ଉଗାଣ୍ଡା ପାରା ବ୍ୟାଡ୍‌ମିଣ୍ଟନ୍‌: ପଦକ ପକ୍କା କଲେ ଦିଲେଶ୍ବର, ନୁରୁଲ, ଅ‌ମରେନ୍ଦ୍ର

ଭୁବନେଶ୍ବର : ଉଗାଣ୍ଡାର କାମ୍ପାଲା ସହରରେ ଚାଲିଥିବା ଉଗାଣ୍ଡା ପାରାବ୍ୟାଡ୍‌ମିଣ୍ଟନ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଭାରତର ପ୍ରତିନିଧିତ୍ବ କରୁଥିବା ଓଡ଼ିଆ ତାରକା ଦିଲେଶ୍ବର ରାଓ, ନୁରୁଲ ହୁସେନ ଖାନ ଓ ଅମରେନ୍ଦ୍ର ବେହେରା ପଦକ ପକ୍କା କରିଛନ୍ତି। ଦିଲେଶ୍ବର ଓ ନୁରୁଲ ନିଜ ନିଜ ବର୍ଗର ଏକକ ଓ ଯୁଗଳର ସେମିଫାଇନାଲ୍‌ରେ ପହଞ୍ଚି ପଦକ ନିଶ୍ଚିତ କରିଥିଲା ବେଳେ ଅମରେନ୍ଦ୍ର ଯୁଗଳର ସେମିଫାଇନାଲ୍‌ରେ ସ୍ଥାନ ପକ୍କା କରିଥିଲେ। ଶୁକ୍ରବାର ଏକକରେ ଦିଲେଶ୍ବର ୨୧-୧୦, ୨୧-୧୩ରେ କିଭ୍‌ର ଦିଦା ଜିନ୍‌ ଭିସ୍‌ ୟାଓଙ୍କୁ ଏବଂ ଯୁଗଳରେ ସେ ଓ ତାଙ୍କ ସାଥୀ ନବୀନ ଶିବ କୁମାର ୨୧-୨, ୨୧-୩ରେ ସ୍ଥାନୀୟ ଯୋଡ଼ି କାଜା ଏଡୱାର୍ଡ କାବୋଙ୍ଗେ ଓ ଜୁଲି୍ରନ୍‌ ଓଭୁରାଙ୍କୁ ହରାଇଥିଲେ। ପୂର୍ବରୁ ଯୁଗଳ ସେମିଫାଇନାଲ୍‌ରେ ପହଞ୍ଚିଥିବା ନୁରୁଲ ଏକକ କ୍ବାର୍ଟର ଫାଇନାଲ୍‌ରେ ଉଗାଣ୍ଡାର ଅଲି ମୁକାସାଙ୍କୁ ୨୧-୧୩, ୨୧-୧୭ରେ ପରାସ୍ତ କରିଥିଲେ। ଏକକ କ୍ବାର୍ଟର ଫାଇନାଲ୍‌ରେ ଭାରତର ଶାରାନାପ୍ପାଙ୍କଠୁ ୧୩-୨୧, ୬-୨୧ରେ ହାରି ସେମିରୁ ବଞ୍ଚିତ ହୋଇଥିବା ଅମରେନ୍ଦ୍ର କିନ୍ତୁ ଯୁଗଳର ସେମିଫାଇନାଲ୍‌ରେ ପ୍ରବେଶ କରିଛନ୍ତି। କ୍ବାର୍ଟର ଫାଇନାଲ୍‌ରେ ସେ ଓ ତାଙ୍କ ସାଥୀ ଅଭିଜିତ ସାଖୁଜା ୨୧-୧୦, ୨୧-୧୦ରେ ଉଗାଣ୍ଡାର ଚାର୍ଲସ କାଲେଗା କିଜା ଓ ଜୁଲିଅସ୍‌ ନାସେରେକାଙ୍କୁ ପରାସ୍ତ କରିଥିଲେ।

ସମ୍ବନ୍ଧିତ ଖବର