ଆଇପିଏଲ୍‌: ରାହୁଲ, ‌ଷ୍ଟୋଇନିସ୍‌ ଓ ବିଷ୍ଣୋଇଙ୍କୁ ନେଲା ଲକ୍ଷ୍ନୌ

ଅହମଦାବାଦ ଦଳରେ ହାର୍ଦ୍ଦିକ୍‌, ରସିଦ୍‌ ଓ ଗିଲ୍‌

ନୂଆଦିଲ୍ଲୀ: ଆଗାମୀ ଖେଳାଳି ନିଲାମ ପୂର୍ବରୁ ନୂଆ ଦୁଇ ଫ୍ରାଞ୍ଚାଇଜ୍‌ ଲକ୍ଷ୍ନୌ ଏବଂ ଅହମଦାବାଦକୁ ନିୟମ ଅନୁଯାୟୀ ତିନି ଜଣ (ଜଣେ ବିଦେଶୀଙ୍କ ସହିତ) ଲେଖାଏଁ ଖେଳାଳି ବାଛିବାକୁ ଆଇପିଏଲ୍‌ (ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌) ପକ୍ଷରୁ କୁହାଯାଇଥିଲା। ଉଭୟ ଦଳ ୬ ଜଣ ଖେଳାଳିଙ୍କୁ ନିଜ ପାଖରେ ରଖିବା ପରେ ଅନ୍ୟ ସମସ୍ତେ ନିଲାମ ପ୍ରକ୍ରିୟାରେ ଯୋଡ଼ି ହୋଇଯିବେ। ସେହି ଦୃ୍ଷ୍ଟିରୁ ମଙ୍ଗଳବାର ଲକ୍ଷ୍ନୌ ଫ୍ରାଞ୍ଚାଇଜ୍‌ ପୂର୍ବତନ ପଞ୍ଜାବ କିଙ୍ଗ୍‌ସ ଅଧିନାୟକ କେଏଲ୍‌ ରାହୁଲ, ମାର୍କସ ଷ୍ଟୋଇନିସ୍‌ ଓ ରବି ବିଷ୍ଣୋଇଙ୍କୁ ମନୋନୀତ କରିଥିଲା ବେଳେ ଅହମଦାବାଦ ଫ୍ରାଞ୍ଚାଇଜ୍‌ ହାର୍ଦିକ୍‌ ପାଣ୍ଡ୍ୟା, ରସିଦ୍‌ ଖାନ୍‌ ଏବଂ ଶୁବମନ ଗିଲ୍‌ଙ୍କୁ ନେଇଛି। ଏଥି ସହିତ ଚଳିତ ଦକ୍ଷିଣ ଆଫ୍ରିକା ଗସ୍ତରେ ଭାରତୀୟ ଦିନିକିଆ ଦଳର ନେତୃତ୍ବ ନେଉଥିବା ରାହୁଲଙ୍କୁ ଲକ୍ଷ୍ନୌ ଅଧିନାୟକ କରିବା ନିଷ୍ପତ୍ତି ପ୍ରାୟତଃ ନେଇସାରିଥିଲା ‌ବେଳେ ଅହମଦାବାଦ ପାଣ୍ଡ୍ୟାଙ୍କୁ ନେତୃତ୍ବ ଅର୍ପଣ କରିବା ନିଶ୍ଚିତ ହୋଇଛି। ପୁଣି ଆସନ୍ତା ଫେବ୍ରୁଆରିରେ ଆୟୋଜିତ ହେବାକୁ ଯାଉଥିବା ଖେଳାଳି ନିଲାମ ବେଳେ ପୁରୁଣାଙ୍କ ଭଳି ଦୁଇ ନୂଆ ଫ୍ରାଞ୍ଚାଇଜ୍‌ଙ୍କ ପାଇଁ ୯୦ କୋଟି ଲେଖାଏଁ ଅର୍ଥରାଶି ବ୍ୟୟ କରିବାର ନିୟମ ପ୍ରଣୟନ କରାଯାଇଛି। ସେହି ଦୃଷ୍ଟିରୁ ଆଗୁଆ ବାଛିଥିବା ୩ ଜଣ ଲେଖାଏଁ ଖେଳାଳିଙ୍କ ବାବଦରେ ଲକ୍ଷ୍ନୌ ୩୦ ଏବଂ ଅହମଦାବାଦ ୩୭ କୋଟି ବ୍ୟୟ କରିବାର ଘୋଷଣା କରିଛନ୍ତି। ଫଳରେ ଲକ୍ଷ୍ନୌ ଅବଶିଷ୍ଟ ୬୦ ଏବଂ ଅହମଦାବାଦ ଅବଶିଷ୍ଟ ୫୭ କୋଟି ପାଣ୍ଠି ନେଇ ନିଲାମକୁ ଯିବେ।

