ନୂଆ ଡିଜିଟାଲ୍‌ ଶତ୍ରୁ

ପ୍ରିୟଙ୍କା ରାଏ
ଅନେକ କ୍ଷେତ୍ରରେ ନାବାଳିକା ଓ ଶିଶୁମାନେ ନିଜ ପରିବାର କିମ୍ବା‌ ବାହାର ଲୋକଙ୍କ ଦ୍ବାରା ଯୌନ ନିର୍ଯାତନାର ଶିକାର ହେଉଥିବାର ଦେଖାଯାଏ। ଏପରିକି ପ୍ରତିଦିନ ଟିଭି ଓ ଖବରକାଗଜରେ ବହୁ ରେପ୍ କେସ୍ ଦେଖିବାକୁ ମିଳୁଛି। ବର୍ତ୍ତମାନ ଏହା ସହିତ ଯୋଡ଼ି ହୋଇଯାଇଛି ‘ଡିଜିଟାଲ ରେପ୍’। ଯଦିଓ ନାମରୁ ଏହା କୌଣସି ସାଇବର ଅପରାଧ ପରି ବୋଧ ହେଉଛି କିନ୍ତୁ ଏହା କୌଣସି ସାଇବର ଅପରାଧ ନୁହେଁ। ଡିଜିଟାଲ୍ ଶଦ୍ଦଟି ଇଂରାଜୀ ଶଦ୍ଦ ‘ଡିଜିଟ୍’ରୁ ଆସିଛି ଯାହାର ଅର୍ଥ ହେଉଛି ଆଙ୍ଗୁଠି। ଗୋଡ଼ ଅଥବା ହାତ ଆଙ୍ଗୁଠି ଦ୍ବାରା ଦୁଷ୍କର୍ମ କରିବାକୁ ଡିଜିଟାଲ ରେପ୍ କୁହାଯାଏ।

ପୂର୍ବରୁ ପୋକ୍‌ସୋ ଆକ୍ଟ୍‌ର ଧାରା ୩ ଅନୁସାରେ ଯୌନାଙ୍ଗ ବ୍ୟତୀତ ଯେକୌଣସି ବସ୍ତୁ କିମ୍ବା ଶରୀରର ଏକ ଅଂଶ ଦ୍ବାରା ଦୁଷ୍କର୍ମ କରିବା ଯୌନ ନିର୍ଯାତନା ଅଧୀନରେ ଯାଉଥିଲା। କିନ୍ତୁ ବହୁଚର୍ଚ୍ଚିତ ନିର୍ଭୟା ହତ୍ୟାକାଣ୍ଡ ପରେ ଦୁଷ୍କର୍ମର ସଂଜ୍ଞାକୁ ଆହୁରି ବର୍ଦ୍ଧିତ କରାଗଲା। ୨୦୧୩ ଅପରାଧ ସଂଶୋଧନ ଅଧିନିୟମ ଅନୁଯାୟୀ ଦୁଷ୍କର୍ମର ନୂଆ ସଂଜ୍ଞା ନିରୂପଣ କରାଗଲା। ଏହି ନିୟମ ଅନୁସାରେ, ବଳପୂର୍ବକ ଶରୀରର କୌଣସି ଅଂଶ ଅଥବା କୌଣସି ବସ୍ତୁ ମାଧ୍ୟମରେ ଦୁଷ୍କର୍ମ କରିବାକୁ ମଧ୍ୟ ବଳାତ୍କାର ବୋଲି ଧରାଯିବାର ନିୟମ ହେଲା। ଭାରତୀୟ ପିଙ୍ଗଳ କୋଡ୍ ଦଫା ୩୭୫ ଓ ୩୭୬ରେ ଏହି ଅପରାଧ ପାଇଁ ଦଣ୍ଡବିଧାନ ରହିଛି।
ଏପରି ଏକ ଘଟଣା ଘଟିଥିଲା ୨୦୧୬ ମସିହାରେ ହରିୟାଣା ଗୁରୁଗ୍ରାମ ଅଞ୍ଚଳରେ। ଜଣେ ବସ୍ କଣ୍ଡକ୍ଟର ୪ବର୍ଷୀୟା ନାବାଳିକା ସହ ବସ୍ ଭିତରେ ଡିଜିଟାଲ ରେପ୍ କରିବା ଘଟଣା ସେତେବେଳେ ଚର୍ଚ୍ଚାର ବିଷୟ ପାଲଟିଥିଲା। ଏବେ ସେହି ଘଟଣାକୁ ନେଇ ଅଦାଲତ ଅଭିଯୁକ୍ତକୁ ୨୦ବର୍ଷ ଜେଲ୍‌ଦଣ୍ଡରେ ଦଣ୍ଡିତ କରିବା ସହ ୫୦ହଜାର ଟଙ୍କା ଜରିମାନା ଘୋଷଣା କରିଥିଲେ। ୨୦୧୮ ମସିହାରେ ପଶ୍ଚିମବଙ୍ଗରେ ମଧ୍ୟ ଏକ ୨୧ ବର୍ଷର ମହିଳାର ଯୌନାଙ୍ଗରେ ଲୁହା ରଡ୍‌ ପୁରାଇ ଦେଇଥିବା ଘଟଣା ସାମ୍ନାକୁ ଆସିଥିଲା। ସେହିପରି ଗତବର୍ଷ ନୋଏଡ଼ାର ଜଣେ ୬୫ ବର୍ଷୀୟ ବୃଦ୍ଧଙ୍କୁ ସାଢ଼େ ତିନି ବର୍ଷର ଛୋଟ ଝିଅକୁ ଡିଜିଟାଲ ରେପ୍ ପାଇଁ ଆଜୀବନ କାରାଦଣ୍ଡ ଘୋଷଣା କରାଯାଇଥିଲା। ବୟସ୍କ ହୁଅନ୍ତୁ ବା ଶିଶୁ ଉଭୟ ଏଭଳି ନିର୍ଯାତନାର ଶିକାର ହୁଅନ୍ତି। ବାଲ୍ୟ କାଳରେ ଘଟିଥିବା ଏଭଳି ଘଟଣା ପରବର୍ତ୍ତୀ ଜୀବନକୁ ଅଦୃଶ୍ୟ ଭାବରେ ପ୍ରଭାବିତ କରିଥାଏ। ଏସବୁକୁ ଏଡ଼ାଇବା ପାଇଁ ବର୍ତ୍ତମାନ ଅଭିଭାବକ ତଥା ବିଦ୍ୟାଳୟରେ ଭଲ ଓ ଖରାପ ସ୍ପର୍ଶ ବିଷୟରେ ସୂଚନା ଦିଆଯାଉଛି। ଯଦି ଏପରି କିଛି ଘଟୁଛି ତେବେ ଏସବୁକୁ ନ ଲୁଚାଇ ନିର୍ଭୀକ ଭାବେ ପରିବାରସହ ଆଲୋଚନା କରିବାକୁ ଏବଂ ସାହସର ସହିତ ମୁକାବିଲା କରିବାକୁ ମଧ୍ୟ ଶିକ୍ଷାା ଦିଆଯାଉଛି।

ସମ୍ବନ୍ଧିତ ଖବର