁ ବାଇକ୍‌ରେ ଆସି ଅଟକିଥିବା ଦୁଇ ଯୁବକ ଅସଦାଚରଣ କରିବାକୁ ଚେଷ୍ଟା କରିଥିଲେ। ଥାନାରେ ଅଭିଯୋଗ ନ କରି ଘଟଣାସ୍ଥଳରୁ ପରେ ନିଜ ନିଜ ବାଟରେ ସେମାନେ ଚାଲିଯାଇଥିଲେ।

ସେହିପରି ଶୁକ୍ରବାର ବିଳମ୍ବିତ ରାତିରେ ପଟିଆ ଛକ ନିକଟରେ ଥିବା ଏକ ବାର୍‌ରୁ କିଛି ଯୁବକ ମାତାଲ ଅବସ୍ଥାରେ ବାହାରି ରାସ୍ତା ମଝିରେ ୪ଟି ବାଇକ୍‌କୁ ଷ୍ଟାଣ୍ଡ୍ କରିଥିଲେ। ଏହି ସମୟରେ ଆଉ ଦୁଇଟି ବାଇକ୍‌ରେ ୪ଜଣ ଯୁବକ ଆସି ସେଠାରେ ପହଞ୍ଚିଥିଲେ। କିଛି ସମୟ ପରେ ଉଭୟ ଗୋଷ୍ଠୀ ମଧ୍ୟରେ ଗାଳି ଗୁଳଜ ହେବା ସହ ରାସ୍ତା ମଝିରେ ମାରଧର ଆରମ୍ଭ କରିଦେଇଥିଲେ। କିଛି ସମୟ ପରେ ଏକ ପୁଲିସ ପିସିଆର ଘଟଣାସ୍ଥଳରେ ପହଞ୍ଚିଥିଲା। ପିସିଆରକୁ ଦେଖି ଗୋଟିଏ ଗୋଷ୍ଠୀ ସେଠାରୁ ପଳାଇଥିଲେ। ତେବେ ଉକ୍ତ ୪ଜଣ ଯୁବକଙ୍କୁ ପୁଲିସ୍ ବୁଝାସୁଝା କରି ବିଦା କରିଥିଲା। ଦୁଇ ଦିନ ଭିତରେ ଦୁଇଟି ଘଟଣା ସାମ୍ନାକୁ ଆସିଥିବା ବେଳେ ପ୍ରତିଦିନ ଏହିଭଳି ଘଟଣା ଘଟୁଥିବା ଅଭିଯୋଗ ହେଉଛି।

ତେବେ ପୂର୍ବରୁ ରାତି ୧୨ଟା ମଧ୍ୟରେ ବାର୍‌ଗୁଡ଼ିକୁ ବନ୍ଦ କରିବାକୁ ଅନୁମତି ଦିଆଯାଇଥିବା ବେଳେ ମାଲିକମାନେ ନିୟମ ଉଲ୍ଲଂଘନ କରି ରାତି ୨/୩ ଟା ପର୍ଯ୍ୟନ୍ତ ବାର୍ ଖୋଲା ରଖୁଥିଲେ। ଅନେକ ବାର୍ ବାହାରୁ ସଟର ପକାଇ ଭିତରେ ମସଗୁଲ ହେଉଥିଲେ। କିନ୍ତୁ ଅବକାରୀ ବିଭାଗ ପକ୍ଷରୁ ନୂତନ ଅନୁମତି ପାଇବା ପରେ ଆଉ ଯେପରି କୌଣସି କଟକଣା ନ ଥିବା ଭଳି ମନେ ହେଉଛି। ରାତି ସାରା ବାର୍ ରେ ରଙ୍ଗିନ୍ ଝିଲିମିଲି ଲାଇଟ୍ ସାଙ୍ଗକୁ ଡିଜେ ଗୀତର ତାଳେ ତାଳେ ମତୁଆଲା ହେଉଛନ୍ତି ମାତାଲ ଗ୍ରାହକ। ଏକ ପ୍ରକାର ସକାଳ ହେଲା ପର୍ଯ୍ୟନ୍ତ ଉଠୁଛି ପଡୁଛି ବାର୍ ପରିସର। ନା ସେମାନଙ୍କ ପାଇଁ କିଛି କଟକଣା ଅଛି ନା କାହାକୁ ଭୟ। ମଦ ପି ମାତାଲ ହେଲେ ମଧ୍ୟ ବାହାରେ ସୁରକ୍ଷା ଦେବାକୁ ପୁଲିସ ପିସିଆର ଗାଡ଼ି ଛିଡା ହୋଇଛି। ବାର୍ ମାଲିକମାନେ ରାତି ସାରା ବାର୍ ଖୋଲି ମାଲେମାଲ୍ ହେଉଛନ୍ତି, ଏପଟେ ରାତି ତମାମ ମଦ ପିଇ ଅଞ୍ଚଳରେ ଉତ୍ପାତ କରୁଛନ୍ତି ଯୁବକ ଯୁବତୀ। ରାତିରେ ଏମାନଙ୍କ ପାଇଁ ରାସ୍ତାରେ ସାଧାରଣ ଲୋକ ଯିବାକୁ ଭୟ କରିବାକୁ ବସିଲେଣି।

