ନାରୀଧର୍ମର ବ୍ରତ ଋଷିପଞ୍ଚମୀ

ଶ୍ରୀମନ୍ଦିରରେ ଶ୍ରୀଦେବୀ (ଲକ୍ଷ୍ମୀ) ପାଳନ କରୁଥିବା ଦୁଇଟି ବ୍ରତ ମଧ୍ୟରୁ ଗୋଟିଏ ଋଷିପଞ୍ଚମୀ ବ୍ରତ। ଯୁଧିଷ୍ଠିର-କୃଷ୍ଣ କଥୋପକଥନ ମାଧ୍ୟମରେ ଏହି ବ୍ରତକଥା ବର୍ଣ୍ଣିତ ହୋଇଛି। ବ୍ରତକଥାର ପ୍ରସଙ୍ଗ- ନାରୀଧର୍ମ ବା ରଜସ୍ୱଳା ଧର୍ମ। ସାଧାରଣରେ ଗୋଟିଏ ବିଶ୍ୱାସ ପ୍ରଚଳିତ ଅଛି, ଯେ ରଜସ୍ୱଳା ନାରୀ ଅପବିତ୍ରା। ବ୍ରତକଥା ଅନୁସାରେ, ଦେବରାଜ ଇନ୍ଦ୍ର ବୃତ୍ରାସୁରକୁ ମାରିବା ଫଳରେ, ତାଙ୍କୁ ବ୍ରହ୍ମହତ୍ୟା ପାପ ଲାଗିଥିଲା। ବ୍ରହ୍ମା ସେହି ପାପକୁ ଚାରିଭାଗ କରି ବିଭିନ୍ନ ସ୍ଥାନରେ ରଖିଥିଲେ। ସେଥିରୁ ଭାଗେ ରହିଥିଲା ନାରୀଙ୍କର ରଜରେ। ସେହି ହେତୁ ରଜସ୍ୱଳା ନାରୀ ପ୍ରଥମ ଦିନ ଚାଣ୍ଡାଳୀ, ଦ୍ୱିତୀୟ ଦିନ ବ୍ରହ୍ମହତ୍ୟାକାରିଣୀ, ତୃତୀୟ ଦିନ ଧୋବଣୀ ରୂପେ ବିବେଚିତ ହୁଅନ୍ତି ଏବଂ ଚତୁର୍ଥ ଦିନ ଶୁଦ୍ଧ ହୋଇଥାନ୍ତି। ପ୍ରଥମ ତିନିଦିନ ତାଙ୍କୁ ସ୍ପର୍ଶ କରିବା ମହାପାପ ରୂପେ ବିବେଚିତ ହୁଏ ଏବଂ ସେ ମଧ୍ୟ କୌଣସି ଜିନିଷକୁ ସ୍ପର୍ଶ କରିବା ନିଷେଧ ହୋଇଥାଏ।

ଏହି ପ୍ରସଙ୍ଗରେ, ସତ୍ୟଯୁଗରେ ବିଦର୍ଭପୁରୀରେ ରାଜତ୍ୱ କରୁଥିବା ଶନଞ୍ଜନ ନାମକ ଜଣେ ରାଜାଙ୍କ ସମୟର କାହାଣୀ ବ୍ରତକଥାରେ ବର୍ଣ୍ଣିତ ହୋଇଛି। ତାଙ୍କ ରାଜ୍ୟରେ ଥିଲେ ସୁମିତ୍ର ନାମକ ଜଣେ ବ୍ରାହ୍ମଣ। ତାଙ୍କର ସ୍ତ୍ରୀ ଜୟଶ୍ରୀ ଜଣେ ପତିବ୍ରତା ନାରୀ। ଦିନେ ପିତୃଶ୍ରାଦ୍ଧ ନିମନ୍ତେ ସୁମିତ୍ର ବନରୁ ଋଷିମାନଙ୍କୁ ନିମନ୍ତ୍ରଣ କଲେ। କିନ୍ତୁ ତାଙ୍କ ସ୍ତ୍ରୀ ରଜବତୀ ଥାଇ ପାକସ୍ପର୍ଶ କଲେ। ଋଷିମାନେ ଭୋଜନ ସମୟରେ ତାହା ଜାଣିପାରି ଅଭିଶାପ ଦେବାରୁ ସୁମିତ୍ର ବଳଦ ରୂପେ ଓ ଜୟଶ୍ରୀ ଶ୍ୱାନୀ ରୂପେ ଜନ୍ମ ନେଲେ। ଘଟଣାକ୍ରମରେ ସୁମିତ୍ରଙ୍କ ପୁଅ ସୁମତି ଓ ତାଙ୍କ ସ୍ତ୍ରୀ ଚନ୍ଦ୍ରାବତୀ ଋଷିମାନଙ୍କ ପରାମର୍ଶରେ ଋଷିପଞ୍ଚମୀ ବ୍ରତ କରିବାରୁ ତାଙ୍କର ପିତାମାତା ପଶୁଜନ୍ମରୁ ମୋକ୍ଷ ଲାଭ କରିଥିଲେ।

ଏହି ଋଷିପଞ୍ଚମୀ ବ୍ରତରେ, ସପ୍ତଋଷିଙ୍କୁ ଆବାହନ କରି ପୂଜା ଓ ଭୋଗ ନୈବେଦ୍ୟ ଅର୍ପଣ କରାଯାଇଥାଏ। ସେହି ସପ୍ତଋଷି ହେଉଛନ୍ତି- ଗୌତମ, ଭରଦ୍ୱାଜ, ବିଶ୍ୱାମିତ୍ର, ଜମଦଗ୍ନି, ବଶିଷ୍ଠ, କଶ୍ୟପ ଓ ଆତ୍ରେୟ। ବ୍ରତକଥା ଅନୁସାରେ, ଏହି ବ୍ରତ କରିଥିବା ନାରୀ ରଜବତୀ ଥିବା ସମୟରେ ମଧ୍ୟ ପାକସ୍ପର୍ଶ କରି, ପାକଦ୍ରବ୍ୟ ଦେବତା, ବ୍ରାହ୍ମଣଙ୍କୁ ପ୍ରଦାନ କରିପାରିବେ। ତଜ୍ଜନିତ କୌଣସି ପାପ ସେହି ନାରୀଙ୍କୁ ଲାଗିବ ନାହିଁ।
ଭାଦ୍ର ଶୁକ୍ଳ ପଞ୍ଚମୀରେ ଶ୍ରୀଦେବୀ (ଲକ୍ଷ୍ମୀ) ଏହି ବ୍ରତ ପାଳନ କରି ବ୍ରତକଥା ଶୁଣିଥାନ୍ତି।

ସମ୍ବନ୍ଧିତ ଖବର