ପିକ୍‌ଅପ୍‌ ଭ୍ୟାନ୍‌ ଓଲଟିଲା: ୧୦ ଛେଳି-ମେଣ୍ଢା ମୃତ, ୭୮ ଜବତ

ବାଙ୍ଗିରିପୋଷି: ମୟୂରଭଂଜ ଜିଲ୍ଲା ବାଙ୍ଗିରିପୋଷି ଥାନା କୁମ୍ଭାର ମୁଣ୍ଡାକଟା ପଞ୍ଚାୟତ ନିକଟରେ ଶନିବାର ବିଳମ୍ବିତ ରାତିରେ ଏକ ଛେଳି ଓ ମେଣ୍ଢା
ବୋଝେଇ ପିକ୍‌ଅପ୍‌ ଭ୍ୟାନ୍‌(କଳାବାଡିଆ-ଝାରପୋଖରିଆ) ଆଡ଼କୁ ଯାଉଥିବା ବେଳେ ଓଲଟି ଯାଇଥିଲା। ଏହି ଦୁର୍ଘଟଣାରେ ୮୮ଟି ଛେଳି ଓ ମେଣ୍ଢା ମଧ୍ୟରୁ ୧୦ଟିର ମୃତ୍ୟୁ ହୋଇଥିଲା।

ଖବର ପାଇ ଝାରପୋଖରିଆ ପୁଲିସ କ୍ରେନ ସାହାଯ୍ୟରେ ପିକ୍‌ଅପ୍‌ ସହିତ ଛେଳି ନେଇ ପଳାଉଥିବା ବେଳେ ସ୍ଥାନୀୟ ଜନସାଧାରଣ ନେବା ପାଇଁ ଦେଇ ନଥିଲେ। ରାତିରେ ବାଙ୍ଗିରିପୋଷି ପୁଲିସ ଘଟଣାସ୍ଥଳରେ ପହଞ୍ଚି ନିଜ ଅଞ୍ଚଳ ଦାବି କରି ପିକ୍‌ଅପ୍‌ ଭ୍ୟାନ୍‌ ସହିତ ମୃତ ଓ ଜୀବିତ ଛେଳି ଥାନାକୁ ନେଇ ଆସିଥିଲେ। ଡ୍ରାଇଭରକୁ ଗିରଫ କରିବା ସହିତ ଏକ ମାମଲା ରୁଜୁ କରି ୧୦ଟି ଛେଳିକୁ ପଶୁଡାକ୍ତର ବ୍ୟବଛେଦ କରି ପୋତି ଦେଇଛନ୍ତି। ଅନ୍ୟ ୭୮ ଛେଳିକୁ ସ୍ଥାନୀୟ ଏକ ଫାର୍ମକୁ ପଠାଇ ଦିଆଯାଇଛି। ବିଭିନ୍ନ ସମୟରେ ଝାରପୋଖରିଆ ଓ ବାଙ୍ଗିରିପୋଷି ଥାନା ଦେଇ ଛେଳି ଚାଲାଣ ହେଉଥିବା ବେଳେ ଦୁର୍ଘଟଣା ପରେ ପୁଲିସ ଗୁମର ଫିଟୁଛି।

ବାଙ୍ଗିରିପୋଷି ଥାନା ଇନ୍ସପେକ୍ଟର ଅଶୋକ କୁମାର ପହି କହନ୍ତି ସ୍ଥାନୀୟ ହାଟରୁ ଛେଳି ଗୁଡ଼ିକ କିଣି ଏକ ବାହାଘର ଭୋଜି ପାଇଁ ଯାଉଥିଲା। ଆରଟିଓକୁ ଖବର କରା ଯାଇଥିବା ଶ୍ରୀ ପହି କହିଛନ୍ତି। ଯଦି କାଗଜ ପତ୍ର ଠିକ ଅଛି ତେବେ ଛେଳି ଗାଡ଼ି ଗୁଡ଼ିକ ଶନିବାର, ସୋମବାର, ଗୁରୁବାର ଓଭର ଲୋଡ କରି ରାତିରେ କାହିଁକି ଯାଉଛନ୍ତି ବୋଲି ପ୍ରଶ୍ନ ଉଠିଛି?

ସମ୍ବନ୍ଧିତ ଖବର