ଅନ୍ୟପଟେ ବିଳମ୍ବିତ ରାତି ପର୍ଯ୍ୟନ୍ତ ବାର୍ ଖୋଲା ରହିବାର ଫାଇଦା ଉଠାଉଛନ୍ତି ଅପରାଧୀ । ଗ୍ରାହକ ବେଶରେ ବାର୍ ରେ ଅନେକ ଅପରାଧୀକ ବ୍ୟକ୍ତି ପ୍ରବେଶ କରୁଛନ୍ତି। ପାଖରେ ମାରଣାସ୍ତ୍ର ମଧ୍ୟ ରଖୁଛନ୍ତି। ପ୍ରବେଶ ସମୟରେ ମଧ୍ୟ କୌଣସି ଯାଂଚ କରାଯାଉନାହିଁ। ବାର୍ ଭିତରେ ମତୁଆଲା ଅବସ୍ଥାରେ ଯୁବତୀଙ୍କୁ ଅସଦାଚରଣ କରୁଛନ୍ତି। ଯାହାକୁ ନେଇ ଅନେକବାର ଘଟଣା ସାମ୍ନାକୁ ଆସିଛି। ଘଟଣା ଏମିତି ହୋଇଛି ଯେ ବାର୍ ଭିତରେ ଘଟୁଥିବା ଘଟଣା ବାହାରେ ଉଗ୍ର ରୂପ ନେଉଛି। ଗଣ୍ଡଗୋଳ ସମୟରେ ଯାହାର ସୁଯୋଗ ନେଇ ଅପରାଧୀମାନେ ସୁନା ଚେନ୍, ଘଣ୍ଟା, ଟଙ୍କା ଆଦି ଲୁଟ୍ କରିବାକୁ ପଛାଉ ନାହାନ୍ତି। ରାତିରେ ଅନେକ ବଡ଼ ବଡ଼ ଘଟଣା ଘଟୁଛି ଯାହାର ଖବର ପୁଲିସ୍ ପାଖରେ ରହୁନାହିଁ। ବିଶେଷକରି ବିଳମ୍ବିତ ରାତି ପର୍ଯ୍ୟନ୍ତ ଯୁବତୀମାନଙ୍କ ପାଇଁ ଏଭଳି ଘଟଣା ଘଟୁଥିବା କୁହାଯାଇଛି।

ସ୍ଥାନୀୟ ବାସିନ୍ଦା ଅଭିଜିତ ଦାସ କହିଛନ୍ତି ଯେ, ଆଇନଶୃଙ୍ଖଳାକୁ ବାର୍ ମାଲିକମାନେ କିଣିନେଉଛନ୍ତି। ବାର୍ ମାଲିକମାନଙ୍କ ଇଚ୍ଛାରେ ଆଇନଶୃଙ୍ଖଳା ପରିଚାଳିତ ହେଉଛି। ରାତିସାରା ହୋ ହଲ୍ଲା କରିବା ସହ ପିଟାପିଟି ହେଉଛନ୍ତି। ପୁଲିସ୍ ଦେଖଣାହାରୀ ସାଜୁଛି। ବିଳମ୍ବିତ ରାତି ପର୍ଯ୍ୟନ୍ତ ବାର୍ ଖୋଲିବାକୁ ଅନୁମତି ଦେଇ ଅବକାରୀ ବିଭାଗ ଓ ପୁଲିସ ଅପରାଧକୁ ଡ଼ାକିଆଣୁଛି ବୋଲି ଶ୍ରୀ ଦାସ କହିଛନ୍ତି।

ସମ୍ବନ୍ଧିତ ଖବର