ବସ୍‌ରୁ ଯୁବକ ନିଖୋଜ, ଏତଲା ରଖୁନି ପୁଲିସ

ବାରଦୁଆର ପରିବାରବର୍ଗ

ଭୁବନେଶ୍ବର: ତାମିଲନାଡ଼ୁରୁ ଓଡ଼ିଶା ଫେରୁଥିଲେ। ବାଟରୁ ଉଭାନ୍‌ ହୋଇଗଲେ। ଫୋନ୍‌ କରି କହିଥିଲେ, ‘ଏମାନେ ମାରିଦେ‌ବେ’। ତା’ ପରଠାରୁ ଆଉ ପତ୍ତା ନାହିଁ। ଏଭଳି ରହସ୍ୟମୟ ଢଙ୍ଗରେ ନିଖୋଜ ହୋଇଥିବା ଯୁବକ ହେଉଛନ୍ତି ବାଲେଶ୍ବରର ସଇଫ୍‌-ଉଲ୍‌ ଖାନ୍‌। ତାଙ୍କ ପରିବାରବର୍ଗ ଖଣ୍ଡଗିରି‌ରେ ରୁହନ୍ତି। ଗତ ଦୁଇ ତାରିଖ ରାତି ଦୁଇଟାରୁ ତାଙ୍କର ଆଉ ପତ୍ତା ନାହିଁ। ତାଙ୍କ ଫୋନ୍‌ ମଧ୍ୟ ବନ୍ଦ ରହିଛି।

ସେ ଆସୁଥିବା ବସ୍‌ର କଣ୍ଡକ୍ଟର କହିଛନ୍ତି, ଗଣ୍ଡଗୋଳ କରିବାରୁ ତାଙ୍କୁ ଶ୍ରୀକାକୁଲମ୍‌ରେ ଓହ୍ଲାଇ ଦିଆଯାଇଛି। ପରିବାରବର୍ଗ ଏବେ ଚିନ୍ତାରେ ପଡ଼ିଛନ୍ତି। କିଏ ମାରିବାକୁ କହୁଥିଲା? କାହିଁକି ଗଣ୍ଡଗୋଳ ହୋଇଥିଲା? ସେ ଓହ୍ଲାଇବା ପରେ କୁଆଡ଼େ ଗଲେ? ଏ ସବୁକୁ ନେଇ ପରିବାରବର୍ଗଙ୍କ ଚିନ୍ତା ବଢ଼ିଯାଇଛି। ନିଖୋଜ ଏତଲା ନେଇ ପରିବାରବର୍ଗ ଖଣ୍ଡଗିରି ଥାନା ଯାଇଥିଲେ ମଧ୍ୟ ପୁଲିସ ଏତଲା ରଖି ନାହିଁ। ଶ୍ରୀକାକୁଲମ୍‌ ଯାଇ ଅଭିଯୋଗ କର ବୋଲି କହିଛି। କିନ୍ତୁ ସଇଫଙ୍କ ଗରିବ ପରିବାର ପାଇଁ ଶ୍ରୀକାକୁଲମ୍‌ ଯାଇ ଏତଲା ଦେବା କଷ୍ଟକର ବ୍ୟାପାର। ତେଣୁ କୁଆଡ଼େ ଯିବେ, କ’ଣ କରିବେ, କିଏ ସାହାଯ୍ୟ କରିବ, ତାହା ଭାବିବା ବେଳକୁ ମଥା ଘୂରାଇ ଦେଉଛି ବୋଲି କହିଛନ୍ତି ନିଖୋଜ ଯୁବକଙ୍କ ବାପା ଇସ୍‌ମାଇଲ୍‌ ଖାନ୍‌।

ସୂଚନା ମୁତାବକ, ସଇଫ୍‌-ଉଲ୍‌ ହୋଟେଲରେ କାମ କରିବା ପାଇଁ ତାମିଲନାଡ଼ୁ ଇରୋଡ୍‌କୁ ଯାଇଥିଲେ। ଗତ ଦୁଇ ତାରିଖ ଦିନ ସେ ବଗନ ଟ୍ରାଭେଲ୍ସ ବସ୍‌ ଯୋଗେ ବାଲେଶ୍ବର ଫେରୁଥିଲେ। ଗତ ୨ ତାରିଖ ରାତି ସାଢ଼େ ୧୨ଟା ବେଳେ ସେ ଘରକୁ ଫୋନ୍‌ କରି ବସ୍‌ରେ ଗଣ୍ଡଗୋଳ ହେଉଥିବା କହିଥିଲେ। ସେମାନେ ମୋତେ ମାରି ପକାଇବେ ବୋଲି କହିବା ପରେ ଫୋନ୍‌ କଟି ଯାଇଥିଲା। ତା’ ପରେ ଆଉ ଫୋନ୍‌ ଲାଗି ନଥିଲା।

ସମ୍ବନ୍ଧିତ ଖବର