ଲକ୍ଷ୍ନୌ ଦୁଇ ଭାରତୀୟ ରାହୁଲ ଓ ବିଷ୍ଣୋଇଙ୍କ ସହିତ ଅଷ୍ଟ୍ରେଲୀୟ ଅଲ୍‌ରାଉଣ୍ଡର ଷ୍ଟୋଇନିସ୍‌ଙ୍କୁ ନିଜ ପକ୍ଷରୁ ନେଇଛି। ସେମାନଙ୍କ ମଧ୍ୟରୁ ଅଧିନାୟକ ଦାୟିତ୍ବ ଦେବାକୁ ନିଷ୍ପତ୍ତି ନେଇଥିବାରୁ ରାହୁଲଙ୍କୁ ୧୫ କୋଟି, ‌‌ଷ୍ଟୋଇନିସ୍‌ଙ୍କୁ ୧୧ ଏବଂ ବିଷ୍ଣୋଇଙ୍କୁ ୪ କୋଟି ପ୍ରଦାନ କରିବ ବୋଲି କହିଛି। ରାହୁଲ ୨୦୧୮ରୁ ଆଇପିଏଲ୍‌ରେ ସ୍ଥିର ପ୍ରଦର୍ଶନ ଦେଇଆସୁଛନ୍ତି। ୨୦୧୩ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପକ୍ଷରୁ ଆଇପିଏଲ୍‌ କ୍ୟାରିୟର ଆରମ୍ଭ କରିଥିବା ରାହୁଲ ୨୦୧୪ରେ ସନ୍‌ରାଇଜର୍ସ ହାଇଦ୍ରାବାଦ ଚାଲିଯାଇଥିଲେ। ହେଲେ ୨୦୧୬ରେ ପୁଣି ଆର୍‌ସିବିକୁ ଫେରିଥିଲା ବେଳେ ୨୦୧୮ରେ କିଙ୍ଗ୍‌ସ ଏକାଦଶ ପଞ୍ଜାବ ତାଙ୍କୁ ୧୧ କୋଟିରେ କିଣି ନେଇଥିଲା। ପଞ୍ଜାବ ସହ ବିତାଇଥିବା ୪ ଋତୁରେ ୫୫ ମ୍ୟାଚ୍‌ ଖେଳି ସେ ୫୬.୬୨ ହାରରେ ୨୫୪୮ ରନ୍‌ କରିଥିଲେ। ଯେଉଁଥିରେ ୨୫ଟି ଅର୍ଦ୍ଧଶତକ ଏବଂ ଦୁଇଟି ଶତକୀୟ ପାଳି ସାମିଲ ରହିଛି। ୨୦୧୮ରୁ ୨୦୨୧ ମଧ୍ୟ‌ରେ ସେ ଯଥାକ୍ରମେ ୬୫୯, ୫୮୩, ୬୭୦ ଓ ୬୨୫ ରନ୍‌ କରିଥିଲେ।

ଷ୍ଟୋଇନିସ୍‌ଙ୍କ ପାଇଁ ଲକ୍ଷ୍ନୌ ଚତୁର୍ଥ ଆଇପିଏଲ୍‌ ଦଳ ହେବ। ୨୦୧୫ ପଦାର୍ପଣରେ ଦିଲ୍ଲୀ ଡେୟାରଡେଭିଲ୍‌ସ ପାଇ ଖେଳିଥିବା ଏହି ଅଷ୍ଟ୍ରେଲୀୟ ଅଲ୍‌ରାଉଣ୍ଡରଙ୍କୁ ୨୦୨୦ରେ ୪.୮ କୋଟିରେ ଦିଲ୍ଲୀ କ୍ୟାପିଟାଲ୍‌ସ କିଣିଥିଲା। ସେ ୨୭ ମ୍ୟାଚ୍‌ ଖେଳି ୧୪୨.୭୧ ହାରରେ ୪୪୧ ରନ୍‌ ଏବଂ ୧୫ ୱି‌କେଟ୍‌ ଅକ୍ତିଆର କରିଥିଲେ। ଏହି ଦୁଇ ଦଳ ବ୍ୟତୀତ ସେ ପଞ୍ଜାବ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପକ୍ଷରୁ ଖେଳିଥିଲେ।

