ପାରାଅଲିମ୍ପିଆନ୍‌ ଝାଝା‌ରିଆଙ୍କ ବିଶ୍ବ କୀର୍ତ୍ତିମାନ

ନୂଆଦିଲ୍ଲୀ: ଭାରତର ମହାନ ପାରାଅଲିମ୍ପିଆନ୍‌ ଦେବେନ୍ଦ୍ର ଝାଝାରିଆ ଏବେ ନିଜ ବିଶ୍ବ କୀର୍ତ୍ତିମାନକୁ ପଛରେ ପକାଇବା ସହ ଟୋକିଓ ପାରାଅଲିମ୍ପିକ୍ସ ଟିକେଟ୍‌ ଅର୍ଜନ କରି‌ ନେଇଛନ୍ତି। ନୂଆଦିଲ୍ଲୀରେ ଅନୁଷ୍ଠିତ ଜାତୀୟ ଚୟନ ପ୍ରକ୍ରିୟା ବେଳେ ସେ ୬୫.୭୧ ମିଟର୍‌କୁ ଜାଭଲିନ୍‌ ଫିଙ୍ଗି ନୂଆ ବିଶ୍ବ କୀର୍ତ୍ତିମାନ କରିଛନ୍ତି। ୪୦ ବର୍ଷୀୟ ଦେବେନ୍ଦ୍ର ୨୦୧୬ ରିଓ ଅଲିମ୍ପିକ୍ସ ବେଳେ ୬୩.୯୭ ମିଟର୍‌ ଫିଙ୍ଗି ବିଶ୍ବ କୀର୍ତ୍ତିମାନ ପ୍ରତିଷ୍ଠା କରିଥିଲେ। ପୁରୁଷ ଏଫ-୪୬ କାଟେଗୋରୀରେ ଦେବେନ୍ଦ୍ର ପୂର୍ବରୁ ୨ ପାରାଅଲିମ୍ପିକ୍ସ ସ୍ବର୍ଣ୍ଣ ପଦକ ଜିତି ସାରିଛନ୍ତି। ନିଜ ସଫଳତାର ଶ୍ରେୟ ଦେବେନ୍ଦ୍ର ତାଙ୍କ ପରିବାର, ପ୍ରଶିକ୍ଷକ ସୁନିଲ ତନୱାର ଓ ଫିଟନେସ୍‌ ଟ୍ରେନର୍‌ ଲକ୍ଷ୍ୟ ବାତ୍ରାଙ୍କୁ ଦେଇଛନ୍ତି। ଟୋକିଓ ପାରା ଅଲିମ୍ପିକ୍ସ ଅଗଷ୍ଟ ୨୪ ତାରିଖରୁ ଆରମ୍ଭ ହେବ। ଝାଝାରିଆ ତୃତୀୟ ଥର ପାଇଁ ଭାଗନେବେ। ୨୦୦୪ ଏଥେନ୍ସ ପାରାଅଲିମ୍ପିକ୍ସରେ ସେ ମଧ୍ୟ ବିଶ୍ବକୀର୍ତ୍ତିମାନ ୬୨.୧୫ ମିଟର୍‌ ସହ ସ୍ବର୍ଣ୍ଣ ପଦକ ଜିତିଥିଲେ। ରିଓରେ ଏହାକୁ ଭାଙ୍ଗି (୬୩.୯୭ ମିଟର୍‌) ପ୍ରଥମ ସ୍ଥାନରେ ରହିବା ସହ ପ୍ରଥମ ଭାରତୀୟ ଭାବେ ପାରାଅଲିମ୍ପିକ୍ସରେ ଯୁଗଳ ସ୍ବର୍ଣ୍ଣ ବିଜେତା ଅଛନ୍ତି।

ସମ୍ବନ୍ଧିତ ଖବର