ସଚିନ ତେନ୍ଦୁଲକରଙ୍କ କୋଚ୍‌ ରମାକାନ୍ତ ଆଚରେକରଙ୍କ ୮୭ ବର୍ଷ ବୟସରେ ପରଲୋକ

ମୁମ୍ବାଇ: ବିଶ୍ୱ କ୍ରିକେଟର ଜଣାଶୁଣା ଚେହେରା ତଥା ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ କୋଚ୍‌ ରମାକାନ୍ତ ଆଚରେକରଙ୍କ ବୁଧବାର ମୁମ୍ବାଇରେ ପରଲୋକ ହୋଇଯାଇଛି। ଆଚରେକର ସାର ନାଁରେ ଭଲଭାବରେ ଜଣାଶୁଣା ରମାକାନ୍ତ ୮୭ ବର୍ଷ ବୟସରେ ପରଲୋକ ଗମନ କରିଛନ୍ତି।

ଅନ୍ୟପକ୍ଷରେ ଭାରତୀୟ କ୍ରିକେଟ ଜଣେ ଭଲ ଗୁରୁଙ୍କୁ ହରାଇଛି। ଆଚରେକର ସାର ଆଉ ନାହାନ୍ତି ବୋଲି ତାଙ୍କ ସଂପର୍କୀୟ ରଶ୍ମୀ ଦେବୀ ଜାତୀୟ ଗଣମାଧ୍ୟମ ସଂସ୍ଥାକୁ ଫୋନ୍‌ ଯୋଗେ ସୂଚନା ଦେଇଛନ୍ତି।

ମୁମ୍ବାଇର ଶିବାଜୀ ପାର୍କ ନିକଟରେ କାମଥ ମେମୋରିଆଲ୍‌ କ୍ରିକେଟ୍‌ କ୍ଲବ ପ୍ରତିଷ୍ଠା କରି ଆଚରେକର ଯୁବ କ୍ରିକେଟ୍‌ରଙ୍କୁ ଶିକ୍ଷା ପ୍ରଦାନ କରୁଥିଲେ। ରମାକାନ୍ତ ଆଚରେକରଙ୍କ ପ୍ରତକ୍ଷ୍ୟ ତତ୍ୱାବଧାନରେ ଭାରତୀୟ କ୍ରିକେଟ ଜଗତକୁ ବହୁ ସଂଖ୍ୟାରେ ପ୍ରତିଭା ସଂପନ୍ନ କ୍ରିକେଟର ମିଳିଛି। ସେମାନଙ୍କ ମଧ୍ୟରେ ସଚିନ ତେନ୍ଦୁଲକର ହେଉଛନ୍ତି ସର୍ବଶ୍ରେଷ୍ଠ ବ୍ୟକ୍ତିତ୍ୱ, ଯିଏ କି ବିଶ୍ୱ କ୍ରିକେଟ ପାଇଁ ସବୁଦିନ ପାଇଁ ମନେ ରହିବେ। ସଚିନଙ୍କ ବ୍ୟତୀତ ଅଜିତ ଆଗରକର, ସଂଜୟ ବାଙ୍ଗର, ବଲଓ୍ଵିନ୍ଦର ସିଂହ ସାନ୍ଧୁ, ବିନୋଦ କାମ୍ବଲି, ପ୍ରବୀଣ ଆମରେ ଓ ରମେଶ ପାଓ୍ଵାରଙ୍କ ଗୁରୁ ଥିଲେ ରମାକାନ୍ତ ଆଚରେକର।

ଭାଇଙ୍କ ପରାମର୍ଶ କ୍ରମେ ସଚିନ ତେନ୍ଦୁଲକର ନିଜର ସ୍କୁଲ ସମୟରେ ଗୁରୁ ଆଚରେକରଙ୍କୁ ପାଇଥିଲେ। ଅନ୍ୟପକ୍ଷରେ ସଚିନଙ୍କ ନିକଟରେ ଥିବା ଦକ୍ଷତାକୁ ଆଚରେକର ଜାଣି ପାରିଥିଲେ। ସଚିନ୍‌ଙ୍କୁ ଇଣ୍ଡିଆନ୍‌ ଏଜୁକେସନ ସୋସାଇଟିର ନ୍ୟୁ ଇଂରାଜୀ ସ୍କୁଲରୁ ଶାରଦାଶ୍ରମ ବିଦ୍ୟା ମନ୍ଦିର (ଇଂରାଜୀ) ସ୍କୁଲ ଆଣିବାକୁ ଆଚରେକର ପରାମର୍ଶ ଦେଇଥିଲେ। କାରଣ ଶାରଦାଶ୍ରମ ସ୍କୁଲରେ ଭଲ କ୍ରିକେଟ ଟିମ ଥିଲେ।

ବର୍ଷ ୧୯୮୮ର ଘଟଣା। ସଚିନ ତେନ୍ଦୁଲକର ଏକ ଶାରଦାଶ୍ରମ ସ୍କୁଲ ତରଫରୁ ସେଣ୍ଟ ଜାଭିୟରର୍ସର ହେରିସ ସିଲଡ୍‌ ମ୍ୟାଚ ଖେଳି ସାଥୀ ବିନୋଦ କାମ୍ବଲିଙ୍କ ସହିତ ୬୬୪ ରନ ଭାଗିଦାରୀ ହୋଇପାରିଥିଲେ। ଠିକ ଗୋଟିଏ ବର୍ଷ ପରେ ସଚିନ ଭାରତ ପାଇଁ ପାକିସ୍ତାନ ବିପକ୍ଷରେ ଟେଷ୍ଟ କ୍ୟାରିୟର ଆରମ୍ଭ କରିଥିଲେ ଏବଂ ଗୋଟିଏ ଦଶନ୍ଧି କ୍ରିକେଟ ଖେଳିବା ପରେ ବିଶ୍ୱ କ୍ରିକେଟରେ ବାଦଶାହ ଭଳି ଉଭା ହୋଇଥିଲେ।

ଆଚରେକରଙ୍କୁ ଅନେକ ଗୁଡ଼ିଏ ଶ୍ରେଷ୍ଠ ପୁରସ୍କାର ମିଳିଥିଲା। ଏଥିରେ ପଦ୍ମଶ୍ରୀ ମଧ୍ୟ ସାମିଲ। ବର୍ଷ ୨୦୧୦ରେ ଆଚରେକରଙ୍କୁ ଭାରତର ଏହି ମର୍ଯ୍ୟାଦାଜନକ ପୁରସ୍କାର ମିଳିଥିଲା। ସେହିବର୍ଷ ତାଙ୍କୁ ଲାଇଫ୍‌ଟାଇମ୍‌ ଆଚିଭମେଣ୍ଟ ପୁରସ୍କାର ମିଳିଥିଲା।

ସମ୍ବନ୍ଧିତ ଖବର