ଗୋଲ୍ଡ କୋଷ୍ଟ: ଗୋଲ୍ଡ କୋଷ୍ଟ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତୀୟ ବ୍ୟାଡ୍ମିଣ୍ଟନ ତାରକାଙ୍କ ଚମତ୍କାର ପ୍ରଦର୍ଶନ ଜାରି ରହିଛି। ଦୁଇ ଦିନ ତଳେ ମିଶ୍ରିତ ଦଳ ଭାରତକୁ ସ୍ୱର୍ଣ୍ଣ ପଦକ ଭେଟି ଦେଇଥିଲା ବେଳେ ଶୁକ୍ରବାର ବ୍ୟାଡ୍ମିଣ୍ଟନ ପାଇଁ ପୁଣି ଏକ ସଫଳ ଦିନ ଥିଲା। ଦୁଇ ମହିଳା ପିଭି ସିନ୍ଧୁ ଓ ସାଇନା ନେହ୍ଵାଲଙ୍କ ସାଙ୍ଗକୁ ପୁରୁଷ ତାରକା କିଦାମ୍ବି ଶ୍ରୀକାନ୍ତ ଓ ଏଚ୍ଏସ୍ ପ୍ରଣୟ ନିଜ ନିଜର ଏକକ କ୍ୱାର୍ଟର ଫାଇନାଲ୍ ଜିତି ସେମିଫାଇନାଲ୍ ସ୍ଥାନ ସୁରକ୍ଷିତ କରିଛନ୍ତି। ସେହିପରି ମହିଳା ଯୁଗଳରେ ଏନ୍ ସିକ୍କି ରେଡୀ-ଅଶ୍ୱିନୀ ପୋନାପ୍ପା, ପୁରୁଷ ଯୁଗଳରେ ସାତ୍ତ୍ୱିକ୍ ରାଙ୍କିରେଡୀ-ଚିରାଗ ସେଟ୍ଟୀ, ମିଶ୍ରିତ ଯୁଗଳରେ ସାତ୍ତ୍ୱିକ୍-ଅଶ୍ୱିନୀ ଯୋଡ଼ି ସେମିଫାଇନାଲ୍ ପ୍ରବେଶ କରିଛନ୍ତି। ଫଳରେ ଶନିବାର ଦଶମ ତଥା ଅନ୍ତିମ ଦିବସରେ ଭାରତ ପାଇଁ ବ୍ୟାଡ୍ମିଣ୍ଟନରୁ ଅଧିକ ପଦକ ମିଳିବା ସମ୍ଭାବନା ବଢ଼ିଯାଇଛି।
ଶୁକ୍ରବାର କ୍ୱାର୍ଟର ଫାଇନାଲ୍ରେ ଅଲିମ୍ପିକ୍ ତଥା ବିଶ୍ୱ ଚାମ୍ପିଅନ୍ସିପ୍ ରୌପ୍ୟ ବିଜୟିନୀ ସିନ୍ଧୁ କାନାଡାର ବ୍ରିଟ୍ନି ଟାମ୍ଙ୍କୁ ୨୧-୧୪, ୨୧-୧୭ରେ ପରାସ୍ତ କରିଛନ୍ତି। ସେମିଫାଇନାଲ୍ରେ ସିନ୍ଧୁଙ୍କ ମୁକାବିଲା କାନାଡାର ମିଚେଲି ଲି’ଙ୍କ ସହ ହେବ। ମିଚେଲି ୨୦୧୪ ଗ୍ଲାସ୍ଗୋ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସିନ୍ଧୁଙ୍କୁ ପରାସ୍ତ କରି ତାଙ୍କ ସ୍ୱର୍ଣ୍ଣିମ ସଫଳତାରେ ବାଧକ ସାଜିଥିଲେ। ସେହିପରି ୨୦୧୦ ରାଜ୍ୟଗୋଷ୍ଠୀ ସ୍ୱର୍ଣ୍ଣ ବିଜୟିନୀ ସାଇନା ୨୧-୮, ୨୧-୧୩ରେ କାନାଡାର ରାଚେଲ୍ ହୋଣ୍ଡେରିକ୍ଙ୍କୁ ପରାସ୍ତ କରିଥିଲା ବେଳେ ସେମିରେ ୨୦୧୪ ସଂସ୍କରଣର ରୌପ୍ୟ ବିଜୟିନୀ ସ୍କଟ୍ଲାଣ୍ଡ୍ର କ୍ରିଷ୍ଟି ଗିଲ୍ମୋର୍ଙ୍କୁ ଭେଟିବେ। ପୁରୁଷ ଏକକ କ୍ୱାର୍ଟର ଫାଇନାଲ୍ରେ ନୂଆ କରି ବିଶ୍ୱ ମାନ୍ୟତାର ଶୀର୍ଷ ସ୍ଥାନ ଅକ୍ତିଆର କରିଥିବା ଶ୍ରୀକାନ୍ତ ୨୧-୧୫, ୨୧-୧୨ରେ ସିଙ୍ଗାପୁରର ଜିନ୍ ରି ର୍ୟାନ୍ ଏନ୍ଜିଙ୍କୁ ପରାସ୍ତ କରିଥିଲା ବେଳେ ସେମିରେ ୨୦୧୦ ରାଜ୍ୟଗୋଷ୍ଠୀ ରୌପ୍ୟ ବିଜେତା ଇଂଲଣ୍ଡର ରାଜୀବ ଓସେଫ୍ଙ୍କୁ ଭେଟିବେ। ବିଶ୍ୱ ମାନ୍ୟତାର ଏକାଦଶ ପ୍ରଣୟ ୨୧-୧୩, ୨୧-୬ରେ ଶ୍ରୀଲଙ୍କାର ଦିନୁକା କରୁଣାରତ୍ନେଙ୍କୁ ପରାସ୍ତ କରିଥିଲା ବେଳେ ତିନି ଥର ଅଲିମ୍ପିକ୍ ରୌପ୍ୟ ବିଜେତା ଲି ଚୋଙ୍ଗ୍ ଓ୍ଵି’ଙ୍କ ସହ ସେମିଫାଇନାଲ୍ରେ ମୁହାଁମୁହିଁ ହେବେ।
ମହିଳା ଯୁଗଳ କ୍ୱାର୍ଟର ଫାଇନାଲ୍ରେ ସିକ୍କି-ଅଶ୍ୱିନୀ ୨୧-୧୧, ୨୧-୧୩ରେ ସିଂହଳୀ ଯୋଡ଼ି ହାସିନି ଅମ୍ବାଲାନ୍ଗୋଦାଗେ-ମଧୁସିକା ଦିଲ୍ରୁକ୍ସିଙ୍କୁ, ପୁରୁଷ ଯୁଗଳରେ ସାତ୍ତ୍ୱିକ୍-ଚିରାଗ ଯୋଡ଼ି ୨୧-୧୪, ୧୫-୨୧ ଓ ୨୧-୯ରେ ମାଲେସିଆ ଯୋଡ଼ି ଚାନ୍ ପେଙ୍ଗ୍ ସୁନ୍-ଗୋହ ସୁନ୍ ହୁଆତ୍ଙ୍କୁ ଏବଂ ମିଶ୍ରିତ ଯୁଗଳରେ ସାତ୍ତ୍ୱିକ୍-ଅଶ୍ୱିନୀ ଯୋଡ଼ି ୨୧-୧୯, ୨୧-୧୯ରେ ମାଲେସିଆ ଯୋଡ଼ି ଗୋହ ସୁନ୍ ହୁଆତ୍-ଲାଇ ସେଭନ୍ ଜେମିଙ୍କୁ ପରାସ୍ତ କରି ସେମିଫାଇନାଲ୍ରେ ଅବତୀର୍ଣ୍ଣ ହୋଇଛନ୍ତି। ତେବେ ମିଶ୍ରିତ ଯୁଗଳରେ ପ୍ରଣବ ଜେରି ଚୋପ୍ରା-ସିକ୍କି ରେଡୀ ୧୭-୨୧, ୧୨-୨୧ରେ ମାଲେସିଆ ଯୋଡ଼ି ଚାନ୍ ପେଙ୍ଗ୍ ସୁନ୍-ଗୋହ ଲିଉ ୟିଙ୍ଗ୍ଙ୍କଠାରୁ ହାରିଥିଲା ବେଳେ ଆହତ ଯୋଗୁଁ ଯୁବା ଖେଳାଳି ଋତ୍ୱିକା ଗାଡେଙ୍କ ଅଭିଯାନ ମଧ୍ୟ ଶେଷ ହୋଇଯାଇଛି।