ଦକ୍ଷିଣ ଆଫ୍ରିକାରେ ୧୯ ବର୍ଷରୁ କମ୍‌ ବିଶ୍ବକପ୍‌ (୨୦୨୦)ରେ ଚମକ ଛାଡ଼ିଥିଲେ ସ୍ପିନର ରବି ବିଷ୍ଣୋଇ। ଅଗ୍ରଣୀ ୱିକେଟ୍‌ ଦଖଲକାରୀ ବୋଲର ରହିଥିଲେ। ପଞ୍ଜାବ ପକ୍ଷରୁ ନିଜର ପ୍ରଥମ ଆଇପିଏଲ୍‌ ଋତୁରେ ୧୪ ମ୍ୟାଚ୍‌ରୁ ୧୨ ଏବଂ ଗତ ୨୦୨୧ ସଂସ୍କରଣରେ ୯ ମ୍ୟାଚ୍‌ରୁ ୧୨ ୱିକେଟ୍‌ ନେଇଥିଲେ। ତାଙ୍କର ମୋଟ ଇକୋନୋମୀ ହାର ହେଉଛି ୬.୯୫।

ଅହମଦାବାଦ ଦଳରେ ହାର୍ଦ୍ଦିକ୍‌, ରସିଦ୍‌ ଓ ଗିଲ୍‌
ଅନ୍ୟପକ୍ଷରେ ଅହମଦାବାଦ ହାର୍ଦିକ୍‌ ପାଣ୍ଡ୍ୟାଙ୍କୁ ନେତୃତ୍ବ ଦେବାର ନିଷ୍ପତ୍ତି ନେଇଛି। ଏହାସତ୍ତ୍ବେ ତାଙ୍କ ସହିତ ଆଫ୍‌ଗାନ୍‌ ସ୍ପିନର ରସିଦ୍‌ ଖାନ୍‌ଙ୍କୁ ସମାନ ୧୫ କୋଟି ଲେଖାଏଁରେ କିଣିଥିବା ମଙ୍ଗଳବାର ସୂଚନା ଦେଇଛି। ତେବେ ଅନ୍ୟତମ ଖେଳାଳି ଗିଲ୍‌ଙ୍କ ପାଇଁ ୭ କୋଟି ଟଙ୍କା ବ୍ୟୟ କରିଛି। ହାର୍ଦିକ୍‌ ଓ ରସିଦ୍‌ ମଧ୍ୟ ପ୍ରଥମ ଥର ପାଇଁ ଆଇପିଏଲ୍‌ରେ ଗୋଟିଏ ଦଳ ପାଇଁ ଖେଳିବେ। ଏହା ପୂର୍ବରୁ ହାର୍ଦିକ୍‌ ମୁମ୍ବାଇ ଇଣ୍ଡିଆନ୍‌ସ ଏବଂ ରସିଦ୍‌ ସନ୍‌ରାଇଜର୍ସ ହାଇଦ୍ରାବାଦ ପାଇଁ ଖେଳିଥିଲେ। ହାର୍ଦିକ୍‌ ମଧ୍ୟ ୪ ଥର ବିଜେତା (୨୦୧୫, ୨୦୧୭, ୨୦୧୯ ଓ ୨୦୨୦) ଦଳର ସଦସ୍ୟ ରହିଛନ୍ତି। ବିଶେଷକରି ୨୦୧୯ ଓ ୨୦୨୦ରେ ସେ ୨୯ ମ୍ୟାଚ୍‌ ଖେଳି ୭୬୨ ରନ୍‌ କରିଥିଲା ବେଳେ ୩୨ ୱିକେଟ୍‌ ଅକ୍ତିଆର କରିଥିଲେ। ଅନ୍ୟପକ୍ଷରେ ସନ୍‌ରାଇଜର୍ସ ପାଇଁ ୯ କୋଟିରେ କିଣାଯାଇଥିବା ରସିଦ୍‌ ଆଇପିଏଲ୍‌ରେ ମୋଟ ୭୬ ମ୍ୟାଚ୍‌ ଖେଳିଥିଲା ବେଳେ ୬.୩୩ ଇକୋନୋମୀ ହାରରେ ୯୩ ୱିକେଟ୍‌ ଦଖଲ କରିଛନ୍ତି। ଶେଷ ୫ ଆଇପିଏଲ୍‌ରେ କେବଳ ଯଶ୍‌ପ୍ରୀତ୍‌ ବୁମ୍‌ରା ହିଁ ତାଙ୍କଠୁ ଅଧିକ (୧୦୪) ୱିକେଟ୍‌ ପାଇଛନ୍ତି। ଗିଲ୍‌ଙ୍କ ପାଇଁ ଅହମଦାବାଦ ଦ୍ବିତୀୟ ଆଇପିଏଲ୍‌ ଦଳ ହେବ। ୨୦୧୮ ନିଲାମରେ ତାଙ୍କୁ କୋଲ୍‌କାତା ନାଇଟ୍‌ ରାଇଡର୍ସ ୧.୮ କୋଟିରେ କିଣିଥିଲା। ହେଲେ ଏଥର ତାଙ୍କୁ ଛାଡ଼ିଦେବା ପରେ ଅହମଦାବା ୭ କୋଟିରେ କିଣିଛି।

ସମ୍ବନ୍ଧିତ ଖବର